କୋଲକାତା,୨୪।୫: ଡିଟେକ୍ଟ ,ଡିଟେନ୍ ଏବଂ ଡିଲିଟ୍। ଇଏ ହେଉଛି ଶୁଭେନ୍ଦୁ ସରକାରର ତିନି ମନ୍ତ୍ର। ଏମିତି ମନ୍ତ୍ର ଯାହା ଦ୍ୱାରା ବେଆଇନ୍ ବାଂଲାଦେଶୀଙ୍କୁ ବର୍ଡର ପାର ପଠାଯିବ। ଏହା ଅନୁସାରେ ପ୍ରଥମେ ଡିଟେକ୍ଟ ମାନେ ଚିହ୍ନଟ କରାଯିବ। କିଏ ଅସଲି କିଏ ନକଲି। ନକଲି ବୋଲି ଜଣା ପଡିବା ପରେ ଅଟକ ରଖାଯିବ,ମାନେ ଡିଟେନ୍। ଆଉ ଏହି ଦୁଇ ଷ୍ଟେପ୍ ପରେ ସିଧା ଡିଲିଟ୍। ଡିଲିଟ୍ ମାନେ ସେମାନଙ୍କୁ ସବୁ ସରକାରୀ ତାଲିକାରୁ ବାଦ ଦିଆଯିବ। ଆଉ ତାପରେ ହେବ ବାଂଲାଦେଶୀଙ୍କ ବିଦାଇ।

ଆସୁ ଆସୁ ଆକ୍ସନ ମୋଡ୍‌ରେ ବଙ୍ଗଳାର ଶୁଭେନ୍ଦୁ ସରକାର। ଅନୁପ୍ରବେଶକାରୀଙ୍କ ଉପରେ ଜିରୋ ଟଲେରାନ୍ସ ନୀତି। ପ୍ରଥମେ ସୀମାରେ ତାରବାଡ ଲଗାଇବା ନିଷ୍ପତ୍ତି, ଆଉ ଏବେ ରୋହିଙ୍ଗ୍ୟା-ବାଂଲାଦେଶୀଙ୍କୁ ଗୋଟି ଗୋଟି କରି ବିଦା କରିବା ନେଇ ଆକ୍ସନ ପ୍ଳାନ୍। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜ୍ୟରେ ବେଆଇନ୍ ଭାବରେ ରହୁଥିବା ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ପଠାଇବାର ପ୍ରୋସେସ୍ ଆରମ୍ଭ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ‘ହୋଲ୍ଡିଂ ସେଣ୍ଟର’ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକୁ ବେଆଇନ ପ୍ରବାସୀ ଏବଂ ରାଜ୍ୟ ଜେଲରୁ ମୁକ୍ତ ହୋଇଥିବା ବିଦେଶୀ କଏଦୀଙ୍କୁ ରଖିବା ପାଇଁ ବ୍ୟବହାର କରାଯିବ। ଏହି ସେଣ୍ଟର ମଧ୍ୟ ଏକ ପ୍ରକାର ଜେଲ୍ ଭଳି ରହିବ। ଅନୁପ୍ରବେଶକାରୀଙ୍କୁ ସିଧା ଜେଲ୍ କିମ୍ବା କୋର୍ଟକୁ ନିଆନଯାଇ ଏଠାରେ ରଖାଯିବ। ଏଠାରେ ସନ୍ଦିଗ୍ଧଙ୍କୁ ୩୦ ଦିନ ପାଇଁ ରଖାଯିବ। ଏହା ଆସାମ ମଡେଲ ଭଳି କାମ କରିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରବାସୀଙ୍କୁ ବିଏସ୍ଏଫକୁ ହସ୍ତାନ୍ତର କରି ତାଙ୍କ ମୂଳ ଦେଶକୁ ପଠାଯିବ। ଏହାର ଅର୍ଥ ହେଉଛି ଯେ କୌଣସି ବ୍ୟକ୍ତିଙ୍କ ପାଖରେ ଯଦି ବୈଧ କାଗଜପତ୍ର ନାହିଁ, ତାଙ୍କୁ ତୁରନ୍ତ ଏହି ସ୍ବତନ୍ତ୍ର ଜେଲକୁ ପଠାଇ ଦିଆଯିବ। ଅନୁପ୍ରବେଶକାରୀଙ୍କୁ କୋର୍ଟରେ ହାଜର କରିବା ପରିବର୍ତ୍ତେ,ସେମାନଙ୍କୁ ସିଧାସଳଖ ବିଏସଏଫ ପୋଷ୍ଟକୁ ପଠାଯିବ। ଯାହାଫଳରେ ଦେଶାନ୍ତର ପକ୍ରିୟା ଆହୁରି ଦ୍ରୁତ ହୋଇପାରିବ। ଏ ସମ୍ପର୍କରେ କୋଲକାତା ପୋଲିସ କମିଶନର ଏବଂ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅର୍ଥ ହେଉଛି ତିନୋଟି ସ୍ଥାନ ଊପରେ କଡା ନଜର ରଖାଯିବ । ତାହା ହେଲା ଟ୍ରେନ୍, ଷ୍ଟେସନ ଏବଂ ସୀମାନ୍ତ ବେଲ୍ଟ। ଆସାମ ପରେ ଏବେ ପଶ୍ଚିମବଙ୍ଗ ସରକାର ମଧ୍ୟ ସମାନ ନୀତି ଗ୍ରହଣ କରିଛନ୍ତି। ସେଠାରେ ବେଆଇନ ବିଦେଶୀଙ୍କୁ ଚିହ୍ନଟ ପରେ ‘ହୋଲ୍ଡିଂ ସେଣ୍ଟର’ରେ ରଖାଯାଇଥାଏ। ଏବେ ବଙ୍ଗଳାରେ ମଧ୍ୟ ଲାଗୁ ହେବ ସମାନ ସିଷ୍ଟମ।

ଅବୈଧ ପ୍ରବାସୀଙ୍କ ପାଇଁ ଡିଟେକ୍ଟ, ଡିଲିଟ ଏବଂ ଡିପୋର୍ଟ’ ନୀତି ଲାଗୁ କରାଯିବ। ଏହି ପ୍ରୋସେସ୍ କିଭଳି ପୁରା କରାଯିବ ତାହା ସେଣ୍ଟ୍ରାଲ ଗାଇଡଲାଇନ୍ସରେ କୁହାଯାଇଛି। ସେଣ୍ଟର ପୋଲିସକୁ ପ୍ରତି ରାଜ୍ୟରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିବାକୁ କହିଥାଏ। ଯାହା ଦ୍ୱାରା ବେଆଇନ ପ୍ରବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଇବା ସମ୍ଭବ ହେବ। ହୋଲ୍ଡିଂ ସେଣ୍ଟରରେ ପ୍ରଥମେ ଅନୁପ୍ରବେଶକାରୀ ଭାବେ ଚିହ୍ନଟ ହୋଇଥିବା ଲୋକଙ୍କ ବାୟୋମେଟ୍ରିକ୍ ସୂଚନା ସଂଗ୍ରହ କରାଯିବ। ତା ପରେ ଏହାକୁ ସେଣ୍ଟ୍ରାଲ ପୋର୍ଟାଲରେ ଅପଲୋଡ୍ କରାଯିବ। ପରେ ତାକୁ ପଠାଇ ଦିଆଯିବ ବର୍ଡର ଗାର୍ଡ କର୍ପସଙ୍କ ନିକଟକୁ। ଏହାପରେ ଭାରତରେ ଅନୁପ୍ରବେଶକାରୀଙ୍କୁ କରି ଦିଆଯିବ ବ୍ଲାକଲିଷ୍ଟ ।