ନୂଆଦିଲ୍ଲୀ ୨୨/୦୩: ଦୀର୍ଘ ଓ ସୁସ୍ଥ ଜୀବନ ବଞ୍ଚିବାକୁ କିଏ ବା ନ ଚାହେଁ? ଅଧିକରୁ ଅଧିକ ବର୍ଷ ଯାଏ ସୁସ୍ଥ ଓ ସୁଖୀ ଜୀବନ ବଞ୍ଚିବା ସମସ୍ତଙ୍କ ସ୍ୱପ୍ନ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏହି ସ୍ୱପ୍ନ ଧୀରେ ଧୀରେ ମୁସ୍କିଲ ହେଉଛି । ପ୍ରଦୂଷଣ ବୃଦ୍ଧି, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଚିନ୍ତାପୂର୍ଣ୍ଣ ଜୀବନଶୈଳୀ ଯୋଗୁ ରୋଗର ଆଶଙ୍କା ସର୍ବଦା ରହିଛି । ଏ ସମସ୍ତ କାରକ ଲୋକଙ୍କ ବୟସ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ଏବଂ ଅଧିକାଂଶ ଲୋକ ଅତି ବେଶିରେ ୭୦ ବର୍ଷ ବୟସ ଯାଏ ବଞ୍ଚିପାରୁଛନ୍ତି । ଏଭଳି ସମୟରେ ବୈଜ୍ଞାନିକଙ୍କର ଏକ ନୂଆ ଆବିଷ୍କାର ଆଶାର କିରଣ ହୋଇଛି । ବୋହେଡ୍ ତିମିରେ ଏକ ସ୍ୱତନ୍ତ୍ର ପ୍ରୋଟିନ୍ ମିଳିଛି, ଯାହା ମାନବ ଡିଏନ୍‌ଏକୁ ଭଲଭାବେ ଠିକ୍ କରିବାରେ ସାହାଯ୍ୟ କରିପାରେ । ଏହି ଆବିଷ୍କାର କେବଳ ଆୟୁଷ ବଢ଼ାଇବା ରୂପରେ ଏକ ବଡ଼ ପ୍ରୟାସ ହେବ ତାହା ନୁହେଁ, ମଣିଷ ୨୦୦ ବର୍ଷ ବଞ୍ଚିବା ସମ୍ଭବ କି ବୋଲି ପ୍ରଶ୍ନ ମଧ୍ୟ ଉଠାଇଛି ।

ବିଶ୍ୱରେ ପ୍ରାଣୀଙ୍କର ଏଭଳି ପ୍ରଜାତି ଅଛନ୍ତି, ଯେଉଁମାନେ ଦୀର୍ଘ ବର୍ଷ ଜୀବିତ ରହନ୍ତି । ଏମାନଙ୍କ ମଧ୍ୟରେ ବୋହେଡ୍ ତିମି ଅନ୍ୟତମ । ଆଶ୍ଚର୍ଯ୍ୟର କଥା ହେଉଛି ଦୀର୍ଘ ଜୀବନ ସତ୍ତେ୍ୱ ଏମାନଙ୍କଠାରେ କର୍କଟ କିମ୍ବା ଅନ୍ୟ କୌଣସି ଗମ୍ଭୀର ରୋଗର ଲକ୍ଷଣ ଦେଖାଯାଏ ନାହିଁ । ଅର୍ଥାତ୍ ଏମାନେ ଅନେକାଂଶରେ ଏଭଳି ରୋଗରୁ ସୁରକ୍ଷିତ ରହନ୍ତି, ଯାହା ବୈଜ୍ଞାନିକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।

ୟୁନିଭର୍ସିଟି ଅଫ୍ ରୋଚେଷ୍ଟର୍‌ର ଅଧ୍ୟୟନରୁ ଜଣାପଡ଼ିଛି, ଏହାର ଏକ ବଡ଼ କାରଣ ଏମାନଙ୍କ ଶରୀରରେ ମିଳୁଥିବା ସିଆଇଆର୍‌ବିପି ଅର୍ଥାତ୍ କୋଲ୍‌ଡଇଣ୍ଡ୍ୟୁସିବଲ ଆର୍‌ଏନଏ-ବାଇଣ୍ଡିଂ ପ୍ରୋଟିନ୍ ହୋଇପାରେ । ବୋହେଡ୍ ତିମିରେ ଏହି ସ୍ୱତନ୍ତ୍ର ପ୍ରୋଟିନ୍ ମଣିଷ ତୁଳନାରେ ହାରାହାରି ୧୦୦ ଗୁଣ ଅଧିକ ଥାଏ । ଏହି ପ୍ରୋଟିନ୍ ଡିଏନ୍‌ଏରେ ହେଉଥିବା ଡବଲ-ଷ୍ଟାଣ୍ଡ ବ୍ରେକ୍ସକୁ ଠିକ୍ କରିବାରେ ଅତ୍ୟନ୍ତ ସହାୟକ ହୁଏ । ଏହି କ୍ଷତି ବୟସ ବୃଦ୍ଧି, କର୍କଟ ଓ ଅନେକ ଅନ୍ୟ ରୋଗ ସହ ସଂଶ୍ଳିଷ୍ଟ ।

ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ଗବେଷକ ଟିମ୍ ବୋହେଡ୍ ତିମିର ସିଆଇଆର୍ବିପି ପ୍ରୋଟିନ୍‌କୁ ମାନବ କୋଷିକା ଓ ମାଛିଙ୍କ ଉପରେ ପରୀକ୍ଷା କଲେ । ଫଳ ଆଶ୍ଚର୍ଯ୍ୟଚକିତ ଥିଲା । ମାନବ କୋଷିକାରେ ଡିଏନ୍‌ଏ ବ୍ରେକ୍ସକୁ ଠିକ୍ କରିବା କ୍ଷମତା ହାରାହାରି ଦୁଇଗୁଣ ହୋଇଗଲା । ସେତିକି ନୁହେଁ, ମାନବ କୋଷିକାରେ ମରାମତି ପୂର୍ବାପେକ୍ଷା ଅଧିକ ଭଲ ଭାବେ ହୋଇପାରୁଥିଲା । ପରୀକ୍ଷଣରେ ମାଛିଙ୍କ ଆୟୁଷ ବଢୁଥିବା ଲକ୍ଷ୍ୟ କରାଗଲା ଏବଂ ବିକିରଣ ପ୍ରଭାବରୁ ସେମାନେ ଅଧିକ ସୁରକ୍ଷିତ ଥିଲେ । ଏହି ସକାରାତ୍ମକ ଫଳ ପରେ ବୈଜ୍ଞାନିକମାନେ ଏହି ପ୍ରୋଟିନ୍‌ର ପରୀକ୍ଷଣ ମୂଷାଙ୍କ ଉପରେ ମଧ୍ୟ ଆରମ୍ଭ କରିଛନ୍ତି । ଆଗକୁ ଏହାର ଆହୁରି ବଡ଼ ପ୍ରଭାବ ସାମ୍ନାକୁ ଆସିପାରେ ।

ଆହୁରି ପଢ଼ନ୍ତୁ...ମହାକାଶରେ ବିଶାଳ ଜଳ ଭଣ୍ଡାର, ପୃଥିବୀର ସବୁ ମହାସାଗରଠୁ ୧୪୦ ଲକ୍ଷ କୋଟି ଗୁଣଠୁ ଅଧିକ ପାଣି

ପେଟୋ ପାରାଡକ୍ସ ଅନୁସାରେ, ବଡ଼ ଓ ଦୀର୍ଘ ସମୟ ଜୀବିତ ରହୁଥିବା ଜନ୍ତୁଙ୍କୁ କର୍କଟ କାହିଁକି କମ୍ ହୁଏ, ଏହି ପ୍ରଶ୍ନ ବୈଜ୍ଞାନିକଙ୍କୁ ଦୀର୍ଘ ସମୟ ହେଲା ଚିନ୍ତାରେ ପକାଇଛି । ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ଟିମ୍ ଜାଣିବାକୁ ପାଇଛନ୍ତି, ବୋହେଡ୍ ତିମି ଖରାପ ଓ ଅଚଳ କୋଷିକାଗୁଡ଼ିକୁ ମାରିବା ବଦଳରେ ଡିଏନ୍‌ଏକୁ ଠିକ୍ କରି ନିଜକୁ ଏଭଳି ରୋଗଠୁ ସୁରକ୍ଷିତ ରଖନ୍ତି । ତେବେ ତିମିର ଦୀର୍ଘ ଜୀବନ କେବଳ ଗୋଟିଏ ପ୍ରୋଟିନ୍ ନୁହେଁ, ବରଂ ଅନେକ ଜୈବ ପ୍ରକ୍ରିୟାର ପରିଣାମ ହୋଇପାରେ । ଡିଏନ୍‌ଏକୁ ସୁଧାରୁଥିବା ପ୍ରୋଟିନ୍ ଉପରେ କାମ କରି ମଣିଷର ଆୟୁଷ ବଢ଼ାଯାଇ ପାରିବ ବୋଲି ଉକ୍ତ ଅଧ୍ୟୟନରୁ ଆଶା କରାଯାଉଛି । କିନ୍ତୁ ଏହି ପ୍ରଭାବ ଏବେ କେବଳ ପ୍ରୟୋଗଶାଳାରେ ସୀମିତ ଅଛି ।