ନୂଆଦିଲ୍ଲୀ,୧୨।୫: ପ୍ରଚଣ୍ଡ ଗରମରେ ଆଜିକାଲି ସମସ୍ତେ ଅସ୍ତବ୍ୟସ୍ତ। କେଉଁଠାରେ ବି ଟିକେ ଶାନ୍ତି ନାହିଁ। ଏସି ଲଗାଇଲେ ଘୁରୁଛି ମିଟର, ବଢୁଛି ଇଲେକ୍ଟ୍ରିବିଲ୍। ହେଲେ ବୈଜ୍ଞାନିକମାନେ ଏସିର ଏଭଳି ଏକ ବିକଳ୍ପ ଖୋଜିଛନ୍ତି, ଯେଉଁଥିପାଇଁ ଦରକାର ପଡିବନି ବିଜୁଳି। ବିନା ବିଜୁଳିରେ ଚାଲିବ ଏବଂ ଏସିଠାରୁ ଅଧିକ ଥଣ୍ଡା କରିବ। ସାଉଦି ଆରବର ବୈଜ୍ଞାନିକମାନେ ଏଭଳି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି, ଯାହାର ନାଁ ରହିଛି ନେସ୍କୋଡ୍ (Nescod)। ଅର୍ଥାତ ’ନୋ ଇଲେକ୍ଟ୍ରିସିଟି ଆଣ୍ଡ ସସ୍‌ଷ୍ଟେନବଲ୍‌ କୁଲିଂ ଅନ୍ ଡିମାଣ୍ଡ’। ସବୁଠାରୁ ଖାସ୍ କଥା ହେଲା ଏହା ପୁରୁଣା ଏସି ଭଳି ବିଜୁଳି କିମ୍ବା କମ୍ପ୍ରେସର ଉପରେ ନିର୍ଭର କରିନଥାଏ, ବଂର ଏକ ଖାସ୍ କେମିକାଲ ପ୍ରୋସେସ୍ ଜରିଆରେ ଥଣ୍ଡା କରିଦେଇଥାଏ।

କିଭଳି କାମ କରେ ?​​​​​​​

ଏହି ଟେକ୍ନୋଲୋଜି ‘ଏଣ୍ଡୋଥର୍ମିକ ଡିସଲ୍ୟୁସନ୍’ ନାମକ ପ୍ରୋସେସ୍ ଉପରେ ଆଧାରିତ। ଏଥିରେ ଆମୋନିୟମ୍ ନାଇଟ୍ରେଟ୍ ନାମକ ଲୁଣକୁ ପାଣିରେ ମିଶା ଯାଇଥାଏ। ଯେତେବେଳେ ଏହି ଲୁଣ ପାଣିରେ ମିଶେ ସେତେବେଳେ ଆଖପାଖର ଗରମକୁ ନିଜ ଭିତରକୁ ଟାଣିନିଏ। ଏହି କାରଣରୁ ତାପମାତ୍ରା ଦ୍ରୁତ ଗତିରେ ତଳକୁ ଖସିଥାଏ। ସହଜ ଭାଷାରେ ଯଦି କୁହାଯାଏ ତେବେ ଏହି ପକ୍ରିୟା ବାତାବରଣର ଗରମକୁ କମ୍ କରି ଥଣ୍ଡା କରିଦେଇଥାଏ। ବୈଜ୍ଞାନିକଙ୍କ ଅନୁସାରେ, ଏହି ସିଷ୍ଟମ କୌଣସି ଭାରି ମେସିନ୍ କିମ୍ବା ଲଗାତାର ବିଜୁଳି ଉପରେ ନିର୍ଭର କରିନଥାଏ। ତେଣୁ ଏହାକୁ ଦୂରଦୂରାନ୍ତ ଏବଂ ଅଧିକ ଗରମ ଥିବା ଅଞ୍ଚଳରେ ବି ବ୍ୟବହାର କରିହେବ।

ମାତ୍ର ୨୦ ମିନିଟରେ ତାପମାତ୍ରା ହୋଇଯିବ ୩.୬ ଡିଗ୍ରୀ ସେଲସିୟସ୍ 

ଟେଷ୍ଟିଂ ବେଳେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଟେକ୍ନୋଲୋଜି ଖୁବ୍ ଦୃତ ଗତିରେ କାମ କରିଥାଏ। ପ୍ରାୟ ୨୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିବା ବାତାବରଣକ ଏହି ସିଷ୍ଟମ କେବଳ ମାତ୍ର ୨୦ ମିନିଟରେ ୩.୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ନେଇ ଆସିଥାଏ। ରିସର୍ଚ୍ଚରେ ଏହା ମଧ୍ୟ ଜଣାପଡିଛି ଯେ, ଆମୋନିୟମ୍ ନାଇଟ୍ରେଟ୍ ଅନ୍ୟ ସାଧାରଣ କୁଲିଂ ସଲ୍ଟ ତୁଳନାରେ ପ୍ରାୟ ୪ ଗୁଣା ଅଧିକ ପ୍ରଭାବୀ ପ୍ରମାଣିତ ହୋଇଛି।

ନିଜକୁ ନିଜେ ତିଆରି କରିନିଏ

Nescodଟେକ୍ନୋଳୋଜିର ସବୁଠାରୁ ଖାସ୍ କଥା ହେଲା ଏହାର ରିଜେନେରେଂସନ୍ କ୍ଷମତା ରହିଛି। ସାଧାରଣ ଭାବରେ ଏୟାର କଣ୍ଡିସନ୍ର ଲଗାତାର ବିଜୁଳି ଖର୍ଚ୍ଚ କରିଥାଏ, କିନ୍ତୁ ଏହି ସିଷ୍ଟମ ଅଲଗା ଭାବରେ କାମ କରିଥାଏ। ଯେତେବେଳେ ଆମୋନିୟମ୍ ନାଇଟ୍ରେଟ୍ ଗରମକୁ ଦୂର କରିନିଏ ଓ ପାଣିରେ ସମ୍ପୂର୍ଣ୍ଣ ଭାବରେ ମିଶିଯାଏ ସେତେବେଳେ ସୌର ଉର୍ଜା ସାହାଯ୍ୟରେ ପାଣିକୁ ପୁଣିଥରେ ବାଷ୍ପରେ ପରିଣିତ କରିଦେଇଥାଏ। ଏଥିରେ ଲୁଣ ପୁଣିଥରେ କ୍ରିଷ୍ଟଲ ରୂପରେ ତିଆରି ହୋଇଯାଏ। ଦ୍ବିତୀୟ ଥର ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇଯାଏ। ଅର୍ଥାତ ଏଭଳି କୁଲିଂ ସିଷ୍ଟମ, ଯାହାକି ସୂର୍ଯ୍ୟଙ୍କ ଶକ୍ତିରୁ ନିଜକୁ ରିସେଟ୍ କରିପାରେ।

ପାଣିର ସଞ୍ଚୟ ବି କରିବ :

ଗରମ ଓ ଶୁଖିଲା ଅଞ୍ଚଳରେ ପାଣିର ଅଭାବ ଖୁବ୍ ଅଧିକ ରହିଥାଏ। ଏଭଳି ସ୍ଥିତିରେ ବୈଜ୍ଞାନିକମାନେ ଏଭଳି ଟେକ୍ନୋଲୋଜିକୁ ଡିଜାଇନ୍ କରିଛନ୍ତି, ଯାହାକି ବାଷ୍ପିଭୂତ ପାଣିକୁ ଏକାଠି କରି ପୁଣି ବ୍ୟବହାର କରିହେବ। ଏହାଦ୍ବାରା ପାଣିର ଅଭାବ କମ୍ ହୋଇଯିବ ଓ ସିଷ୍ଟମ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବ। ଆଜିର ଦୁନିଆରେ ଏୟାର କଣ୍ଡିସନ ବିଜୁଳି ଖର୍ଚ୍ଚର ବହୁତ ବଡ ଅଂଶ ପାଲଟିଛି।  ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ, ବିଶ୍ୱ ବିଦ୍ୟୁତ୍ ବ୍ୟବହାରର ପ୍ରାୟ ୧୦% କେବଳ କୁଲିଂ ସିଷ୍ଟମ ପାଇଁ ବ୍ୟବହାର ହୁଏ। ସାଉଦି ଆରବ ଭଳି ଦେଶରେ, ଗ୍ରୀଷ୍ମ ଋତୁରେ ଘର ଗୁଡିକୁ ଥଣ୍ଡା ରଖିବା ପାଇଁ ଯଥେଷ୍ଟ ବିଜୁଳି ଆବଶ୍ୟକ ହୁଏ। ଏହି କ୍ଷେତ୍ରଗୁଡ଼ିକରେ, ନେସ୍କୋଡ୍ ଭଳି ଟେକ୍ନୋଲୋଜି ବିଦ୍ୟୁତ୍ ଚାହିଦାକୁ ଯଥେଷ୍ଟ ହ୍ରାସ କରିପାରିବ। ଏହି ଟେକ୍ନୋଲୋଜି ସେହି କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ ଯେଉଁଠାରେ ବିଦ୍ୟୁତ୍ ଯୋଗାଣ ସ୍ଥିର ନାହିଁ କିମ୍ବା ବିଲକୁଲ୍ ନାହିଁ।