ଭୁବନେଶ୍ୱର,୦୮/୧୧: ରାଜ୍ୟରେ ବର୍ତ୍ତମାନ ପାଣିପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷାର ସମ୍ଭାବନା ଦେଖାଯାଉନି । ଆସନ୍ତା ୧୩  ତାରିଖ ଯାଏ ଏଭଳି ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ । ବଡ଼ କଥା ହେଲା, ରାଜ୍ୟରେ ଏଯାଏ ଶୀତ ଅନୁଭୂତ  ହୋଇନଥିବା ବେଳେ ସବୁଠି ରାତି  ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଯେଉଁ ଲଘୁଚାପ ସମ୍ଭାବନା ଅଛି, ତାହା  ତାମିଲନାଡ଼ୁ କିମ୍ବା ଶ୍ରୀଲଙ୍କା ଆଡ଼କୁ  ମୁହାଁଇବ । ଅଧିକ ଘନୀଭୂତ  ସମ୍ଭାବନା ଦେଖାଯାଉନି । ଏହାର ଓଡ଼ିଶା ଉପରେ କିଛି ପ୍ରଭାବ  ପଡ଼ିବ ନାହିଁ । ଆସନ୍ତା ଦୁଇ ସପ୍ତାହ  ପର୍ଯ୍ୟନ୍ତ କୌଣସି ଅବପାତ ସମ୍ଭାବନା  କମ୍‌ । ତେଣୁ ରାଜ୍ୟରେ ପାଗରେ କିଛି  ପରିବର୍ତ୍ତନ ହେବନି । 

ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ଅଛି । ଦିନ ତାପମାତ୍ରା ୩୨ ଡିଗ୍ରୀ  ସେଲସିୟସ୍‌ ଉପରେ ରହୁଛି । ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨୦ ଡିଗ୍ରୀ ଉପରେ ରହୁଛି । ଶୀତ ଅନୁଭୂତ ହୋଇନାହିଁ । ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିରେ ୧୬.୫, ନବରଙ୍ଗପୁରରେ ୧୭.୬, ଫୁଲବାଣୀରେ ୧୮, କୋରାପୁଟରେ ୧୮.୫, ଭବାନୀପାଟଣାରେ  ୧୯.୪, ରାଉରକେଲାରେ ୧୯.୩, ଅନୁଗୁଳରେ ୧୯, ହୀରାକୁଦରେ ୧୯, କେନ୍ଦୁଝରରେ ୧୯ ଡିଗ୍ରୀ ଥିଲା । କୌଣସି ସ୍ଥାନରେ ପାରଦ ୧୫  ଡିଗ୍ରୀ ତଳକୁ ଖସିନାହିଁ। ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨ରୁ  ୩ ଡିଗ୍ରୀ ଅଧିକ ଥିବାବେଳେ ପଶ୍ଚିମରେ ବି ଦେଢ଼ରୁ ୩ ଡିଗ୍ରୀ ଓ  ଦକ୍ଷିଣରେ ୨ରୁ ୩ ଡିଗ୍ରୀ ଏବଂ ଉତ୍ତରରେ ୨ରୁ ୩ ଡିଗ୍ରୀ ଅଧିକ ଅଛି ।