ଭୁବନେଶ୍ୱର,୨୦/୧୨: ପାଗ କୋହଲା ଓ ମେଘୁଆ ରହିବ। କିଛି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଏମିତି ରହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବଡ଼ ବର୍ଷା ସମ୍ଭାବନା କମ୍‌ ରହିଛି । ମାତ୍ର ଯେତିକି  ବି ବର୍ଷା ହେବ, ତାହାକୁ ନେଇ ଚାଷୀ ମନରେ ଆଶଙ୍କା  ବଢ଼ିଛି । ଉପକୂଳ ଓଡ଼ିଶା କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଦି ଅଞ୍ଚଳରେ  ବର୍ତ୍ତମାନ ଧାନ ଅମଳ ସମୟ ।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିଥିଲେ କିଛି ଅସୁବିଧା ନାହିଁ । ସେହିଭଳି ପବନ  କିମ୍ବା ବଡ଼ ବର୍ଷା ସମ୍ଭାବନା ନଥିବାରୁ ବିଲରେ ଧାନ ଛିଡ଼ା ହୋଇଥିଲେ, କିଛି ସମସ୍ୟା ହେବନି । ମାତ୍ର  ଯେଉଁମାନେ ଧାନ କାଟି କରି ବିଲରେ ରଖିଛନ୍ତି, ସେମାନେ ତୁରନ୍ତ ଏହାକୁ ନିରାପଦ ସ୍ଥାନକୁ ନେଇ  ଯାଆନ୍ତୁ । ମୁଗ, ବିରି ଆଦି ଫସଲ ପାଇଁ ଏହି ବର୍ଷା ଲାଭ ଦେବ । ମାତ୍ର ଲଗାତାର ୪ ଦିନ କୋହଲା  ଓ ମେଘୁଆ ପାଗ ରହୁଥିବାରୁ ପନିପରିବା ପାଇଁ  ରୋଗ ପୋକ ଆଶଙ୍କା ରହିଛି । କୋବି, ସିମ୍ବ, ବିନ  ଆଦି ପନିପରିବାକୁ ପାଉଁଶିଆ ପୋଗ ଲାଗିପାରେ ।  ଏଥିପ୍ରତି ସତର୍କତା ପଦକ୍ଷେପ ନେବା ଆବଶ୍ୟକ । 

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ  ଗୁରୁବାର ରାଜ୍ୟରେ ପାଗ କୋହଲା ଥିଲା । ଶୁକ୍ରବାର  (୨୦ ତାରିଖ) ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା,  ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,  ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା  ହୋଇପାରେ । ଉପକୂଳର ଅଳ୍ପ କେତେକ ସ୍ଥାନରେ  ବି ବର୍ଷା ସମ୍ଭାବନା ଅଛି । 

ଶନିବାର (୨୧ ତାରିଖ)  ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ,  ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକର  ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା  ରହିବ । ୨୨ ତାରିଖ (ରବିବାର)ଠାରୁ ରାଜ୍ୟରେ  ପାଗ ବଦଳିବ । ଆଉ ବର୍ଷା ସମ୍ଭାବନା ନାହିଁ । ମାତ୍ର  ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ  ବଢ଼ିବ । ୩ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା  ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ । 

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା  ଲଘୁଚାପ ଉତ୍ତର ତାମିଲନାଡ଼ୁ ଏବଂ ଦକ୍ଷିଣ ଆନ୍ଧ୍ର  ଉପକୂଳ ଆଡ଼କୁ ମୁହାଁଇଛି । ପରେ ଶୁକ୍ରବାରଠାରୁ  ଉତ୍ତର ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡ଼କୁ  ମୁହାଁଇପାରେ । ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା  ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା  ପାଇଁ ମନା କରାଯାଇଛି ।  

ରାଜ୍ୟରେ ବର୍ତ୍ତମାନ କୋହଲା ପାଗ ଯୋଗୁ ଦିନ ତାପମାତ୍ରା କମିଛି । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା  ୨୬ରୁ ୨୮ ଡିଗ୍ରୀ ସେଲସିୟସ୍‌ ପାଖାପାଖି ଥିଲା । ରାତି ତାପମାତ୍ରା ସାମାନ୍ୟ ବଢ଼ିଥିବାରୁ ଶୀତ ପ୍ରକୋପ  କମିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮.୪  ଡିଗ୍ରୀ ସେଲସିୟସ୍‌ ଥିଲା ବୁଧବାର ରାତିରେ, ଯାହାକି  ରାଜ୍ୟରେ ସବୁଠାରୁ କମ୍‌ । ଝାରସୁଗୁଡ଼ା ସର୍ବନିମ୍ନ  ତାପମାତ୍ରା ୧୦.୪, ସୁନ୍ଦରଗଡ଼ ୧୦.୫, ଫୁଲବାଣୀ  ୧୨.୫, ଦାରିଙ୍ଗିବାଡ଼ି ୧୩.୫, କେନ୍ଦୁଝର ୧୩.୮,  ନବରଙ୍ଗପୁର ୧୪, ବାରିପଦା ୧୪, ନୂଆପଡ଼ା ୧୪.୪, ସମ୍ବଲପୁର ୧୪.୫, ଅନୁଗୁଳ ୧୫ ଡିଗ୍ରୀ ସେଲସିୟସ୍‌  ରେକର୍ଡ ହୋଇଛି ।