ଭୁବନେଶ୍ୱର,୨୦/୦୪: ଆସନ୍ତା ୨୪ ତାରିଖ  ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମାଲକାନଗରି, କୋରାପୁଟ, ନବରଙ୍ଗପୁର,  ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ  ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ଆସନ୍ତା ତିନି ଦିନ ପରେ ଉପକୂଳ ଓଡ଼ିଶା  ସମେତ ପଶ୍ଚିମ ଓଡ଼ିଶା ଓ ଅନ୍ୟ ସ୍ଥାନରେ ଦିନ ତାପମାତ୍ରା କ୍ରମଶଃ ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । 

୨୦ ତାରିଖରେ  ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି  କରାଯାଇଛି । ୨୪ ତାରିଖ ଯାଏ ଏସବୁ ଜିଲ୍ଲାକୁ ୟେଲୋ  ୱାର୍ଣ୍ଣିଂ ଦିଆଯାଇଛି । 

ସେପଟେ ପଶ୍ଚିମ ଓଡ଼ିଶାରେ ତାତି  ଉପରମୁହାଁ ହୋଇଚାଲିଛି । ଝାରସୁଗୁଡ଼ାରେ ଶନିବାର  ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ବୌଦ୍ଧ  ଓ ଟିଟିଲାଗଡ଼ରେ ୪୧ ଡିଗ୍ରୀ, ସମ୍ବଲପୁର ୪୦.୮,  ହୀରାକୁଦ ୪୦.୫, ଭବାନୀପାଟଣା ୪୦.୪, ତାଳଚେର  ୪୦.୨, ଟିଟିଲାଗଡ଼ ଓ ସୋନପୁର ୪୦.୩ ଏବଂ  ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।