ବରେଲି,୨୭/୦୨: ଉତ୍ତର ପ୍ରଦେଶର ବରେଲିରେ  ଏକ ଅଭାବନୀୟ କାଣ୍ଡ ଘଟିଛି । ମଦ ନିଶାରେ ଚୂର୍‌ ଜଣେ ବର ବାଉଳାରେ କନ୍ୟାର ଘନିଷ୍ଠ ବାନ୍ଧବୀଙ୍କୁ ବରଣମାଳା ପିନ୍ଧାଇ  ହଟହଟା ହୋଇଛି । ବାହାଘର ତ ଭାଙ୍ଗିଛି । ମାମଲା ବି ଦାୟର ହୋଇଛି । ବରେଲିର ଭଗୱନ୍ତପୁର ଗ୍ରାମରେ ଏହି ଘଟଣା ଘଟିଛି । 

ଖବର ମୁତାବକ, ବର ରବୀନ୍ଦ୍ର କୁମାର (୨୬) ବରଯାତ୍ରୀଙ୍କୁ ଧରି ବିଳମ୍ବରେ ପହଞ୍ଚିଥିଲା । କିନ୍ତୁ ବିଳମ୍ବରେ ପହଞ୍ଚିବା ନେଇ ବିଚଳିତ ନ ହୋଇ ସେ ନିଜ ବନ୍ଧୁମାନଙ୍କ ସହ ମିଶି ମଦ୍ୟପାନ କରିଥିଲା । କନ୍ୟାପକ୍ଷ ନାପସନ୍ଦ କରିଥିଲେ ସୁଦ୍ଧା ବିବାହ କର୍ମ ଆରମ୍ଭ ହୋଇଥିଲା । ବରଣମାଳା ପିନ୍ଧାଇବା ସମୟ ଆସିଥିଲା ।  ସେତେବେଳକୁ ବର ରବୀନ୍ଦ୍ର ନିଶାରେ ପୂରା ଚୂର୍‌ ହୋଇ  ସାରିଥିଲା । ତେଣୁ ସେ ଭୁଲରେ ନିଜ ଭାବୀ ପତ୍ନୀଙ୍କ ବାନ୍ଧବୀଙ୍କ ଗଳାରେ ବରଣମାଳା ପିନ୍ଧାଇ ଦେଇଥିଲା । ଏହା ଦେଖି କନ୍ୟାପକ୍ଷ  ହତଚକିତ ହୋଇପଡ଼ିଥିଲେ । ଏହା ଦେଖି କନ୍ୟା ରାଧା ଦେବୀ  (୨୧) ରାଗିଯାଇ ରବୀନ୍ଦ୍ରକୁ ଚାପୁଡ଼ା କଷି ପଳାଇଥିଲେ । ନିଶା ଖସିବା ପରେ ରବୀନ୍ଦ୍ର କ୍ଷମା ପ୍ରାର୍ଥନା କରି ବିବାହ ପାଇଁ ଜିଦ୍‌  ଧରିଥିଲା । ରାଧା ଦେବୀ ରାଜି ହୋଇ ନ ଥିଲେ । କନ୍ୟାପକ୍ଷଙ୍କ  ଅଭିଯୋଗ କ୍ରମେ ରବୀନ୍ଦ୍ର ବିରୋଧରେ ମାମଲା ଦାୟର ହୋଇଛି।