ସମାଜ କିପରି ସଂଗଠିତ ହୁଏ, ସମ୍ପଦ ଓ ସମୃଦ୍ଧି କିପରି ବାଣ୍ଟିହୁଏ ତାକୁ ନେଇ ସର୍ବଦା ଆଲୋଚନା ହୋଇଥାଏ । ଆର୍ଥିକ ଅସମାନତା ଦୀର୍ଘସମୟ ଧରି ବିତର୍କର କେନ୍ଦ୍ରବିନ୍ଦୁ ହୋଇ ରହିଛି । ଯଦିଓ ବିଶ୍ୱ ଅର୍ଥନୀତି ସମ୍ମୁଖରେ ବୈଷମ୍ୟ ସର୍ବଦା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି, ୨୦୨୫ ସୁଦ୍ଧା ଅସମାନତା ଏପରି ସ୍ତରରେ ପହଞ୍ଚିଛି ଯାହାର ମୁକାବିଲା ପାଇଁ ନୈତିକ ଏବଂ ରାଜନୈତିକ ପଦକ୍ଷେପ ଜରୁରି ହୋଇପଡିଛି । ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଅଂଶ ସୁରକ୍ଷିତ ଜୀବିକା ଏବଂ ମୌଳିକ ସମ୍ମାନ, ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ସଂଘର୍ଷ ଜାରି ରଖିଥିବାବେଳେ ଜଗତୀକରଣ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଲାଭ ଏକ ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ଧନୀକ ଶ୍ରେଣୀ ମଧ୍ୟରେ ସୀମିତ ହୋଇ ରହିଛି । ଏହି ବୈଷମ୍ୟ, ବିଭେଦ ଆକସ୍ମିକ ବା ଅନିବାର୍ଯ୍ୟ ନୁହେଁ, ଏଗୁଡ଼ିକ ସଚେତନ ଭାବେ ନିଆଯାଇଥିବା ତ୍ରୁଟିପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ଏବଂ ସାଙ୍ଗଠନିକ ବ୍ୟବସ୍ଥାର ଫଳାଫଳ । ଲୁକାସ୍ ଚାନ୍ସେଲ, ରିକାର୍ଡୋ ଗୋମେଜ୍-କାରେରା, ରୋୱାଇଡା ମୋଶ୍ରିଫ୍ ଏବଂ ଥମାସ୍ ପିକେଟିଙ୍କ ନେତୃତ୍ୱରେ ବିଶ୍ୱ ଅସମାନତା ଲ୍ୟାବ୍ ଦ୍ୱାରା ପ୍ରସ୍ତୁତ ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ରେ (ଡବ୍ଲ୍ୟୁ.ଆଇ.ଆର ୨୦୨୬ ), ଏକବିଂଶ ଶତାବ୍ଦୀର ଅସମାନତାର ସ୍ଥାୟିତ୍ୱ ଏବଂ ତୀବ୍ରତାର ଏକ ନିଷ୍ଠୁର ବିବରଣୀ ପ୍ରକାଶ ପାଇଛି । ଏହା ଡିସେମ୍ବର ୨୦୨୫ରେ ପ୍ରକାଶିତ ହୋଇଛି । ୨୦୧୮ ଏବଂ ୨୦୨୨ ସଂସ୍କରଣ ପରେ ବିଶ୍ୱ ଅସମାନତା ଲ୍ୟାବ୍ ଦ୍ୱାରା ପ୍ରସ୍ତୁତ ଏହା ତୃତୀୟ ରିପୋର୍ଟ ବିଶ୍ୱବ୍ୟାପୀ ୨୦୦ରୁ ଅଧିକ ବିଦ୍ୱାନଙ୍କ କାର୍ଯ୍ୟ ଉପରେ ଆଧାରିତ । ଜୋସେଫ ଷ୍ଟିଗଲିଜ୍ ଏବଂ ଜୟତୀ ଘୋଷଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଏହି ରିପୋର୍ଟ ସ୍ପଷ୍ଟ କରେ ଯେ, ବିଶ୍ୱ ବୈଷମ୍ୟ ଐତିହାସିକ ଭାବରେ ଚରମ ସ୍ତରରେ ରହିଛି ଏବଂ ଗଭୀର ଭାବରେ ବହୁମୁଖୀ । ଆୟ, ସମ୍ପଦ, ଲିଙ୍ଗ, ଜଳବାୟୁ ସମସ୍ୟା ଏବଂ ମୌଳିକ ମାନବିକ କ୍ଷମତା ହାସଲ କରିବାରେ ବିଫଳତାଜନିତ ଆଦି ଅସମାନତା ବଜାରର କାର୍ଯ୍ୟକାରିତା ନୁହେଁ, ବରଂ ଜାଣିଶୁଣି ବ୍ୟକ୍ତିଗତ ବାଛ ବିଚାର, ସଂସ୍ଥାଗତ ଦୁର୍ବଳତା ଏବଂ କ୍ଷମତାର ଅପବ୍ୟବହାର ଓ ଅସମାନ ବଣ୍ଟନରୁ ଉତ୍ପନ୍ନ ହୋଇଥିବା ଦର୍ଶାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଅସମାନତା ବିଭିନ୍ନ ନୀତି ଦ୍ୱାରା ସୃଷ୍ଟି ହୋଇଥାଏ, ଏଣୁ ନୀତି ଦ୍ୱାରା ହିଁ ସମାଧାନ ହୋଇପାରିବ ।
ସମ୍ପଦର କେନ୍ଦ୍ରୀକରଣ କେବଳ ସ୍ଥାୟୀ ନୁହେଁ, ବରଂ ଏକ ଚିନ୍ତାଜନକ ଗତିରେ ତ୍ୱରାନ୍ୱିତ ହେଉଛି । ଗତ ତିନି ଦଶନ୍ଧି ମଧ୍ୟରେ ସମ୍ପଦର ଅସମାନତା ତୀବ୍ରଭାବରେ ବୃଦ୍ଧିପାଇଛି । ୧୯୯୦ ଦଶକ ପରଠାରୁ ଅରବପତିଙ୍କ (ବିଲିୟନେୟାରଙ୍କ) ସମ୍ପଦ ହାରାହାରି ବାର୍ଷିକ ୮% ହାରରେ ବୃଦ୍ଧିପାଇଛି । ଏହି ବୃଦ୍ଧି ବିଶ୍ୱ ଜନସଂଖ୍ୟାର ନିମ୍ନରେ ଥିବା ୫୦%ଙ୍କ ସମ୍ପଦ ବୃଦ୍ଧି ହାରର ପ୍ରାୟ ଦୁଇଗୁଣ । ଗରିବ ଶ୍ରେଣୀଙ୍କ ସମ୍ପଦ ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ, ସମାଜର ଉଚ୍ଚସ୍ତରରେ ଥିବା ଧନୀକ ଶ୍ରେଣୀଙ୍କର ସମ୍ପଦ ବୃଦ୍ଧି ତୁଳନାରେ କିଛି ନୁହେଁ । ଏହା ମନେରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ଶୀର୍ଷ ଧନୀମାନେ ସର୍ବୋଚ୍ଚ ଆୟକାରୀ ନୁହଁନ୍ତି । କିନ୍ତୁ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଅଧିକ ଧନୀ ହେଉଛନ୍ତି । ଅସମାନତା ରିପୋର୍ଟରେ ମାପ କରାଯାଇଥିବା ଆୟ କହିଲେ କର ଏବଂ ଅର୍ଥ ସ୍ଥାନାନ୍ତର ପୂର୍ବରୁ ସେହି ଅର୍ଜିତ ଆୟକୁ ବୁଝାଏ, ଯେଉଁଥିରେ ପେନସନ୍ ଏବଂ ବେକାରୀ ଭତ୍ତା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ । ସମ୍ପଦ କହିଲେ ବ୍ୟକ୍ତିମାନଙ୍କ ମାଲିକାନାରେ ଥିବା ଆର୍ଥିକ ସମ୍ପତ୍ତି (ବୀମା, ବ୍ୟାଙ୍କ, ଇକ୍ୱିଟି, ବଣ୍ଡ ପରି ବିଭିନ୍ନ ଆର୍ଥିକ ସଞ୍ଚୟ) ଏବଂ ଅଣ-ଆର୍ଥିକ ବା ଭୌତିକ ବା ଫିଜିକାଲ ସମ୍ପତ୍ତି(ଗୃହ, ଜମି)ର ସମଷ୍ଟିରୁ ବିଭିନ୍ନ ଋଣ/ଦେୟକୁ ବାଦ୍ଦେଲେ ଯାହା ରୁହେ ତାହାକୁ ବୁଝାଏ । ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ରେ ସମ୍ପଦ ଓ ଆୟ ଆକଳନ ୨୦୨୫ର କ୍ରୟଶକ୍ତି ସମତା ଉପରେ ପର୍ଯ୍ୟବସିତ । ରିପୋର୍ଟ ଅନୁସାରେ, ବିଶ୍ୱର ସବୁଠାରୁ ଧନୀ ୦.୦୦୧% (ପ୍ରାୟ ୬୦,୦୦୦ ଲୋକ) ବିଶ୍ୱର ସବୁଠାରୁ ଗରିବ ୫୦%ଙ୍କ ସମ୍ପଦର ତିନିଗୁଣର ଅଧିକାରୀ । ସେହି ୬୦,୦୦୦ ଧନୀ ୧୯୯୫ରେ ବିଶ୍ୱ ସମ୍ପଦର ୩.୮%ର ଅଧିକାରୀ ହୋଇଥିଲା ବେଳେ ୨୦୨୫ରେ ୬.୧%ର ଅଧିକାରୀ ହୋଇଛନ୍ତି । ବିଶ୍ୱର ଶୀର୍ଷ ୧% ଧନୀ, ପ୍ରାୟ ଗ୍ରେଟବ୍ରିଟେନର ବୟସ୍କ ଜନସଂଖ୍ୟା ସହିତ ସମକକ୍ଷ ବିଶ୍ୱର ମୋଟ୍ ଆୟର ୨୩% ଦଖଲ କରିଥିଲାବେଳେ, ମୋଟ୍ ସମ୍ପଦର ୩୮% ଅକ୍ତିଆର କରିଛନ୍ତି । ଶୀର୍ଷ ୧୦% ବିଶ୍ୱର ମୋଟ୍ ଆୟର ୫୩% ମାଲିକ ହୋଇଥିଲାବେଳେ, ସମ୍ପଦର ୭୫% ମାଲିକ ଅଟନ୍ତି । ଅପରପକ୍ଷରେ ବିଶ୍ୱର ମଧ୍ୟମ ୪୦% ବିଶ୍ୱର ମୋଟ୍ ଆୟର ୩୮% ମାଲିକ ହୋଇଥିଲାବେଳେ ସମ୍ପଦର ୨୩% ମାଲିକ ଅଟନ୍ତି । କିନ୍ତୁ ସମାଜର ନିମ୍ନସ୍ତରର ୫୦% ବିଶ୍ୱ ଆୟର ମାତ୍ର ୮% ଏବଂ ସମ୍ପଦର ମାତ୍ର ୨% ମାଲିକ ଅଟନ୍ତି । ୧୯୯୫ରୁ ୨୦୨୫ ମଧ୍ୟରେ ବିଶ୍ୱ ବଣ୍ଟନରେ ନିଟ୍ ବ୍ୟକ୍ତିଗତ ସମ୍ପଦର ଅଭିବୃଦ୍ଧି ହାର ତୀବ୍ରଭାବରେ ଭିନ୍ନ ହୋଇଥିଲା । ତଳସ୍ତରରେ ଥିବା ୫୦% ଲୋକଙ୍କର ପ୍ରତିବର୍ଷ ପ୍ରାୟ ୨%ରୁ ୪% ବୃଦ୍ଧି ଘଟିଲାବେଳେ, ଶୀର୍ଷ ୧% ବ୍ୟକ୍ତିଙ୍କ ସମ୍ପଦ ବାର୍ଷିକ ୨% ରୁ ୮.୫% ହାରରେ ବୃଦ୍ଧି ଘଟିଥିଲା ।
ବିଶ୍ୱ ଅପେକ୍ଷା ଭାରତରେ ବୈଷମ୍ୟ ଆହୁରି ଅଧିକ ଭୟଙ୍କର । ଦକ୍ଷିଣ ଆଫ୍ରିକାରେ ଆୟ ବୈଷମ୍ୟ ସର୍ବାଧିକ । ଏହା ତଳକୁ କଲମ୍ବିଆ, ଚିଲି, ବ୍ରାଜିଲ, ମେକ୍ସିକୋ ରହିଛି । ଭାରତର ସ୍ଥାନ ଷଷ୍ଠ । ଭାରତର ଶୀର୍ଷ ୧% ଲୋକ ମୋଟ୍ ଜାତୀୟ ଆୟର ୨୨.୬% ର ମାଲିକ ହୋଇଥିଲାବେଳେ ମୋଟ୍ ସମ୍ପଦର ୪୦% ର ମାଲିକ ଅଟନ୍ତି । ଶୀର୍ଷ ୧୦% ଲୋକ ମୋଟ୍ ଆୟର ୫୭.୭% ଏବଂ ସମ୍ପଦର ୬୫%ର ମାଲିକ ଅଟନ୍ତି । ମଧ୍ୟମ ୪୦% ଲୋକ ମୋଟ୍ ଆୟର ୨୭.୩% ଏବଂ ୨୮.୬% ସମ୍ପଦର ମାଲିକ ଅଟନ୍ତି । କିନ୍ତୁ ନିମ୍ନରେ ଥିବା ୫୦% ଲୋକଙ୍କ ପାଖରେ ଜାତୀୟ ଆୟର ୧୫% ଏବଂ ଜାତୀୟ ସମ୍ପଦର ୬.୪% ମାତ୍ର ରହିଛି । ଡିସେମ୍ବର ୨୦୨୧ରେ ୱାର୍ଲଡ ଇନ୍ଇକ୍ୱାଲିଟି ଲ୍ୟାବ୍ର ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ ଅନୁସାରେ ଭାରତ ଏକ ଗରିବ ଏବଂ ବୈଷମ୍ୟପୂର୍ଣ୍ଣ ରାଷ୍ଟ୍ର । ୨୦୦୦ ମସିହାରେ ଭାରତର ୧% ବଡ଼ ଧନୀଙ୍କ ପାଖରେ ଜାତୀୟ ଆୟର ୧୫.୧% ଥିଲାବେଳେ ୨୦୨୨-୨୩ରେ ଏହା ୨୨.୬%କୁ ବୃଦ୍ଧି ପାଇଥିଲା । ଯାହା ୧୯୨୨ ପରେ ସର୍ବାଧିକ । ସମ୍ପଦ ଦୃଷ୍ଟିରୁ ୨୦୦୨ ମସିହାରେ ଭାରତର ୧% ବଡ଼ ଧନୀଙ୍କ ପାଖରେ ଜାତୀୟ ସମ୍ପଦର ୨୫.୪% ଥିଲାବେଳେ ୨୦୨୨-୨୩ରେ ଏହା ୪୦.୧% ବୃଦ୍ଧି ପାଇଥିଲା । ଏହି ବୈଷମ୍ୟ ୧୯୬୧ ପରଠାରୁ ସର୍ବାଧିକ । ୨୦୨୫ରେ ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ପ୍ରାୟ ୬,୨୦୦ ୟୁରୋ (କ୍ରୟଶକ୍ତି ସମତା) ଥିଲାବେଳେ, ହାରାହାରି ସମ୍ପଦ ପ୍ରାୟ ୨୮,୦୦୦ ୟୁରୋ (କ୍ରୟଶକ୍ତି ସମତା) ରହିଛି । ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୧୫.୭% ରେ ଚିନ୍ତାଜନକ ଭାବରେ ରହିଛି । ଗତ ଦଶନ୍ଧି ମଧ୍ୟରେ କୌଣସି ଉନ୍ନତି ଦେଖାଯାଇନି ।
ଭାରତ ତଥା ବିଶ୍ୱରେ ଲିଙ୍ଗ ଅସମାନତା ଗଭୀର ଏବଂ ବ୍ୟାପକ । ସମସ୍ତ ଅଞ୍ଚଳରେ ଦରମା ପାର୍ଥକ୍ୟ ରହିଛି । ଘରୋଇ ଏବଂ ଯତ୍ନ କାର୍ଯ୍ୟକୁ ହିସାବକୁ ନେଲେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ଘଣ୍ଟା କାମ କରନ୍ତି । ପୁରୁଷମାନେ ପ୍ରତି ସପ୍ତାହରେ ହାରାହାରି ୪୩ଘଣ୍ଟା କାର୍ଯ୍ୟ କରିଲାବେଳେ ମହିଳାମାନେ ୫୩ଘଣ୍ଟା କାର୍ଯ୍ୟ କରନ୍ତି । ତଥାପି ସେମାନଙ୍କ କାମକୁ କମ୍ ମୂଲ୍ୟ ଦିଆଯାଇଛି । ଅବୈତନିକ କାମକୁ ବାଦ୍ ଦେଲେ ମହିଳାମାନେ ପୁରୁଷଙ୍କ ଘଣ୍ଟା ପ୍ରତି ଆୟର କେବଳ ୬୧% ରୋଜଗାର କରନ୍ତି, ଯେତେବେଳେ ଅବୈତନିକ ଶ୍ରମକୁ ସାମିଲ କରାଯାଏ, ଏହି ସଂଖ୍ୟା ମାତ୍ର ୩୨%କୁ ଖସିଯାଏ । ଏହି ବୈଷମ୍ୟ ଓ ପାତର ଅନ୍ତର ମହିଳାମାନଙ୍କର କ୍ୟାରିୟର ସୁଯୋଗକୁ ସୀମିତ କରେ, ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣକୁ ସଙ୍କୁଚିତ କରେ ଏବଂ ସମ୍ପଦ ଅର୍ଜନକୁ ନକାରାତ୍ମକ ଭାବେ ପ୍ରଭାବିତ କରେ । ରିପୋର୍ଟରେ ଜଳବାୟୁ ସଙ୍କଟ ଉପରେ ମଧ୍ୟ ଆଲୋକପାତ କରାଯାଇଛି ଯେ, ବିଶ୍ୱ ଜନସଂଖ୍ୟାର ସବୁଠାରୁ ଗରିବ ଅଧା ଲୋକ କାର୍ବନ ନିର୍ଗମନର କେବଳ ୩% ପାଇଁ ଦାୟୀ ହେଲାବେଳେ, ଶୀର୍ଷ ୧୦% କାର୍ବନ ନିର୍ଗମନର ୭୭% ପାଇଁ ଦାୟୀ । ଧନୀ ୧% କାର୍ବନ ନିର୍ଗମନର ୪୧% ପାଇଁ ଦାୟୀ, ଯାହା ସମଗ୍ର ନିମ୍ନରେ ଥିବା ୯୦% ଲୋକଙ୍କ ଦ୍ୱାରା ହେଉଥିବା କାର୍ବନ ନିର୍ଗମନର ପ୍ରାୟ ଦ୍ୱିଗୁଣ । ଜଳବାୟୁ ଅସମାନତା ସମାନ ଭାବରେ ଚିନ୍ତାଜନକ । ଅଧିକ ପୁଞ୍ଜି ମାଲିକାନା, କାର୍ବନ ନିର୍ଗମନରେ ଅସମାନତାକୁ ବଢ଼ାଇଥାଏ ।
ଏହି ବୈଷମ୍ୟ, ଅସମାନତା ଅନିବାର୍ଯ୍ୟ କିମ୍ବା ଅପରିବର୍ତ୍ତନୀୟ ନୁହେଁ³ ଏହା ଏକ ରାଜନୈତିକ ପସନ୍ଦ । ଏହା ଆମର ନୀତି, ପ୍ରତିଷ୍ଠାନ ଏବଂ ଶାସନ ପ୍ରଣାଳୀର ଫଳାଫଳ । ଆର୍ଥିକ, ସାମାଜିକ ଏବଂ ପରିବେଶ ଦୃଷ୍ଟିରୁ ଅସମାନତା ଚିନ୍ତାଜନକ । ଏହା ଅନେକ ଦିଗ ମଧ୍ୟରେ ପ୍ରକାଶିତ ହୁଏ, ଯାହା ପରସ୍ପରକୁ ପ୍ରଭାବିତ କରେ । ବର୍ଦ୍ଧିତ ଅସମାନତାର କୁପ୍ରଭାବ ଯୋଗୁଁ ବିଭାଜନ ପ୍ରକ୍ରିୟାର ବୃଦ୍ଧି, ଭଙ୍ଗୁର ଗଣତନ୍ତ୍ର, ମେଣ୍ଟ ଖଣ୍ଡ ଖଣ୍ଡ ହେବା ଏବଂ ରାଜନୈତିକ ସହମତିର କ୍ଷୟ ଏବଂ ଜଳବାୟୁ ସଙ୍କଟ ଆଦି ବେଶି ଦେଖିବାକୁ ମିଳେ । କିନ୍ତୁ ବୈଷମ୍ୟ ପାଇଁ ଯେଉଁମାନେ, ବିଶେଷକରି ଗରିବମାନେ କମ୍ ଦାୟୀ, ସେମାନେ ବୈଷମ୍ୟଜନିତ କୁପ୍ରଭାବ ବେଶି ଅନୁଭୂତ କରନ୍ତି । ଅସମାନତା ହ୍ରାସ କେବଳ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ ବରଂ ଆର୍ଥିକ ପ୍ରଗତି, ଗଣତନ୍ତ୍ରର ସ୍ଥିରତା ଏବଂ ଆମ ଗ୍ରହର ସ୍ଥାୟିତ୍ୱ ପାଇଁ ମଧ୍ୟ ଅତ୍ୟାବଶ୍ୟକ । ରିପୋର୍ଟଟି ଦର୍ଶାଏ ଯେ କିପରି ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ସାମାଜିକ ସୁବିଧା ପ୍ରାପ୍ତିରେ ସୁଯୋଗର ଅସମାନତା ପରିସ୍ଥିତିକୁ ସଙ୍ଗୀନ କରୁଛି । ପିଢ଼ି ପରେ ପିଢ଼ି ବୈଷମ୍ୟ ବୃଦ୍ଧି ପାଇଚାଲିଛି । ବାସ୍ତବରେ ବିଶ୍ୱବ୍ୟବସ୍ଥା ଧନୀକ ଶ୍ରେଣୀ ଓ ଧନୀ ରାଷ୍ଟ୍ରଙ୍କୁ ସୁହାଇଲା ପରି ହୋଇଛି ।
ବିଶ୍ୱ ଅସମାନତା ଲ୍ୟାବର ସହ-ନିର୍ଦ୍ଦେଶକ ଥମାସ୍ ପିକେଟି କହିଛନ୍ତି: "ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ ଏକ ଚ୍ୟାଲେଞ୍ଜିଂ ରାଜନୈତିକ ସମୟରେ ଆସିଛି । ରିକାର୍ଡୋ ଗୋମେଜ୍-କାରେରା ଚେତାବନୀ ଦେଇ କହିଛନ୍ତି ଯେ, ଅସମାନତା ନିରବ ରହିଥାଏ, ଯେପର୍ଯ୍ୟନ୍ତ ଏହା ଅପମାନଜନକ ହୋଇନଥାଏ । ଷ୍ଟିଗଲିଜ୍ ଏବଂ ଜୟତୀ ଘୋଷ ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ, ଯେପରି ଆନ୍ତଃ-ସରକାରୀ ପ୍ୟାନେଲ ଗଠନ ହୋଇଛି ସେହି ଧାରାରେ ଅସମାନତାର ସମାଧାନ ପାଇଁ ଏକ ଅନ୍ତର୍ଜାତୀୟ ପ୍ୟାନେଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରନ୍ତି । ଏହି ରିପୋର୍ଟରେ ଦୃଢ଼ ସାର୍ବଜନୀନ ନିବେଶ, ପ୍ରଗତିଶୀଳ କର ଏବଂ ବିଶ୍ୱ ସହଯୋଗ ପାଇଁ ଏକ ଆହ୍ୱାନ ଦିଆଯାଇଛି । ରାଜନୈତିକ ଇଚ୍ଛାଶକ୍ତି, ସ୍ୱଚ୍ଛ ତଥ୍ୟ, ନ୍ୟାୟପୂର୍ଣ୍ଣ କର ଏବଂ ମାନବ କ୍ଷମତାରେ ନିବେଶ ସହିତ ସମାଜଗୁଡ଼ିକ ଅଧିକ ଅନ୍ତର୍ଭୁକ୍ତ, ସ୍ଥାୟୀ ଏବଂ ଗଣତାନ୍ତ୍ରିକ ଭବିଷ୍ୟତ ଆଡ଼କୁ ମୁହାଁଇ ପାରିବେ । ଜାତୀୟସ୍ତରରେ, ପ୍ରତିଗାମୀ କର ଅସମାନତାକୁ ଆହୁରି ତୀବ୍ର କରିଥାଏ । ଅନେକ ଦେଶରେ ଧନୀକ ଶ୍ରେଣୀର ଲୋକମାନେ ନିମ୍ନ ଏବଂ ମଧ୍ୟମ ଆୟକାରୀ ପରିବାର ତୁଳନାରେ ଆନୁପାତିକ ଭାବରେ କମ୍ କର ଦିଅନ୍ତି, ଯାହା ରାଷ୍ଟ୍ରଗୁଡ଼ିକୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଏବଂ ଜଳବାୟୁ କାର୍ଯ୍ୟ ପାଇଁ ଆବଶ୍ୟକ ସମ୍ବଳରୁ ବଞ୍ଚିତ କରିଥାଏ । ପ୍ରଗତିଶୀଳ କର, ବିଶେଷକରି ସମ୍ପତ୍ତି, ଉତ୍ତରାଧିକାର ଏବଂ ପୁଞ୍ଜି ଲାଭ କର ଇତ୍ୟାଦି ସମ୍ବଳର ସୁଷମ ବଣ୍ଟନ ପାଇଁ ଜରୁରି ।