ଭୁବନେଶ୍ୱର,୧୦/୦୬: ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସ୍ୱାଭାବିକ ଠାରୁ ପାଖାପାଖି ୬ ଡିଗ୍ରୀ ଅଧିକ ତାତି ରେକର୍ଡ ହୋଇଛି । ୧୬ଟି ସହରର ତାତି ୪୨ଡିଗ୍ରୀ ଡେଇଁଛି । ଆଗକୁ ଅସମ୍ଭାଳ ତାତି ଓ ପ୍ରବଳ ଗୁଳୁଗୁଳି ହେବ । ନିଆଁ ଭଳି ବର୍ଷା ଓ ତତଲା ଝାଞ୍ଜି ମାଡ଼ କଲବଲ କରିବ । ୧୭ ଓ ୧୮ ବେଳକୁ କିଛି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ଡେଇଁପାରେ । ପାଣିପାଗ ବିଶେଷଜ୍ଞ ଏଭଳି ସତର୍କ କରାଇଛନ୍ତି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ଦକ୍ଷିଣ ବାଂଲାଦେଶ ନିକଟସ୍ଥ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା ୨୪ ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଗୁଣ୍ଡିଚା ପରେ ରାଜ୍ୟରେ ମୌସୁମୀ ପହଞ୍ଚିପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ସେବେଯାଏ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବ । ସେହିଭଳି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୪ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୩ରୁ ୪୬ ଡିଗ୍ରୀ ରହିବ । ୧୭ରୁ ୨୦ ଭିତରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପହଞ୍ଚିବ । ତେବେ ୧୪ରୁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଶୁକ୍ରବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୫.୬ ଡିଗ୍ରୀ ରହିଥିଲା । ସମ୍ବଲପୁରରେ ୪୫.୨, ସୋନପୁରରେ ୪୪.୮, ହୀରାକୁଦରେ ୪୪.୭, ବୌଦ୍ଧରେ ୪୪.୬, ବଲାଙ୍ଗୀରରେ ୪୪, ସୁନ୍ଦରଗଡ଼ରେ ୪୩.୮, ରାଉରକେଲା ଓ ଭବାନୀପାଟଣାରେ ୪୩.୬, ଟିଟିଲାଗଡ଼ରେ ୪୩. ୫, ତାଳଚେରରେ ୪୩.୨, ଅନୁଗୁଳରେ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
wp:embed {"url":"https://www.prameya.com/el-nino-will-break-global-warming-records-in-world/","type":"wp-embed","providerNameSlug":"prameya"}