ଭୁବନେଶ୍ୱର,୧୯/୦୬: ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି ।  କିଛି ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ପୂର୍ବାନୁମାନ ହେଲା, ଗୁରୁବାର ରାଜ୍ୟର ଅଧିକାଂଶ  ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୯ଟି  ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।  ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ  ଅବସ୍ଥାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ  ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଅଛି ।  ଏହା ଉତ୍ତର-ପଶ୍ଚିମ ଦିଗରେ  ମୁହାଁଇ ଝାଡ଼ଖଣ୍ଡ ଆଡ଼କୁ ପଳାଇବ ।  

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା  ହେଲା, ଗୁରୁବାର ରାଜ୍ୟର ଅଧିକାଂଶ  ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବରଗଡ଼, ସୋନପୁର, ଦେବଗଡ଼,  ଅନୁଗୁଳ, ମୟୂରଭଞ୍ଜରେ ପ୍ରବଳ  ବର୍ଷା ହେବ ।୨୦ ତାରିଖ (ଶୁକ୍ରବାର) ଠାରୁ ବର୍ଷା ପ୍ରକୋପ ସାମାନ୍ୟ କମିବ ।  ତଥାପି ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ।  ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳ  ବର୍ଷା ହୋଇପାରେ । ୨୧ ତାରିଖ  (ଶନିବାର) ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା  ନେଇ ସତର୍କ ସୂଚନା ଜାରି ହୋଇଛି ।  

୨୨ ତାରିଖ (ରବିବାର) ଅଳ୍ପ କିଛି  ସ୍ଥାନରେ ବର୍ଷା ସହ ମୟୂରଭଞ୍ଜ, କେନ୍ଦୁଝରର ଗୋଟିଏ ଦୁଇଟି ଜାଗାରେ  ପ୍ରବଳ ବର୍ଷା ହୋଇପାରେ । ୨୩  ତାରିଖ (ସୋମବାର) କାଁ ଭାଁ ବର୍ଷା  ହେବ । ବଡ଼ ବର୍ଷା ନାହିଁ । ୨୪  ତାରିଖ (ମଙ୍ଗଳବାର) ଅଳ୍ପ କିଛି  ସ୍ଥାନରେ ବର୍ଷା ଏବଂ ଉତ୍ତର ଓଡ଼ିଶାର  କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର  ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । 

ଗତ ୨୪ ଘଣ୍ଟା ଭିତରେ  (ସକାଳ ୮ଟା ୩୦ ସୁଦ୍ଧା) ଯୋଡ଼ାରେ  ସର୍ବାଧିକ ୧୩୦ ମିଲିମିଟର, ତିରିଂରେ  ୧୨୦ ମିମି, ବାଂଶପାଳରେ ୧୦୦ ମିମି,  ଟେନସାରେ ୯୦, ବଣାଇଗଡ଼ରେ  ୮୦, ନାକଟିଦେଉଳ, ତେଲକୋଇ,  ରରୁଆଁରେ ୭୦, ଝୁମ୍ପୁରା, ଆଳିପିଙ୍ଗଳ,  ପାନପୋଷ, ରାଉରକେଲାରେ ୬୦  ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଛି ।  

ବୁଧବାର ସକାଳ ୮ଟା ୩୦ରୁ ଅପରାହ୍ନ  ୫ଟା ୩୦ ଭିତରେ ରାଉରକେଲାରେ  ୨୭.୮ ମିମି, ସୁନ୍ଦରଗଡ଼ରେ ୨୬,  ବାଲେଶ୍ୱରରେ ୧୧.୬, ହୀରାକୁଦ  ୧୩.୨, ତାଳଚେରରେ ୧୨.୬ ମିମି  ବର୍ଷା ହୋଇଛି । ଏହାବାଦ୍‌ କିଛି  ସ୍ଥାନରେ ହାଲୁକା ବର୍ଷା ହୋଇଛି ।