ଭୁବନେଶ୍ୱର,୩୧/୦୮: ରବିବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରବିବାରଠାରୁ ବର୍ଷା ପୁଣି କ୍ରମଶଃ ବଢ଼ିବ । ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବା ସମ୍ଭାବନା ଅଛି । ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ନବରଙ୍ଗପୁରରେ ପ୍ରବଳ ବର୍ଷା ଓ କେତେକ ଜିଲ୍ଲାରେ ଘଡ଼ଘଡ଼ି, ପବନ ଏବଂ ବର୍ଷା ଆଶଙ୍କା ରହିଛି । ଏଭଳି ପାଗ ପରବର୍ତ୍ତୀ ଦୁଇଦିନ ମଧ୍ୟ ରହିବ ।
ଶନିବାର ପାରାଦୀପ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ସନ୍ଧ୍ୟା ସାଢ଼େ ୫ଟା ଭିତରେ ପାରାଦୀପରେ ୩୦ ମିଲିମିଟର, ରାଜଧାନୀରେ ୨୨.୧ ମିମି ବର୍ଷା ରେକର୍ଡ ହୋଇଥିଲା । ସନ୍ଧ୍ୟାରେ ବି ଝିପିଝିପି ବର୍ଷା ଲାଗି ରହିଥିଲା । ଅନ୍ୟପଟେ ଶନିବାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢ଼ିଛି । କୋରାପୁଟରେ ୩୫.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିବାବେଳେ ଟିଟିଲାଗଡ଼ରେ ୩୫, ସମ୍ବଲପୁରରେ ୩୫, ଭବାନୀପାଟଣାରେ ୩୪.୫, ବୌଦ୍ଧରେ ୩୪, ପୁରୀରେ ୩୪ ଡିଗ୍ରୀ ଥିଲା । ଅନେକ ସ୍ଥାନରେ ପାରଦ ୩୩ ଡିଗ୍ରୀ ଟପିଥିଲା । ଗରମ ବି ସାମାନ୍ୟ ଅନୁଭୂତ ହେଉଥିଲା ।