ଭୁବନେଶ୍ୱର,୨୪/୦୪: ଆସନ୍ତା ୨୬ ତାରିଖ ଯାଏ ଆକାଶରୁ ଅଗ୍ନିବର୍ଷା ଜାରି ରହିବ । ଡହଡହ ଖରା ଓ ପ୍ରଚଣ୍ଡ  ତାତି ସମସ୍ତଙ୍କୁ କଲବଲ କରିବ । ଗୁରୁବାର ସାଂଘାତିକ ରୂପ ନେଇପାରେ ଗ୍ରୀଷ୍ମ ପ୍ରକୋପ । ଝାରସୁଗୁଡ଼ାରେ ତାତି ପୁଣି ୪୬ ଡିଗ୍ରୀ ଛୁଇଁପାରେ । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହୋଇପାରନ୍ତି ଝାରସୁଗୁଡ଼ାବାସୀ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୪ ଡିଗ୍ରୀ  ପାଖାପାଖି ରହିବା ଆଶଙ୍କା ଅଛି । ଉପକୂଳ ଓ ଦକ୍ଷିଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗୁଳୁଗୁଳି ନୟାନ୍ତ  କରିପାରେ । 

ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।  ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର  ଝାରସୁଗୁଡ଼ାରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ରହିଛି । ବୁଧବାର ୪୫.୪ ଡିଗ୍ରୀ ତାତି ଥିଲା ଝାରସୁଗୁଡ଼ାରେ ।  ଗତକାଲି ଏଠି ୪୬ ଟପିଥିଲା ପାରଦ । ଗତ କିଛିଦିନ ହେବ  ଝାରସୁଗୁଡ଼ା ଯେମିତି ତତଲା ପିଣ୍ଡ ପାଲଟିଯାଇଛି ଦେଶରେ ।   

ଗୁରୁବାର ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର,  ବୌଦ୍ଧ, ବଲାଙ୍ଗୀର ଓ ବରଗଡ଼ରେ ଗ୍ରୀଷ୍ମପ୍ରବାହ ଆଶଙ୍କା ଅଛି ।  ସମ୍ବଲପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ରାତିବେଳା ବି  ଗରମରୁ ନିସ୍ତାର ମିଳିବା ଆଶା କମ୍‌ । ସେହିପରି କଳାହାଣ୍ଡି,  ନୂଆପଡ଼ା, ଦେବଗଡ଼ ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ  ଓ ଗୁଳଗୁଳି ଲୋକଙ୍କୁ ନାକେଦମ କରିପାରେ । ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ  ଢେଙ୍କାନାଳରେ ଏଭଳି ସ୍ଥିତି ରହିବ ବୋଲି ସତର୍କ କରାଯାଇଛି ।   

ଆସନ୍ତା ୨୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ,  ନୂଆପଡ଼ା, କଳାହାଣ୍ଡି, ଅନୁଗୁଳ ଓ ଦେବଗଡ଼ରେ  ଗ୍ରୀଷ୍ମପ୍ରବାହ ସ୍ଥିତି ଆଶଙ୍କା ଅଛି । ଉପକୂଳ ଓଡ଼ିଶା  ସମେତ ଗଞ୍ଜାମ, ଗଜପତି, କେନ୍ଦୁଝର ଓ ଢେଙ୍କାନାଳରେ  ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।  

୨୬ ତାରିଖରେ ବରଗଡ଼, ସମ୍ବଲପୁର, ସୋନପୁର,  ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ାରେ ପ୍ରଚଣ୍ଡ ତାତି  ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ  ଓ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ଆକଳନ କରିଛି ।  ୨୭ ତାରିଖରୁ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି  ସହିତ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା  ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା  ହୋଇପାରେ। ମୟୂରଭଞ୍ଜ ଓ କେନ୍ଦୁଝର ସମେତ ଉପକୂଳ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦  କିମି ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା  ଅଛି । ୨୭ରୁ ବର୍ଷା ହେଲେ ହିଁ ତାତିରୁ ତ୍ରାହି ମିଳିବ ।   

ଧବାର ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସମ୍ବଲପୁର  ଓ ବୌଦ୍ଧରେ ୪୩.୮, ବଲାଙ୍ଗୀରରେ ୪୩.୭,  ସୁନ୍ଦରଗଡ଼ ଓ ହୀରାକୁଦରେ ୪୩.୪, ସୋନପୁରରେ  ୪୩.୨, ରାଉରକେଲାରେ ୪୨.୪, ବରଗଡ଼ରେ  ୪୨.୨, ନୂଆପଡ଼ାରେ ୪୨, ପାରଳାଖେମୁଣ୍ଡିରେ  ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।