ଭୁବନେଶ୍ୱର,୧୧/୧୧: ଦିନକ ପରେ ପଞ୍ଚୁକ । ପଞ୍ଚୁକ ଆସିଲେ ସକାଳୁ ଉଠି ଗାଧୋଇବା ଆଦି କାର୍ଯ୍ୟ କଲାବେଳକୁ  ପ୍ରବଳ ଶୀତ ଲାଗେ । ହେଲେ ଏବେ ବ୍ୟତିକ୍ରମ ଦେଖିବାକୁ  ମିଳିଛି । ହଜିଛି ଶୀତ । ପଞ୍ଚୁକ ଆସିଲା, ଆସିଲାନି ଶୀତ ।  ରବିବାର ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୨  ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଛି । ପାରଳାଖେମୁଣ୍ଡିର  ସର୍ବୋଚ୍ଚ ତାପମାତ୍ରା ୩୫ଂ ଛୁଇଛି । 

ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ  ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠୁ ଅଧିକ  ତାପମାତ୍ରା ରହିବ । କେବଳ ଉତ୍ତର ଓଡ଼ିଶାରେ ସ୍ୱାଭାବିକ  ରହିବ । ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୪  ଡିଗ୍ରୀ ସେଲସିୟସ୍‌ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।   

ସେହିପରି ସୋଆ ଜଳବାୟୁ ଓ ପାଣିପାଗ ବିଜ୍ଞାନ କେନ୍ଦ୍ର  ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ଓଡ଼ିଶାର  ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ କମ ରହିଛି । ପୂର୍ବ  ଦିଗରୁ ସ୍ଥଳ ଭାଗ ଆଡ଼କୁ ବୋହୁଥିବା ପବନର ବେଗ କମ  ରହିଛି । ତେଣୁ ଶୀତ କମିଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ ଏମିତି ପାଗ ରହିବ । ସୋମବାର ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା  ରହିଛି । କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା  ହୋଇପାରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।