ଭୁବନେଶ୍ୱର,୨୬/୧୨: ଲଗାତାର ଅଦିନିଆ ବର୍ଷାରେ ଓଡ଼ିଶା ବେହାଲ୍‌। ଉପକୂଳରୁ ଆଭ୍ୟନ୍ତରୀଣ  ଓଡ଼ିଶା ଯାଏଁ ସବୁଠି ଲାଗି ରହିଛି ବର୍ଷା। ପାଣିପାଗ  ପୂରା ବିଗିଡ଼ିଯାଇଛି । ଫସଲ ପାଣିରେ ବତରୁ ବରବାଦ୍‌ । କାଲୁଆ ପବନକୁ ଲଗାଣ ବର୍ଷାରେ ଜନଜୀବନ ବେହାଲ୍‌ । 

ପାଣିପାଗ ପୂର୍ବାନୁମାନ ହେଲା-ଗୁରୁବାରଠାରୁ ରାଜ୍ୟରେ ପାଗ ଫିଟିବ । ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ବାକି ଅଞ୍ଚଳ ଶୁଖିଲା ରହିବ । କିନ୍ତୁ,ସମ୍ଭାବ୍ୟ ପଶ୍ଚିମା ବାୟୁ ପ୍ରଭାବକୁ ନେଇ  ଆଉ ଏକ ପୂର୍ବାନୁମାନ ଡରାଇଲାଣି । ବିଶିଷ୍ଟ ପାଣିପାଗ  ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ  କହିବାନୁସାରେ ପଶ୍ଚିମା ବାୟୁ ପ୍ରଭାବରେ ଓଡ଼ିଶାରେ ପୁଣି ୨୭ ତାରିଖବେଳକୁ ବର୍ଷା ସମ୍ଭାବନା ରହିଛି । 

୨୭  ତାରିଖ ସନ୍ଧ୍ୟା ପରେ କିମ୍ବା ୨୮ ତାରିଖରେ ଉତ୍ତର ଓ  ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ  ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଏପରିକି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ଏସବୁ ଅଞ୍ଚଳରେ ପାଗ ମେଘୁଆ ରହିବ । ଉପକୂଳ ସମେତ ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ଅନେକ ସ୍ଥାନରେ  ପାଗ ମେଘୁଆ ରହିପାରେ । ବର୍ତ୍ତମାନ ଲାଗି ରହିଥିବା ବର୍ଷା ଗୁରୁବାର  କମିଯିବ । ଗୁରୁବାର ମଧ୍ୟାହ୍ନରୁ ପାଗ ଫିଟିବ । ମଝିରେ ମଝିରେ ଖରା ବି ଆସିପାରେ । 

ପାଣିପାଗ ବିଭାଗ କହିଛି, ଗୁରୁବାର ନବରଙ୍ଗପୁର, କଳାହାଣ୍ଡି,  କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାର ସ୍ଥାନେ ସ୍ଥାନେ  ହାଲୁକା ବର୍ଷା ସମ୍ଭାବନା ଅଛି । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଶୁକ୍ରବାରଠାରୁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ଭୁବନେଶ୍ୱରସ୍ଥିତ ପାଣିପାଗ  କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ରାଜ୍ୟରେ କୁହୁଡ଼ି ବଢ଼ିବ। ଗୁରୁବାର ସକାଳେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ,  କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର, ସୋନପୁରରେ ଘନ କୁହୁଡ଼ି ହୋଇପାରେ । ଗୁରୁବାର ରାତିରୁ ଶୁକ୍ରବାର ସକାଳ ଯାଏଁ ସୋନପୁର,  ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଘନ କୁହୁଡ଼ି ଘେରିବ । ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା,  ବରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟମ ଧରଣର କୁହୁଡ଼ି  ନେଇ ସତର୍କ ସୂଚନା ଜାରି ହୋଇଛି ।  

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗୁରୁବାରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ଯେଉଁ  ସମ୍ଭାବ୍ୟ ଘୂର୍ଣ୍ଣିବଳୟ ହେବ, ତାହା ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡ଼ୁକୁ  ମୁହାଁଇପାରେ । ରାଜ୍ୟରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ନୂଆବର୍ଷ (ଜାନୁଆରୀ ୧) ରାଜ୍ୟରେ ପାଗ ଶୁଖିଲା ରହିବ । ୩୧ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାଗ ଆଂଶିକ ମେଘୁଆ ରହିପାରେ। ବର୍ଷା କମିବା ପରେ ବର୍ତ୍ତମାନ ରାତି ତାପମାତ୍ରା  କମିବ । ଗୁରୁବାର ରାତିରୁ ୩ ଦିନ ଭିତରେ ବିଭିନ୍ନ ସ୍ଥାନରେ ରାତି  ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ଏହାଫଳରେ ଶୀତ ପ୍ରକୋପ  ବଢ଼ିବ । ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼,  ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ାରେ ଥଣ୍ଡା ବଢ଼ିପାରେ । 

ବୁଧବାର ଦିନ ଭିତରେ ଭବାନୀପାଟଣାରେ ୬୦.୪ ମିଲିମିଟର, ଖୋର୍ଦ୍ଧାରେ ୨୪ ମିମି, କଟକରେ ୨୦.୬, ଭବାନୀପାଟଣାରେ ୧୮.୮, ନୟାଗଡ଼ରେ ୧୬ ମିମି ବର୍ଷା ହୋଇଥିବାବେଳେ ସବୁଠି ବର୍ଷା ହୋଇଛି । ମଙ୍ଗଳବାର ସକାଳରୁ ବୁଧବାର ସକାଳ ଭିତରେ ଖୋର୍ଦ୍ଧାର ଟାଙ୍ଗୀରେ ୭୪ ମିମି, କଳାହାଣ୍ଡିର କୋକସରାରେ ୬୫ ମିମି, ଡାବୁଗାଁରେ ୬୨, କୋଶଗୁମୁଡ଼ାରେ ୫୮, ଜୁନାଗଡ଼ରେ ୫୩, ଭବାନୀପାଟଣାରେ ୪୬, ଝରିଗାଁରେ ୪୬, ଗଞ୍ଜାମର ପାତ୍ରପୁରରେ ୪୧, ଜଗତସିଂହପୁରର ନୂଆଗାଁରେ ୪୧ ମିମି ବର୍ଷା ହୋଇଛି ।