ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି ଏବଂ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୧୪୦ ରନ୍ କରିଛି। ଟିମ୍ ଇଣ୍ଡିଆ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ବର୍ତ୍ତମାନ ଭାରତଠାରୁ ୩୭୮ ରନ୍ ପଛରେ ରହିଛି। ଦଳ ପାଇଁ ଆଲିକ୍ ଆଥାନାସେ ୪୧ ଏବଂ ତେଜନାରିନ୍ ଚନ୍ଦ୍ରପଲ ଲଢ଼ୁଆ ଇନିଂସ ଖେଳିଥିଲେ ମଧ୍ୟ କେହି ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନାହାନ୍ତି। ଦଳ ପାଇଁ ସାଇ ହୋପ୍ (୩୧) ଏବଂ ତେଭିନ୍ ଇମଲାଖ (୧୪) ଅପରାଜିତ ଫେରିଛନ୍ତି।
ଟିମ୍ ଇଣ୍ଡିଆ ପାଇଁ ଷ୍ଟାର ସ୍ପିନର ରବୀନ୍ଦ୍ର ଜାଡେଜା ୩ ୱିକେଟ୍ ନେଇଛନ୍ତି। ପୂର୍ବରୁ ଟିମ୍ ଇଣ୍ଡିଆ ୩୧୮ ରନରୁ ଇନିଂସ ଆରମ୍ଭ କରି ୨୦୦ ରନ ଯୋଡିବା ପରେ ଇନିଂସ ଘୋଷଣା କରିଥିଲା। ପ୍ରଥମ ଦିନରେ ୧୭୩ ରନ କରି ଅପରାଜିତ ରହିଥିବା ଯଶସ୍ୱୀ ଜୟସ୍ୱାଲ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୭୫ ରନ କରି ରନ ଆଉଟ ହୋଇଥିଲେ। ଅଧିନାୟକ ଶୁଭମନ ଗିଲ ତାଙ୍କର ଭଲ ଫର୍ମ ଜାରି ରଖି ଆଉ ଏକ ଚମତ୍କାର ଶତକ ହାସଲ କରିଥିଲେ। ନୀତିଶ କୁମାର ରେଡ୍ଡୀ ୪୩ ଏବଂ ଧ୍ରୁବ ଜୁରେଲ ୪୪ ରନ କରିଥିଲେ। ଜୁରେଲଙ୍କ ୱିକେଟ ପତନ ସହିତ ଗିଲ ୫୧୮ ରନରେ ଇନିଂସ ଘୋଷଣା କରିଥିଲେ।
ପ୍ରଥମ ଇନିଂସରେ ଭାରତ ଏବେ ବି ୩୭୮ ରନରେ ଆଗୁଆ ଅଛି । କିନ୍ତୁ ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନ ପରାଜୟ ଅପେକ୍ଷା ଫଲୋଅନର ଅଧିକ ବିପଦର ସମ୍ମୁଖୀନ ହୋଇଛି । ଯଦି ଏକ ଟେଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଦ୍ୱିତୀୟ ବ୍ୟାଟିଂ କରୁଥିବା ଦଳଠାରୁ ୨୦୦ ରନ୍ କିମ୍ବା ତା’ଠାରୁ ଅଧିକ ଅଗ୍ରଣୀ ପାଏ, ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ତୁରନ୍ତ ଅନ୍ୟ ଦଳକୁ ପୁଣିଥରେ ବ୍ୟାଟିଂ କରିବାକୁ କହିପାରିବ। ଉଦାହରଣ ସ୍ୱରୂପ, ଦିଲ୍ଲୀ ଟେଷ୍ଟରେ ଭାରତ ୫୧୮ ରନ୍ରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଏହି ପରିସ୍ଥିତିରେ, ଫଲୋ-ଅନ୍ ଏଡାଇବା ପାଇଁ ୱେଷ୍ଟଇଣ୍ଡିଜ୍କୁ ପ୍ରଥମ ଇନିଂସ୍ରେ ଅତି କମରେ ୩୧୯ ରନ୍ କରିବାକୁ ପଡିବ। ଯେହେତୁ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୧୪୦ ରନ୍ କରିସାରିଛି, ତେଣୁ ଫଲୋ-ଅନ୍ ଏଡାଇବା ପାଇଁ ତୃତୀୟ ଦିନରେ ସେମାନଙ୍କୁ ୧୭୯ ରନ୍ କରିବାକୁ ପଡିବ।