ନୂଆଦିଲ୍ଲୀ, ୧୫/୨ : ଟି-୨୦ ବିଶ୍ବକପ ୨୦୨୬ ବେଶ ରୋମାଞ୍ଚକ ହେବାରେ ଲାଗିଛି । ବିଜୟ ପାଇଁ ସମସ୍ତ ଦଳ ପ୍ରୟାସ ଜାରି ରଖିଥିବାବେଳେ ପ୍ରଥମ ଦଳ ଭାବେ ସୁପର-୮ରେ ସ୍ଥାନ ପକ୍କା କରିଛି ଓ୍ବେଷ୍ଟଇଣ୍ଡିଜ୍ । ରବିବାର ଖେଳାଯାଇଥିବା ନେପାଳ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ୯ ଓ୍ବିକେଟରେ ବିଜୟୀ ହୋଇଛି । ଲଗାତାର ତୃତୀୟ ବିଜୟ ସହ ଆଗାମୀ ପର୍ଯ୍ୟାୟକୁ ଉନ୍ନିତ ହୋଇଛି ଦୁଇଥର ଟି-୨୦ ବିଶ୍ବକପ ହାତେଇଥିବା ଏହି ଦଳ ।

ରବିବାର ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ନେପାଳ ବିପକ୍ଷରେ ଏକପାଖିଆ ଖେଳିଥିଲା ଶକ୍ତିଶାଳି ଓ୍ବେଷ୍ଟଇଣ୍ଡିଜ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ନେପାଳକୁ ମାତ୍ର ୧୩୩ ରନ୍ ମଧ୍ୟରେ ସୀମିତ ରଖିଥିଲା । ୮ ଓ୍ବିକେଟ ହରାଇ ନେପାଳ ୧୩୩ ରନ କରିଥିଲା । ଦଳ ପକ୍ଷରୁ ଦଳ ପକ୍ଷରୁ ଦୀପେନ୍ଦ୍ର ସର୍ବାଧିକ ୫୮ ରନ କରିବାରେ ସକ୍ଷମ ହୋଇଥିଲେ । ବାକି କୌଣସି ଖେଳାଳି ବଡ଼ ସ୍କୋର କରିପାରିନଥିଲେ । ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ହୋଲଡର ସର୍ବାଧିକ ୪ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।

୧୩୪ ରନ୍ ବିଜୟ ଲକ୍ଷ୍ୟ ରହିଥିବାବେଳେ ଓ୍ବେଷ୍ଟଇଣ୍ଡିଜ୍ ୧୫ ଓଭର ୨ଟି ବଲରେ ଗୋଟିଏ ଓ୍ବିକେଟ୍ ହରାଇ ବିଜୟ ହାସଲ କରିଥିଲା । ସାଇ ହୋପ୍ ୬୧ ରନ୍ ଏବଂ ସିମରନ୍ ହେଟମାୟାର ୪୬ ରନର ପାଳି ଖେଳିଥିଲେ । ଓପନର ବ୍ୟାଟ୍ସମ୍ୟାନ ବ୍ରାଣ୍ଡନ୍ କିଙ୍ଗ ୨୨ ରନ କରିଥିଲେ । ତେବେ ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ହୋଲଡର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସହଜ ବିଜୟ ହାସଲ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି ଓ୍ବେଷ୍ଟଇଣ୍ଡିଜ୍ ।

ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ ସ୍କଟଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା । ଯେଉଁଥିରେ ୩୫ ରନରେ ବିଜୟ ହାସଲ କରିଥିଲା । ଏହାପରେ ଦ୍ବିତୀୟ ମ୍ୟାଚରେ ଦୁଇଥର ଟି-୨୦ ବିଶ୍ବକପ ଜିତିଥିବା ଇଂଲଣ୍ଡକୁ ଭେଟିଥିଲା । ଏହି ମ୍ୟାଚକୁ ୩୫ ରନରେ ବିଜୟ ହାସଲ କରିଥିଲା । ଆଉ ଏବେ ୯ ଓ୍ବିକେଟରେ ବିଜୟ ହାସଲ କରିଥିବାବେଳେ ଚଳିତ ବିଶ୍ବକପରେ ପ୍ରଥମ ସୁପର-୮ରେ ପହଞ୍ଚିଥିବା ଦଳ ଭାବେ ଉଭା ହୋଇଛି । ସେପଟେ ଆଜି ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବାବେଳେ ଏହି ମ୍ୟାଚରେ ଯେଉଁ ଦଳ ବିଜୟ ହେବ ସେ ମଧ୍ୟ ସୁପର-୮ରେ ସ୍ଥାନ ପକ୍କା କରିବ । ଏଣୁ ଆଜିର ମ୍ୟାଚଟି ବେଶ ରୋମାଞ୍ଚକ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ଏହାସହ ପଢ଼ନ୍ତୁ : ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏମିତି କହିଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ