ନୂଆଦିଲ୍ଲୀ : ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଯେଉଁ ସୈନିକମାନେ ଯୁଦ୍ଧରେ ପ୍ରାଣ ହରାଇଛନ୍ତି କିମ୍ବା ନିଖୋଜ ଅଛନ୍ତି, ସେମାନେ ପୁଣିଥରେ ନିଜ ଘରକୁ ଫେରି ଆସୁଛନ୍ତି। ଆପଣ ଭାବୁଥିବେ ଏହା କେମିତି ସମ୍ଭବ। ଏହା କୌଣସି ଚମତ୍କାର ନୁହେଁ, ବରଂ ଏହା ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର କମାଲ୍। ଅନେକ ରୁଷୀୟ ପରିବାର ଏଆଇର ସାହାଯ୍ୟରେ ନିଜର ପ୍ରିୟଜନଙ୍କ ଫଟୋ ଓ ଭିଡିଓକୁ ଏପରି ପ୍ରସ୍ତୁତ କରୁଛନ୍ତି , ଯେମିତି ସେ ପରିବାର ନିକଟକୁ ଫେରି ଆସିଛନ୍ତି।
ଜୁଲାଇ ୨୦୨୫ରୁ ସୋସିଆଲ ମିଡିଆରେ ଏମିତି ଏଆଇ ଭିଡିଓ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି। ଏହି AI ଭିଡିଓ ଗୁଡ଼ିକରେ ମୃତ କିମ୍ବା ନିଖୋଜ ସୈନିକମାନେ ନିଜ ପରିବାର ଲୋକଙ୍କୁ କୁଣ୍ଢାଇ ଧରୁଛନ୍ତି, ପିଲାମାନଙ୍କ ସହ ହସୁଛନ୍ତି ଏବଂ କିଛି ଭିଡିଓରେ ସେମାନେ ସ୍ୱର୍ଗରୁ ନିଜ ପ୍ରିୟଜନଙ୍କ ପାଖକୁ ଫେରି ଆସୁ ଥିବାର ଦେଖା ଯାଉଛି। ଏହି ଭିଡିଓ ଗୁଡ଼ିକ ଏତେ ନାଚୁରାଲ ଯେ, ଦେଖିଲେ କେବେ ଜାଣି ପାରିବେ ନାହିଁ ଯେ ଏହା ନକଲି ବୋଲି।
ରୁଷୀୟ ବ୍ଲଗର କଟ୍ୟା ଜିନ ଯୁଦ୍ଧରେ ନିଖୋଜ ତାଙ୍କ ସ୍ୱାମୀଙ୍କୁ ନେଇ ପ୍ରଥମେ ଏଭଳି AI ଭିଡିଓ ପ୍ରସ୍ତୁତ କରିଥିଲେ। ପରେ ସେ ଅନ୍ୟ ଲୋକମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦେଉଛନ୍ତି। ଅନ୍ୟପଟେ, ଅନ୍ନା କୋରାବଲେଭା ନାମକ ଜଣେ ମହିଳା ଏଭଳି 'ଫେୟାରୱେଲ୍' (ବିଦାୟକାଳିନ ଭିଡିଓ ) ସବୁ ପ୍ରସ୍ତୁତ କରୁଛନ୍ତି। ତାଙ୍କ କହିବାନୁସାରେ - ଏହି ଭିଡିଓ ମାଧ୍ୟମରେ ପରିବାର ଲୋକଙ୍କୁ ନିଜ ପ୍ରିୟଜନଙ୍କୁ ଶେଷଥର ପାଇଁ ଦେଖିବାର ଏବଂ ସେମାନଙ୍କୁ ବିଦାୟ ଦେବାର ଏକ ମାନସିକ ସନ୍ତୋଷ ମିଳି ପାରୁଛି। ତାଙ୍କ ପାଖକୁ ସବୁଠୁ ଅଧିକ ଅନୁରୋଧ ୟୁକ୍ରେନ ୟୁଦ୍ଧରେ ପ୍ରାଣ ହରାଇଥିବା ରୁଷୀୟ ସୈନିକଙ୍କ ପରିବାରରୁ ଆସିଥାଏ।
ହେଲେ ଏକ୍ସପର୍ଟମାନେ ଏହି ଟେକନିକକୁ ନେଇ ସାବଧାନତା ଆପଣାଇବାକୁ ପରାମର୍ଶ ଦେଉଛନ୍ତି। କେମ୍ୱ୍ରିଜ ୟୁନିଭର୍ସିଟିର ରିସର୍ଚ୍ଚର କାଟର୍ଜିନା ନୋଭାଚିକ – ବାସିନସ୍କାଙ୍କ ମୁତାବିକ , ଏବେ ଏହା ସ୍ପଷ୍ଟ ନାହିଁ ଯେ, ଏମିତି ଏଆଇ ଭିଡିଓ ଲୋକଙ୍କୁ ହ୍ରାସ କରୁଛି ନା ଏହାକୁ ଆହୁରି ବଢାଇ ଦେଉଛି ।
କିନ୍ତୁ ଏହି ଭାବପ୍ରବଣତା ପଛରେ ଏବେ ଏକ ବଡ଼ ବ୍ୟବସାୟ ମଧ୍ୟ ଆରମ୍ଭ ହୋଇ ଗଲାଣି। ରୁଷରେ ଏଭଳି ଗୋଟିଏ AI ଭିଡିଓ ତିଆରି କରିବା ପାଇଁ ୨୦୦ ରୁବେଲ୍ରୁ ନେଇ ୧୦,୦୦୦ ରୁବେଲ୍ ପର୍ଯ୍ୟନ୍ତ ଟଙ୍କା ନିଆ ଯାଉଛି। କିଛି କ୍ରିଏଟର ଏଥିରୁ ପ୍ରଚୁର ରୋଜଗାର କରୁଛନ୍ତି, ଯାହାକୁ ନେଇ ସମାଲୋଚନା ମଧ୍ୟ ଆରମ୍ଭ ହେଲାଣି। ଅନେକ ଲୋକ ଅଭିଯୋଗ କରୁଛନ୍ତି ଯେ, କ୍ରିଏଟରମାନେ ପରିବାରର ଦୁଃଖକୁ ନିଜ ଆୟର ମାଧ୍ୟମ କରି ନେଇଛନ୍ତି।
ବିବିସି (BBC)ର ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ଅତିକମରେ ୨.୨୫ ଲକ୍ଷ ରୁଷୀୟ ସୈନିକଙ୍କ ମୃତ୍ୟୁ ହୋଇ ସାରିଛି ଏବଂ ପ୍ରକୃତ ସଂଖ୍ୟା ଏହାଠାରୁ ବହୁତ ଅଧିକ ହୋଇପାରେ। ଏଭଳି ପରିସ୍ଥିତିରେ, ଏଆଇର ଏହି ବ୍ୟବହାର କେତେଦୂର ଗ୍ରହଣୀୟ ? ଏହା ପରିବାରକୁ ଆଶ୍ୱାସନା ଦେଉଛି ନା ଏକ ଭ୍ରମିତ କରୁଛି ?
ଏହା ସହ ମଧ୍ୟ ପଢନ୍ତୁ : Iran Us Peace Deal : ଟ୍ରମ୍ପଙ୍କ ବଡ଼ ଦାବି; ଆଜି ହେବ ଇରାନ୍-ଆମେରିକା ଶାନ୍ତିଚୁକ୍ତି, ହଟିବ ହୋର୍ମୁଜ ଅବରୋଧ