ଭୁବନେଶ୍ୱର,୧୮/୦୮: ସୋମବାର ଦକ୍ଷିଣ ଓଡ଼ିଶାର କିଛି  ଜିଲ୍ଲାରେ ଅତି ଭୀଷଣ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ବିକ୍ଷିପ୍ତ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବ ବୋଲି ପାଣିପାଗ  ବିଭାଗ ସତର୍କ କରାଇଛି ।ଏହି ତିନି ଜିଲ୍ଲା  ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି । 




ପଶ୍ଚିମ କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର  ପଶ୍ଚିମ ବଙ୍ଗୋପସାଗର ଓ ଏହାକୁ  ଲାଗିଥିବା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ  ଓଡ଼ିଶା ଉପକୂଳରେ ଥିବା ସମୁଦ୍ର ଉପରେ  ଥିବା ଘୂର୍ଣ୍ଣିବଳୟ ରବିବାର ଅପରାହ୍ନରେ  ଲଘୁଚାପରେ ପରିଣତ ହୋଇଛି । ଏହା  ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ  ହେବ ।୧୯ ତାରିଖ(ମଙ୍ଗଳବାର) ସକାଳୁ  ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । 

ସୋମବାର କଳାହାଣ୍ଡି, ରାୟଗଡ଼ା ଓ  ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଗଞ୍ଜାମ, କନ୍ଧମାଳ, ବୌଦ୍ଧ,  ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ  ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।  ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ  ବୋଲି ଆକଳନ କରାଯାଇଛି । ମଙ୍ଗଳବାର  କୋରାପୁଟ, ମାଲକାନଗିରି, ନବରଙ୍ଗପୁର,  କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । 

ରବିବାର ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ  ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ୨୦,  ଜଗତସିଂହପୁରରେ ୧୪.୨, ଭବାନୀପାଟଣାରେ ୧୩.୮, ତାଳଚେରରେ ୧୩.୪, ଦାରିଙ୍ଗିବାଡ଼ିରେ  ୧୨, ନୟାଗଡ଼ରେ ୧୦, ଚାନ୍ଦବାଲିରେ ୯.୫  ଓ ବଲାଙ୍ଗୀରରେ ୭.୫ ମିମି ବର୍ଷା ହୋଇଛି ।