ଭୁବନେଶ୍ୱର, ୨୯/୦୬: ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ପଶ୍ଚିମ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ରବିବାର ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଲଘୁଚାପ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରବିବାର ମୟୂରଭଞ୍ଜରେ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର ଓ ଭଦ୍ରକରେ ଅଧିକ ବର୍ଷା ହୋଇପାରେ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।
୩୦ ତାରିଖ(ସୋମବାର) ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅତିପ୍ରବଳ ବର୍ଷା ହୋଇପାରେ । ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧ ତାରିଖରେ ନୟାଗଡ଼, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ନବରଙ୍ଗପୁର, ରାୟଗଡ଼ା, କୋରାପୁଟ,କଟକ, ବୌଦ୍ଧ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଅଧିକ ବର୍ଷା ସମ୍ଭାବନା ଅଛି ।
୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗିରରେ ଅଧିକ ବର୍ଷା ହୋଇପାରେ । ୩ ତାରିଖରେ ଝାରସୁଗୁଡ଼ା, ବରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ଅଛି । ୪ରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ଶନିବାର ସକାଳୁ ସନ୍ଧ୍ୟା ଭିତରେ ପ୍ରବଳ ବର୍ଷା ହୋଇଛି । ୨୪ ଘଣ୍ଟାରେ ୧୦୪ ମିମି ବର୍ଷା ରେକର୍ଡ ହୋଇଛି । ବଲାଙ୍ଗିରରେ ୪୦, କଟକରେ ୨୨.୨, ଅନୁଗୁଳରେ ୨୧, ତାଳଚେରରେ ୧୯.୮, ବାଲେଶ୍ୱରରେ ୧୮.୪, ସମ୍ବଲପୁରରେ ୧୩.୭, ଭଦ୍ରକରେ ୧୧, ଜଗତସିଂହପୁରରେ ୮.୨, ଖୋର୍ଦ୍ଧାରେ ୭ ଓ ବରଗଡ଼ରେ ୬.୨ ମିମି ବର୍ଷା ହୋଇଛି ।