ନୂଆଦିଲ୍ଲୀ : ମୃତ୍ୟୁ ... ଜୀବନର ଏକ ଅନ୍ତିମ ଏବଂ ନିରାଟ ସତ୍ୟ। କିନ୍ତୁ ଆପଣ ଜାଣନ୍ତି କି, ମୃତ୍ୟୁ ଆସିବା ପୂର୍ବରୁ ହିଁ ମଣିଷକୁ ଏହାର ପୂର୍ବାଭାସ ମିଳି ଥାଏ ? ଶେଷ ସମୟ ପାଖେଇ ଆସିଲେ ଶରୀର ଓ ମନ କେଉଁ ଭଳି ସଙ୍କେତ ଦେବାକୁ ଆରମ୍ଭ କରେ ? ଆସନ୍ତୁ ଜାଣିବା ମୃତ୍ୟୁର ୭ ଦିନ ପୂର୍ବରୁ କଣ ହୋଇଥାଏ ...
ଆଧୁନିକ ମେଡିକାଲ୍ ସାଇନ୍ସ ଏବଂ ପ୍ରାଚୀନ ମାନ୍ୟତା, ଦୁଇଟିଯାକ ମୃତ୍ୟୁ ପୂର୍ବରୁ ହେଉ ଥିବା କିଛି ସ୍ୱତନ୍ତ୍ର ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରିଥାନ୍ତି। ଡାକ୍ତର ଓ ପାଲିଏଟିଭ୍ କେୟାର ବିଶେଷଜ୍ଞଙ୍କ ମତରେ, ମୃତ୍ୟୁର କିଛି ଦିନ ପୂର୍ବରୁ ମାନବ ଶରୀର ନିଜର ଶକ୍ତି ବଞ୍ଚାଇବା ପ୍ରକ୍ରିୟା ବା ଏନର୍ଜି ସେଭିଙ୍ଗ୍ ମୋଡ୍କୁ ଚାଲି ଯାଏ। ଏହି ସମୟରେ ବ୍ୟକ୍ତିର ଭୋକ ଏବଂ ଶୋଷ ସମ୍ପୂର୍ଣ୍ଣ କମି ଯାଏ। ପାଚନ ପ୍ରକ୍ରିୟା ଧୀମା ହେବା ଯୋଗୁଁ ଖାଦ୍ୟ କିମ୍ବା ପାଣି ପିଇବାର ଇଚ୍ଛା ମରି ଯାଏ।
କେବଳ ସେତିକି ନୁହେଁ, ଶେଷ ଦିନ ଗୁଡ଼ିକରେ ଶ୍ୱାସକ୍ରିୟାରେ ବଡ଼ ପରିବର୍ତ୍ତନ ଦେଖାଦିଏ। ନିଃଶ୍ୱାସ କେତେବେଳେ ବହୁତ ଜୋର୍ରେ ତ କେତେବେଳେ ଅତି ଧୀମା ଚାଲେ। ମେଡିକାଲ୍ ଭାଷାରେ ଏହାକୁ 'ଚେନ୍-ଷ୍ଟୋକ୍ସ ବ୍ରିଦିଂ ' କୁହାଯାଏ। ଏହି ସମୟରେ ଗଳାରୁ ଏକ ପ୍ରକାର ଜୋରରେ ଶବ୍ଦ ଆସେ, ଯାହାକୁ ସାଧାରଣ ଭାଷାରେ 'ଡେଥ୍ ରାଟଲ୍' ବୋଲି କୁହାଯାଇ ଥାଏ।
ଶରୀରର ଶକ୍ତି ଶେଷ ହୋଇ ଆସୁ ଥିବାରୁ ବ୍ୟକ୍ତି ଜଣକ ଦିନର ଅଧିକାଂଶ ସମୟ ଶୋଇବା ସ୍ଥିତିରେ ବିତାଇ ଥାନ୍ତି। ଜାଗ୍ରତ ଥିବା ବେଳେ ମଧ୍ୟ ସେ ଅତ୍ୟନ୍ତ କ୍ଲାନ୍ତ ଅନୁଭବ କରନ୍ତି। ହାତ-ପାଦ ହଲାଇବା କିମ୍ବା କଥା କହିବାରେ ମଧ୍ୟ କଷ୍ଟ ହୁଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମୃତ୍ୟୁର କିଛି ଦିନ ପୂର୍ବରୁ ବ୍ୟକ୍ତି ମାନସିକ ଭ୍ରମର ଶିକାର ହୁଅନ୍ତି। ସେମାନେ ଏମିତି କିଛି ଜିନିଷ ଦେଖିବା ବା ଶୁଣିବା କଥା କୁହନ୍ତି, ଯାହା ବାସ୍ତବରେ ନଥାଏ। ମେଡିକାଲ ସାଇନ୍ସ ମତରେ ଅକ୍ସିଜେନ୍ର ଅଭାବ, ଔଷଧର ପ୍ରଭାବ କିମ୍ୱା ମସ୍ତିଷ୍କର କାର୍ଯ୍ୟକଳାପରେ ପରିବର୍ତ୍ତନ ଯୋଗୁଁ ଏଭଳି ଘଟିଥାଏ।
ଯଦି ଆମେ ଭାରତୀୟ ପରମ୍ପରାକୁ ଦେଖିବା, ତେବେ ଗରୁଡ଼ ପୁରାଣ ଏବଂ ଶିବ ପୁରାଣ ଭଳି ଗ୍ରନ୍ଥରେ ମଧ୍ୟ ମୃତ୍ୟୁ ପୂର୍ବରୁ ମିଳୁଥିବା ସଙ୍କେତ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ଅବଶ୍ୟ ଏହାକୁ ବୈଜ୍ଞାନିକ ପ୍ରମାଣ ଅପେକ୍ଷା ଆସ୍ଥା ଓ ବିଶ୍ୱାସର ନଜରରେ ଦେଖାଯାଏ। ବିଶେଷଜ୍ଞଙ୍କ ମତରେ, ମୃତ୍ୟୁର ପ୍ରାୟ ଏକ ସପ୍ତାହ ପୂର୍ବରୁ ଶରୀର ଏବଂ ମସ୍ତିଷ୍କ ଦୁହେଁ ନିଜର କାମ ଧୀରେ ଧୀରେ ବନ୍ଦ କରି ଦିଅନ୍ତି।
ମୃତ୍ୟୁ ଏକ ପ୍ରାକୃତିକ ପ୍ରକ୍ରିୟା। ଏହି ସମୟରେ ଦେଖାଯାଉଥିବା ଶାରୀରିକ ଦୁର୍ବଳତା ଏବଂ ମାନସିକ ପରିବର୍ତ୍ତନକୁ ଭୟ ନକରି, ଶେଷ ସମୟରେ ଆପଣାର ମଣିଷକୁ ସହାନୁଭୂତି, ଭଲପାଇବା ଏବଂ ସେବା ଯୋଗାଇଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ଏହା ସହ ମଧ୍ୟ ପଢନ୍ତୁ : Russian families use AI : ଯୁଦ୍ଧରେ ମୃତ ରୁଷୀୟ ସୈନିକ ପୁଣି ଫେରୁଛନ୍ତି ଘରକୁ ! ପରିବାର ଲୋକ AIରେ ତିଆରି କରୁଛନ୍ତି ଭିଡିଓ