ନୂଆଦିଲ୍ଲୀ, ୧୯।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବେ ଏକ ନୂଆ ମୋଡ଼ ନେଇଛି । କାତାରର ଗୁରୁତ୍ୱପୂର୍ଣ୍ଣ ଗ୍ୟାସ ହବ୍ 'ରାସ ଲାଫାନ' ଉପରେ ଇରାନର ମିସାଇଲ ମାଡ଼ ପରେ କାତାର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ କାତାର, ଇରାନର ସାମରିକ ଏବଂ ସୁରକ୍ଷା ଅଧିକାରୀମାନଙ୍କୁ 'ପର୍ସନା ନନ୍ ଗ୍ରାଟା' ଘୋଷଣା କରିବା ସହ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି । କାତାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଇରାନ ବାରମ୍ବାର କାତାରର ସାର୍ବଭୌମତ୍ୱ ଏବଂ ସୁରକ୍ଷାକୁ ଉଲ୍ଲଂଘନ କରୁଛି । ଏହି ମିସାଇଲ ମାଡ଼ ଆନ୍ତର୍ଜାତୀୟ ନିୟମ ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ସଂଖ୍ୟା ୨୮୧୭ ର ସ୍ପଷ୍ଟ ଉଲ୍ଲଂଘନ । ଇରାନର ଏଭଳି ଶତ୍ରୁତାପୂର୍ଣ୍ଣ ଆଚରଣକୁ କାତାର ଆଉ ସହ୍ୟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।

ଏହା ବି ପଢ଼ନ୍ତୁ... ଇଦ୍ ପୂର୍ବରୁ କରାଚିରେ ହାହାକାର, ଭୟଙ୍କର ବର୍ଷା ଓ ଝଡ଼ ତୋଫାନ ନେଲା ୧୯ ଜୀବନ

ବିଶ୍ୱ ଶକ୍ତି ବଜାରରେ ହଲଚଲ:

'ରାସ ଲାଫାନ' ଇଣ୍ଡଷ୍ଟ୍ରିଆଲ୍ ସିଟି ହେଉଛି କାତାରର ତଥା ବିଶ୍ୱର ଅନ୍ୟତମ ବୃହତ୍ତମ ଲିକୁଇଫାଇଡ୍ ନାଚୁରାଲ୍ ଗ୍ୟାସ (LNG) ପ୍ରକ୍ରିୟାକରଣ କେନ୍ଦ୍ର । କାତାର ଏନର୍ଜି ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣ ଯୋଗୁଁ ପ୍ଲାଣ୍ଟରେ ନିଆଁ ଲାଗିଯିବା ସହ ବହୁତ କ୍ଷୟକ୍ଷତି ହୋଇଛି । ତେବେ କୌଣସି ଜୀବନହାନି ହୋଇନାହିଁ । ଏହି ଆକ୍ରମଣ ପରେ ବିଶ୍ୱ ବଜାରରେ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି, ଯାହାର ପ୍ରଭାବ ସିଧାସଳଖ ଶକ୍ତି ମୂଲ୍ୟ ଉପରେ ପଡ଼ିପାରେ ।

ଆଗକୁ ଆହୁରି କଠୋର ପଦକ୍ଷେପ ?

କାତାର ଚେତାବନୀ ଦେଇଛି ଯେ ଯଦି ଇରାନ ପକ୍ଷରୁ ଏଭଳି ଆକ୍ରମଣ ଜାରି ରହେ, ତେବେ ଦେଶର ସୁରକ୍ଷା ପାଇଁ କାତାର ଆଗକୁ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବ । ଏହି କୂଟନୈତିକ ବହିଷ୍କାର କେବଳ ଏକ ଆରମ୍ଭ ବୋଲି ସଙ୍କେତ ମିଳିଛି ।