ଭୁବନେଶ୍ୱର,୦୨/୦୬: ଦି’ ସପ୍ତାହ ଆଗୁଆ ଆସିଲା । କାଁ ଭାଁ ଟିକେ ଟିକେ ଛିଞ୍ଚିଲା । ଲୋକଙ୍କ ମୁହଁରେ ଗ୍ରୀଷ୍ମରୁ ଆଶ୍ୱସ୍ତିର ହସ  ଫୁଟାଇଲା। କିନ୍ତୁ ପୁଣି ଲୁଚିଗଲା । ଏ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କାହାଣୀ ।  ମୌସୁମୀ ଏବେ ନିଖୋଜ । ଓଡ଼ିଶାକୁ  ଛୁଇଁ ଦେଇ କୁଆଡ଼େ ଲୁଚିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେଉଁଠି ତା’ ଚିହ୍ନବର୍ଣ୍ଣ  ଦେଖାଯାଉନି । ଏପଟେ ବାଦଲକୁ ଚିରି ଖରା ତାଉ ଦେଖାଇଲାଣି । ଗରମ, ଗୁଳୁଗୁଳି  ବଢ଼ିଛି । ପାଣିପାଗ ପୂର୍ବାନୁମାନ କହୁଛି,  ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ  ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା  ହୋଇପାରେ । ଆସନ୍ତା ୪ ତାରିଖରୁ ଉପକୂଳ  ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି  ବଢ଼ିବ, ଜନଜୀବନକୁ ଛଟପଟ କରିପାରେ ।  ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା  ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ । 

ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ  ସେଲସିୟସ୍‌ ପାଖାପାଖି ପହଞ୍ଚିଛି । ରାଜ୍ୟର  ୧୯ଟି ସହରରେ ତାପମାତ୍ରା ୩୭-୪୦ ଡିଗ୍ରୀ  ଭିତରେ ଥିଲା । ରବିବାର ପାରଳାଖେମୁଣ୍ଡି  ତାପମାତ୍ରା ୩୯.୪ ଡିଗ୍ରୀ ଥିବାବେଳେ ଖୋର୍ଦ୍ଧା  ୩୮.୫, ଭୁବନେଶ୍ୱର ୩୮, ନୟାଗଡ଼ ୩୮  ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ  ନୟାନ୍ତ ହୋଇଥିଲା । ଉପକୂଳରେ ପ୍ରାୟତଃ  ପାରଦ ୩୭ ଡିଗ୍ରୀ ପାର୍‌ କରିଥିବାବେଳେ  ଆର୍ଦ୍ରତା ଦିନ ତମାମ ୫୦ରୁ ୭୦% ମଧ୍ୟରେ  ଥିଲା । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ମଧ୍ୟ  ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା । 

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶା  ସମେତ ଦେଶର ଅଧିକାଂଶ ସ୍ଥାନରେ ଆସନ୍ତା  ୧୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବ ।  କେବଳ ପଶ୍ଚିମ ଉପକୂଳ ଏବଂ ଉତ୍ତର ପୂର୍ବ  ଭାରତରେ ଯାହା ବର୍ଷା ହେବ । ଓଡ଼ିଶାକୁ ବର୍ତ୍ତମାନ  ପଶ୍ଚିମରୁ ପବନ ଆସୁିଛି, ଯାହାକି ଗରମ ବଢ଼ାଉଛି ।  ମୌସୁମୀ ଟ୍ରଫ୍‌ ସୃଷ୍ଟି ହୋଇପାରୁନି । କୌଣସି  ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ ।  

ପ୍ରଫେସର ପଶୁପାଳକଙ୍କ ଅନୁସାରେ  ୧୦ ତାରିଖରୁ ବାୟୁର ଦିଗ ବଦଳିବ । ୧୧  କିମ୍ବା ୧୨ ତାରିଖବେଳକୁ ଉତ୍ତର-ପଶ୍ଚିମ  ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇପାରେ । ଏହା ଘନୀଭୂତ ହୋଇ ଲଘୁଚାପ  ରୂପ ନେବା ସହ ଓଡ଼ିଶା କିମ୍ବା ସଂଲଗ୍ନ ଉପକୂଳ  ଦେଇ ସ୍ଥଳଭାଗକୁ ପ୍ରବେଶ କରିପାରେ । ଏହା  ପ୍ରଭାବରେ ୪ ଦିନ ସାରା ରାଜ୍ୟରେ ବର୍ଷା  ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁସାରେ  ବିସ୍ତୃତ ଭାରି ବର୍ଷାର ସମ୍ଭାବନା କମ୍‌ ।  

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ  ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ୩୫ରୁ  ୩୭ ଡିଗ୍ରୀ ସେଲସିୟସ୍‌ ରହିପାରେ । ୬ରୁ ୯ ତାରିଖ ପର୍ଯନ୍ତ ତାତି ଆଉ ୧ ଡିଗ୍ରୀ ବଢ଼ିବା  ସମ୍ଭାବନା ଅଛି । ତେଣୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ  ରାଜ୍ୟରେ ଗୁଳୁଗୁଳି ଜାରି ରହିବ ।  

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି, ଗୁଳୁଗୁଳି ପ୍ରାୟ ଲାଗି ରହିବ । ୨-୩ ଦିନ ପରେ ତାପମାତ୍ରା ଓ  ଗୁଳୁଗୁଳି ସାମାନ୍ୟ ବଢ଼ିପାରେ । ୭ ଦିନ ପର୍ଯ୍ୟନ୍ତ  ବର୍ଷାର ବିଷେଷ ସମ୍ଭାବନା ନାହିଁ । ସୋମବାର ମାଲକାନଗିରି, କୋରାପୁଟ,  ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,  ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ  ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।୪ ତାରିଖରୁ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ  ଓ ସଂଲଗ୍ନ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ । 

ରାଜ୍ୟରେ ଏବେ ବର୍ଷା ହଜିଯାଇଛି । କାଁ ଭାଁ  ବର୍ଷା ହେଉଛି । ରବିବାର ସକାଳରୁ ସନ୍ଧ୍ୟା ଭିତରେ  ବାରିପଦାରେ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ବାକି ଅଞ୍ଚଳ ପ୍ରାୟତଃ ଶୁଖିଲା ରହିଥିଲା । ଭୁବନେଶ୍ୱର  ସମେତ ଅନେକ ସ୍ଥାନରେ ଟାଏଁ ଟାଏଁ ଖରା ଯୋଗୁ  ଜନଜୀବନ ନାକେଦମ ହୋଇଛନ୍ତି