ଭୁବନେଶ୍ୱର,୧୨/୦୬: ଲମ୍ବା ବିରତି ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲେଉଟିଛି । ଆସନ୍ତା ଦୁଇଦିନ ଭିତରେ ମୌସୁମୀ  ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ । ଏପଟେ ରାଜ୍ୟରେ ତାତି ସାମାନ୍ୟ କମିଛି । ବର୍ଷା ବି  ହୋଇଛି କିଛି ସ୍ଥାନରେ । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ୨ରୁ  ୪ ଡିଗ୍ରୀ ସେଲସିୟସ୍‌ କମିପାରେ । ନିୟମିତ  ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ  କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।  

ବୁଧବାର ଅପରାହ୍ନ ସାଢ଼େ ୫ଟା ଭିତରେ ଭୁବନେଶ୍ୱର, ପାରାଦୀପ, କଟକ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଚାନ୍ଦବାଲି, ରାୟଗଡ଼ା, ପାରଳାଖେମୁଣ୍ଡି, ନୟାଗଡ଼, କେନ୍ଦୁଝରରେ  ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । ବର୍ତ୍ତମାନ  ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର  ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ଅଛି ।   

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ  ହେଲା, ଗୁରୁବାର ଉପକୂଳ  ଓଡ଼ିଶାର ଅନେକ ସ୍ଥାନ ସହ ରାୟଗଡ଼ା,  ମାଲକାନଗିରି, କୋରାପୁଟ, ଢେଙ୍କାନାଳର ଅଳ୍ପ  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।  ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୪୦  କିମି ବେଗରେ ପବନ ହୋଇପାରେ । ୨୫  ଜିଲ୍ଲାରେ ଘଡ଼ଘଡ଼ି ଏବଂ ପବନ ଆଶଙ୍କା ଅଛି।୧୩ରୁ ୧୭ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା  ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।  

ବୁଧବାର ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା  ୩୮ ଡିଗ୍ରୀ ସେଲସିୟସ୍‌, ସମ୍ବଲପୁର ୩୭.୬,  ବଲାଙ୍ଗୀର ୩୬.୮, ହୀରାକୁଦ ୩୬.୩ ଡିଗ୍ରୀ  ଥିଲା । କୋରାପୁଟ ସୁନ୍ଦରଗଡ଼, ରାଉରକେଲା,  ବରଗଡ଼ରେ ତାପମାତ୍ରା ୩୬ ଡିଗ୍ରୀ ଥିଲା ।  ଉପକୂଳ ଓଡ଼ିଶା ୩୫ ଡିଗ୍ରୀ ତଳେ ଥିଲା। ଚାନ୍ଦବାଲି ୩୪.୬, ପାରାଦୀପରେ ୩୪.୩,  ଭୁବନେଶ୍ୱର ୩୩.୪, କଟକ ୩୩.୨ ଓ ବାଲେଶ୍ୱର  ୩୩.୨ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାରେ ଏବେ  ବି ଗୁଳୁଗୁଳି ପ୍ରକୋପ ବିଶେଷ କମିନାହିଁ ।