ଅନୁଗୁଳ,୧୧/୫: ଅନୁଗୁଳ ନୂଆ ବସଷ୍ଟାଣ୍ଡରେ ଏକ ବସ୍ରୁ ଗୋଟିଏ ଲାପଟପ୍ ଚୋରି ହୋଇଯାଇଛି। ଏ ନେଇ ଶିମିଳିପଡ଼ାର ରତିକାନ୍ତ ବାରିକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ୍ ସୂଚନା ମୁତାବକ ରତିକାନ୍ତ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। କମ୍ପାନୀ ପକ୍ଷରୁ ତାଙ୍କୁ ଗୋଟିଏ ଲାପଟପ୍ ମିଳିଥିଲା । ସେ ଶନିବାର ପୂର୍ବାହ୍ନରେ ଅଫିସ୍ କାମରେ କଟକ ବାହାରିଥିଲେ । ପୂର୍ବାହ୍ନ ୧୦ଟାରେ ନୂଆ ବସଷ୍ଟାଣ୍ଡରେ ପହଞ୍ଚି ଟିକଟ କାଟି ଏକ ଘରୋଇ ବସ୍ରେ ବସିଥିଲେ । ବସ୍ ଛାଡ଼ିବା ପୂର୍ବରୁ ସେ ବାହାରକୁ ପାଣି ପିଇବାକୁ ଓହ୍ଲାଇଥିଲେ । ମାତ୍ର ପାଣି ପିଇ ଫେରିଲା ବେଳକୁ ବ୍ୟାଗରେ ଥିବା ଲାପଟପ୍ ଗାଏବ୍ ହୋଇଯାଇଥିଲା । ଖୋଜାଖୋଜି କରି ନିରାଶ ହେବା ପରେ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।