ଭୁବନେଶ୍ୱର,୩୦/୦୬: ବର୍ଷା ନାହିଁ । ବିଲ ଶୁଖିଲା । ପାଣିପାଗ ତତଲା । ଜୁନ୍ ସରିବ । ଧାନ ବୁଣା ହୋଇପାରୁନି । ମେଘ ଖୋଜୁଛି ଚାଷୀ । ଚାତକ ଭଳି ଅନେଇ ବସିଛି ଆକାଶକୁ । ବିଶେଷଜ୍ଞଙ୍କ ଆକଳନ, ଏଥର ଚାଷ ସ୍ଥିତି ସାଂଘାତିକ ହୋଇପାରେ । ଆରମ୍ଭରୁ ବର୍ଷା ସଙ୍କଟ ହେଲାଣି । ଏଲ୍-ନିନୋ ପ୍ରଭାବରେ ଆଗକୁ ବି ମଝିରେ ମଝିରେ ବର୍ଷା ହଜିଯିବ । ବ୍ୟାପକ ଜମି ପଡ଼ିଆ ପଡ଼ିପାରେ । ଫସଲ ଉତ୍ପାଦନ କମିବ। ଏମିତି ସ୍ଥିତି ରହିଲେ ମରୁଡ଼ି ସମ୍ଭାବନାକୁ ଟାଳି ହେବନି । ଅନ୍ୟପକ୍ଷରେ ଯେଉଁ ଲଘୁଚାପ ସମ୍ଭାବନାକୁ ନେଇ ବର୍ଷା ବଢ଼ିବା ଆଶା କରାଯାଉଥିଲା, ସେ ନେଇ ବି ସନ୍ଦେହ ଉପୁଜିଲାଣି । ଏମିତିକି ଲଘୁଚାପ ହେବ କି ନାହିଁ ତାହା ନେଇ ବିଶେଷଜ୍ଞ ଦ୍ୱନ୍ଦ୍ୱ ପ୍ରକାଶ କରୁଛନ୍ତି ।
ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଆଷାଢ଼ । ବର୍ଷା ଅଜାଡ଼ିବା କଥା । ହେଲେ ଟାଏଁ ଟାଏଁ ଖରାକୁ ଭୀଷଣ ଗୁଳୁଗୁଳି । ନୟାନ୍ତ ସାରା ଓଡ଼ିଶା । ଏଭଳି ଅସ୍ୱାଭାବିକ ଗରମରେ ସବୁ ଛଟପଟ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାନ ବୁଣା କାମ ଜୋରସୋରରେ ଆରମ୍ଭ ହୋଇଯିବା କଥା । ମାତ୍ର ଏଯାଏଁ ଧାନ ବୁଣା କାମ ଅଟକି ପଡ଼ିଛି । କେବଳ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଯୋଗୁ ଠାଏଠାଏ ଧାନ ବୁଣା ହୋଇଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ପୂରା ଖରାପ ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଓଡ଼ିଶାରେ ମୌସୁମୀ ଏବେ ବି ଦୁର୍ବଳ ଅବସ୍ଥାରେ ରହିଛି । ଏ ସ୍ଥିତି ହଠାତ୍ ଶେଷ ହେବାର ସମ୍ଭାବନା କମ୍ । ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ପାଇଁ ପାଗ ଅନୁକୁଳ ରହିପାରେ । ପ୍ରଥମେ ଉପକୂଳ, ଦକ୍ଷିଣ ଓଡ଼ିଶା ପରେ କେନ୍ଦ୍ରୀୟ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିପାରେ । କିନ୍ତୁ, ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଉପଯୋଗୀ ବର୍ଷାରେ ବିଳମ୍ବ ହୋଇପାରେ । ବର୍ତ୍ତମାନ ସଙ୍କେତ ଅନୁସାରେ ବଙ୍ଗୋପସାଗରରେ ଲଘୁଚାପ ହେବା ସମ୍ଭାବନା କମ୍ । ଯଦି ବି ହେବ, ତାହା ଦୁର୍ବଳ ରହିପାରେ । ତେଣୁ ଯେଉଁ ବର୍ଷା ବଢ଼ିବ, ତାହା ମୌସୁମୀ ଟ୍ରଫ୍ ପ୍ରଭାବରେ ହୋଇପାରେ ।
ଏବେ ସୁଦ୍ଧା ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା । ୨୦୧.୪ ମିଲିମିଟର ବର୍ଷା ହେବା କଥା । ବର୍ଷିଛି ମାତ୍ର ୯୬.୧ ମିମି । ଗୋଟିଏ ବି ଜିଲ୍ଲାରେ ବର୍ଷା ଭଲ ନାହିଁ । ୯ ଜିଲ୍ଲାରେ ୬୦%ରୁ ୮୦% ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି । ଦେବଗଡ଼ ଜିଲ୍ଲାରେ ୮୦% ବର୍ଷା ନିଅଣ୍ଟିଆ ଥିବାବେଳେ ସମ୍ବଲପୁରରେ ୭୫%, କଳାହାଣ୍ଡିରେ ୭୪%, ସୁନ୍ଦରଗଡ଼ରେ ୭୦%, ଅନୁଗୁଳରେ ୬୮%, ମାଲକାନଗିରିରେ ୬୮%, ବଲାଙ୍ଗୀରରେ ୬୫%, ବୌଦ୍ଧରେ ୬୩% ଓ ପୁରୀରେ ମଧ୍ୟ ୬୦% ବର୍ଷା କମ୍ ରହିଛି । ପ୍ରତି ଜିଲ୍ଲାରେ ବର୍ଷା କମ୍ ରହିଛି । କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରେ ବର୍ଷାର ଅବଧି ୧୩୫ ଦିନ । ଏହି ଅବଧିରେ ଖରିଫ ଫସଲକୁ ଶେଷ ୧୫ଦିନ ପାଣି ଦରକାର ନାହିଁ । ବର୍ତ୍ତମାନ ଜୁନ୍ ମାସ ସରିବା ଅବସ୍ଥାରେ । ବର୍ଷା ନାହିଁ । ତେଣୁ ଖାଲ ଜମି ଛଡ଼ା ଆଉ କୌଣସି ଜାଗାରେ ୧୨୦ଦିନ ଅବଧି ଥିବା ଧାନ ଚାଷ କରାଯାଇପାରିବନି । ଢିପ ବା ଉଚ୍ଚ ଜମିରେ ଅଣଧାନ କରିବା କଥା । ଯଦି ଧାନ କରିବେ, ତେବେ ୯୦ ଦିନରୁ ଅଧିକ ଅବଧି କିସମ ବିହନ ବୁଣିବା ଠିକ୍ ହେବନି । ଚାଷୀ ପାଖରେ ମଧ୍ୟମ କିମ୍ବା ସ୍ୱଳ୍ପ କିସମ ଧାନ ବିହନ ପହଞ୍ଚିବା କଥା । ଏବର୍ଷ ଯେଉଁଭଳି ବର୍ଷା ସଙ୍କଟ ଦେଖା ଦେଇଛି, ୨୦୦୨ରେ ବି ଏମିତି ସ୍ଥିତି ଉପୁଜିଥିଲା । ପୁଣି ଆଗକୁ ଏଲ୍-ନିନୋ ପ୍ରଭାବ ତୀବ୍ରତର ହେବ । ବର୍ଷା ଆହୁରି କମିପାରେ । ତେଣୁ ବ୍ୟାପକ ଜମି ପଡ଼ିଆ ପଡ଼ିବା ଆଶଙ୍କା ରହିଛି ।
ବର୍ତ୍ତମାନ ଜୁନ୍ ମାସରେ ବର୍ଷା ଅଭାବକୁ ପାଣିପାଗଜନିତ ମରୁଡ଼ି କୁହାଯାଇଥାଏ । ଆଗକୁ ବର୍ଷା ନ ବଢ଼ିଲେ ଜଳଭଣ୍ଡାର ଶୁଖିବ । ଜଳସେଚନ କ୍ଷମତା କମିବ । ଏମିତି ଅଣଜଳସେଚିତ ଓ ଜଳସେଚିତ ଜମିକୁ ମରୁଡ଼ି ଆଶଙ୍କାକୁ ଟାଳି ଦିଆଯାଇନପାରେ । ଏଭଳି ସ୍ଥିତିରେ ଫସଲ ହେଉଥିବା ଜମି ପରିମାଣ କମିବ । ଅଧିକ ଶୁଖିଲା ପାଗ ହେଲେ ଚାଷ ବିଳମ୍ବ ହେବା ସହ ଉତ୍ପାଦନ ମଧ୍ୟ କମିପାରେ । ତେଣୁ ଏ ବର୍ଷ ଚାଷ ସ୍ଥିତି ସାଂଘାତିକ ରହିପାରେ । ପଶ୍ଚିମ ଓଡ଼ିଶାରେ ଅଣଜଳସେଚିତ ଜମିରେ ଚାଷ ବେଶି କ୍ଷତିଗ୍ରସ୍ତ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆଶଙ୍କା କରିଛନ୍ତି ।
ଅଧିକ ପଢ଼ନ୍ତୁ :- Maa Majighariani : ମା’ ମଝିଘରିଆଣୀଙ୍କ ୯ ହୁଣ୍ଡିରୁ ମିଳିଲା ୧ କୋଟି ୨୨ ଲକ୍ଷ ଟଙ୍କା, ୯ ବିଦେଶୀ ନୋଟ୍ ସହ ୩୦ ଗ୍ରାମ ସୁନା
ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ୧ ତାରିଖବେଳକୁ ଘୂର୍ଣ୍ଣିବଳୟ ହୋଇ ୨ ସୁଦ୍ଧା ଲଘୁଚାପ ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହେବା ଯୋଗୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଅଧିକ ରହିପାରେ । ବର୍ତ୍ତମାନ ରାଜ୍ୟରେ ଅସ୍ୱାଭାବିକ ଗରମ ଲାଗି ରହିଛି । ଆକାଶରେ ବାଦଲ ଆସୁଛି, ବରଷୁ ନାହିଁ । କେଉଁଠି ଅସରାଏ, ଆଉ କେଉଁଠି କୁଣ୍ଡା ଝଡ଼ା ଭଳି ଛିଞ୍ଚି ପଳାଉଛି । ଗର୍ଜୁଛି ପ୍ରବଳ, ହେଲେ ବର୍ଷିଲାବେଳକୁ ମୌସୁମୀ ଦୁର୍ବଳ । ଦୁଇଦିନ ହେଲାଣି ଭୁବନେଶ୍ୱରକୁ ଅପରାହ୍ନରେ କଳାହାଣ୍ଡିଆ ବାଦଲ ଢାଙ୍କୁଛି । କିନ୍ତୁ, ବର୍ଷାର ନାଁ ଗନ୍ଧ ନାହିଁ । ସୋମବାର ନୂଆପଡ଼ା ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଥିଲା । ତାଳଚେରରେ ୩୯.୪ ଡିଗ୍ରୀ, ସମ୍ବଲପୁର ଓ ଭବାନୀପାଟଣାରେ ପାରଦ ୩୯ ଥିବାବେଳେ ଅନେକ ଜାଗାରେ ତାପମାତ୍ରା ୩୮ ଡେଇଁଥିଲା । ବାଲେଶ୍ୱରରେ ପାରଦ ୩୮.୬, ଭୁବନେଶ୍ୱର ୩୮.୨, ଝାରସୁଗୁଡ଼ା ୩୮.୪ ଡିଗ୍ରୀ ଥିଲା । ବାଲେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୫.୭ ଡିଗ୍ରୀ ଅଧିକ ଥିବାବେଳେ ଝାରସୁଗୁଡ଼ାରେ ୫.୧ ଡିଗ୍ରୀ, ଭୁବନେଶ୍ୱରରେ ୪.୮ ଡିଗ୍ରୀ ଅଧିକ ଥିଲା ।