ପ୍ରବଳ ଥଣ୍ଡାରେ ଥରୁଛି କନ୍ଧମାଳ, ଫୁଲବାଣୀ ସହର ସମେତ ବିଭିନ୍ନ ଜାଗାରେ ତୁଷାରପାତ

ଫୁଲବାଣୀ,୦୬/୦୨: କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି । କିଛି ଦିନର ବ୍ୟବଦାନ ପରେ ଶୀତ ଲେଉଟିଛି । ପୁଣି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଜିଲ୍ଲାର ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ସମେତ ବିଭିନ୍ନ ଜାଗାରେ ତୁଷାରପାତ ହୋଇଥିବା ଖବର ମିଳିଛି । ରବିବାର ଫୁଲବାଣୀ ସହରର ବସ୍ଷ୍ଟାଣ୍ଡ ନିକଟ, ଢିପାସାହି ଏବଂ ପଟାବାଲି ସାହିରେ ତୁଷାର ଖଣ୍ଡ ପଡ଼ିଥିବା ଦେଖାଯାଇଛି । ସେହିଭଳି ଦାରିଙ୍ଗବାଡ଼ି, ବେଲଘର ଏବଂ କୋଟଗଡ଼ର ବିଭିନ୍ନ ପାହାଡ଼ିଆ ସ୍ଥାନରେ ମଧ୍ୟ ତୁଷାରପାତ ହୋଇଛି ।
ସୂଚନା ଅନୁସାରେ, ଶନିବାର ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ, ଜି.ଉଦୟଗିରିରେ ୩ ଏବଂ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ସେଲସିୟସ ରହିଥିଲା । ରବିବାର ଫୁଲବାଣୀ ତାପମାତ୍ରା ସାମାନ୍ୟ ବଢି ଫୁଲବାଣୀରେ ୬ ଡିଗ୍ରୀରେ ପହଞ୍ଚିଛି । ଆକାଶ ମେଘମୁକ୍ତ ରହିଥିବାରୁ ଶୀତ ପ୍ରଭାବ ଅଧିକ ରହୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏଭଳି ଶୀତ ଆହୁରି କିଛି ଦିନ ଲାଗି ରହିବ ବୋଲି ଅନୁମାନ କରାଯାଉଛି ।