ସମ୍ବଲପୁର,୧୯/୦୬: ମର୍ତ୍ତ୍ୟରେ ସ୍ୱର୍ଗର ନୀତିକାନ୍ତି । ଦେବତା, ଦାନବ, ଗନ୍ଧର୍ବ, କିନ୍ନରଙ୍କ ସମାଗମରେ ସାରା ସମ୍ବଲପୁର ଦେବଭୂମି ପାଲଟିଛି । ସଂହାରକର୍ତ୍ତା ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହର ସେହି ଇସ୍ପିତ ମୁହୂର୍ତ୍ତ ପାଇଁ ସଚରାଚର ସୃଷ୍ଟି ଏକାକାର ହୋଇଯାଇଛି । ବାହା ବେଦିରେ ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ । ଆକର୍ଷଣୀୟ ପରଭା ସମ୍ମୁଖରେ ସୁନାରୁପାରେ ବିମଣ୍ଡିତ ହୋଇ ବରବେଶରେ ଶୋଭାଯାତ୍ରାରେ ବାହାରି ଡମ୍ବରୁଧର ପହଞ୍ଚିଥିଲେ ମାତା ପାର୍ବତୀଙ୍କ ଘରେ । ବ୍ରାହ୍ମ ମୁହୂର୍ତ୍ତରେ ଶିବ-ପାର୍ବତୀଙ୍କ ପଡ଼ିଛି ହାତଗଣ୍ଠି । ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀର ସେହି ପବିତ୍ର ଦେବଦମ୍ପତିଙ୍କ ବିବାହ ରୀତି ସମ୍ପନ୍ନ ହୋଇଛି ।
ଦେବଦମ୍ପତିଙ୍କ ବିବାହ ପାଇଁ ଗୁରୁବାର ଦିନ ତମାମ ଉଭୟ ବର ଓ କନ୍ୟା ଘର ଚଳଚଞ୍ଚଳ ହୋଇଉଠିଥିଲା । ସକାଳେ ଗତ ବର୍ଷର କନ୍ୟାପିତାମାତାଙ୍କ ଗଣ୍ଠାଳ ଫିଟା ପରେ ଏ ବର୍ଷର କନ୍ୟାପିତାମାତାଙ୍କୁ ପାର୍ବତୀଙ୍କ ବିଗ୍ରହ ହସ୍ତାନ୍ତର କରାଯାଇଥିଲା । କନ୍ୟା ଘରେ ହଳଦୀ ଖେଳ, ଗନ୍ଧଷଣ, ତୈଳାଭିଷେକ ଆଦି ସମସ୍ତ ନୀତି ସମ୍ପନ୍ନ ହେବା ପରେ ସନ୍ଧ୍ୟାରେ ମାତା ପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାର ଆଭୂଷଣରେ ଭୂଷିତ କରି କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ସେହିପରି ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ, ତୈଳାଭିଷେକ ଆଦି ସମସ୍ତ ନୀତି ସମ୍ପନ୍ନ ହୋଇ ରାତିରେ ବରବେଶରେ ସଜ୍ଜିତ କରାଯାଇଥିଲା ।
ରାତିରେ ମହାଦେବ ଆକର୍ଷଣୀୟ ପରଭା ସମ୍ମୁଖରେ ବିରାଜମାନ କରିଥିଲେ । ପରେ ମହାଆଳତି ଅନୁଷ୍ଠିତ ହୋଇ ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ବାହାରିଥିଲା । ଏଥିରେ ଘଣ୍ଟ, ଘଣ୍ଟା, ଦୁଲଦୁଲି, ସଂପ୍ରଦା, ଯୋଡି ଶଙ୍ଖ ଆଦି ରାଜ୍ୟ ସମେତ ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ଏବଂ ଆଧୁନିକ ନୃତ୍ୟ ଦଳ ସାମିଲ ହୋଇଛନ୍ତି ।
ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଏହି ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି ନାରୀସେବା ସଦନ ସ୍ଥିତ କନ୍ୟା ପିତାମାତା ପ୍ରଦୀପ ମିଶ୍ର ଓ ବୀଣାପାଣି ମିଶ୍ରଙ୍କ ବାସଭବନରେ ପହଞ୍ଚିଥିଲେ । ବାବା ବାଲୁଙ୍କେଶ୍ୱର (ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା) ଦଲେଇପଡ଼ା, ହାଟପଡ଼ା, ନନ୍ଦପଡ଼ା, ମହାନ୍ତିପଡ଼ା, କଂସାରୀପଡ଼ା, ବୈଦନାଥ ଛକ, ଶକ୍ତି ସଂଘ ଛକ, ମ୍ୟୁନିସିପାଲିଟି ଛକ ଦେଇ ନାରୀ ସେବା ସଦନରେ ପହଞ୍ଚିଥିଲା । ସେଠାରେ ବ୍ରାହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଛି ।
ସେହିପରି ଝାଡୁଆପଡ଼ ଲୋକନାଥ ବାବାଙ୍କ ଶୋଭାଯାତ୍ରା ପୂର୍ବରୁ ରାତ୍ର ପ୍ରାୟ ୧୦ଟାରେ ମହାଆଳତି ହୋଇଥିଲା । ଏହାପରେ କୁଞ୍ଜେଲପଡ଼ାରୁ ବାହାରି ଝାଡୁଆପଡ଼ା, ଗୌରମଠ ଗଳି, ଗୁରୁପଡା, ବୈଦ୍ୟନାଥ ଛକ, ମ୍ୟୁନିସିପାଲଟି ଛକ, କଚେରି ଛକ ଦେଇ କନ୍ୟା ପିତାମାତା ଜୟବିଜୟ ବେଦୀ ଓ ପୁନମ ବେଦୀଙ୍କ ଦ୍ୱାରା ଆୟୋଜିତ ମହାନଦୀ କ୍ଲବ୍ ସ୍ଥିତ ବିବାହ ମଣ୍ଡପରେ ପହଞ୍ଚିଥିଲା । ସେଠାରେ ସମ୍ପୂର୍ଣ୍ଣ ଲୋକାଚାରରେ ବିବାହ ନୀତି ଅନୁଷ୍ଠିତ ହୋଇଛି । ଦୁଲଦୁଲି, ଆସାମ ନୃତ୍ୟ, ଛତିଶଗଡ଼ ଝାଞ୍ଜ, ମୟୂର ଝାଲ ନାଚ, ସଂପ୍ରଦା ସହ ଆଧୁନିକ ନୃତ୍ୟ କଳାକାର ଏଥିରେ ସାମିଲ ହୋଇ କଳା ପ୍ରଦର୍ଶନ କରିଥିଲେ । ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ଶୋଭାଯାତ୍ରା ପଦ୍ମକେଶରୀ ପାର୍କ, ପାଣିଟାଙ୍କି, ମୁଦିପଡ଼ା ଛକ, ଜଗନ୍ନାଥ ମନ୍ଦିର ରାସ୍ତା ଦେଇ କନ୍ୟା ପିତାମାତା ବ୍ରିଜେଶ ସୋନି ଓ ସୁସ୍ମିତା ସୋନିଙ୍କ ଅସ୍ଥାୟୀ ବାସଭବନ ପଟେଲ ଗାର୍ଡେନ୍କୁ ଯାଇଥିବା ବେଳେ ସେଠାରେ ଶୁଭ ମୁହୂର୍ତ୍ତରେ ବିବାହ ସମ୍ପନ୍ନ ହୋଇଛି ।