PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଡିପ୍ରେସନ୍‌ ରୂପ ନେବ ଲଘୁଚାପ: ଆଉ ଦୁଇ ଦିନ ଅତି ପ୍ରବଳ ବର୍ଷା, ଆଜି ୪ ଜିଲ୍ଲାରେ ନିର୍ଧୁମ ବର୍ଷିବ

ଭୁବନେଶ୍ୱର,୦୯/୦୮: ଆଉ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ମଙ୍ଗଳବାର ୪ ଜିଲ୍ଲାରେ ଭୀଷଣ ବର୍ଷା ହେବ । ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ଢାଳିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ବିଭାଗର ପୂର୍ବାନୁମାନ କହୁଛି, ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଗକୁ ବି ଅଧିକ ବର୍ଷିବ । ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ସମୁଦ୍ରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଡିପ୍ରେସନ୍‌ ବା ଅବପାତ ରୂପ ନେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା-ଛତିଶଗଡ଼ ମଧ୍ୟ ଆଡକୁ ମୁହାଁଇବ । ଲଘୁଚାପ ଅଧିକ ବଳୁଆ ହେଉଥିବାରୁ ମୌସୁମୀ ସକ୍ରିୟ ହୋଇ ରହିଛି । ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇପାରେ ।

୧୦ ତାରିଖରେ ବି ଭୀଷଣ ବର୍ଷା ଆଶଙ୍କା ରହୁଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

୧୧ ଓ ୧୨ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ଦୁଇ ଦିନ ଭାରି ବର୍ଷା ଜାରି ରହିବ । ୧୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୨ରେ ବି କିଛି ଜିଲ୍ଲାରେ ଅଧିକ ବର୍ଷା ଆଶଙ୍କା ରହିଛି ।
ସୋମବାର ରାଜ୍ୟରେ ମୋଟ ୨୯.୪ ମିଲିମିଟର ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ୧୩.୨ ମିମି ତୁଳନାରେ ଏହା ୧୨୩% ଅଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଡାବୁଗାଁରେ ସର୍ବାଧିକ ୨୨୫ ମିମି ବର୍ଷା ହୋଇଛି ।

କୋରାପୁଟ କୋଟପାଡ଼ରେ ୧୯୪, ନବରଙ୍ଗପୁର ପାପଡ଼ାହାଣ୍ଡିରେ ୧୯୦, କୋରାପୁଟ ପଟାଙ୍ଗିରେ ୧୪୯, ନବରଙ୍ଗପୁର କୋଷାଗୁମୁଡାରେ ୧୪୫, କଳାହାଣ୍ଡି ଜୁନାଗଡରେ ୧୪୪, ନବରଙ୍ଗପୁର ସହରରେ ୧୩୭, ମାଲକାନଗିରି ମାଥିଲିରେ ୧୩୧, ଗଞ୍ଜାମ ଆସ୍କାରେ ୧୧୪, କଳାହାଣ୍ଡି କଲମପୁରରେ ୧୧୦ ଓ ମାଲକାନଗିରିରେ ୧୦୩ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ମିଳିଛି । ରାଜଧାନୀରେ ମଝିରେ ମଝିରେ ଜୋର୍‌ରେ ବର୍ଷା ହେଉଥିଲେ ବି ମୋଟ ବର୍ଷା ପରିମାଣ ମାତ୍ର ୬.୬ମିମି ରହିଛି ।