ଦକ୍ଷିଣ ଏସିଆର ଦୁଇ କୁଖ୍ୟାତ ଦେଶ। ଦୁହିଁଙ୍କ ମୋଟୋ ଆତଙ୍କବାଦ। ଜଣେ ପାକିସ୍ତାନ... ଯିଏ ଆତଙ୍କବାଦୀଙ୍କ ଗଡ୍ ଫାଦର। ଆଉ ଜଣେ ଆଫଗାନିସ୍ତାନ... ଯିଏ ଆତଙ୍କବାଦୀଙ୍କ ସବୁଠୁ ବଡ଼ ଟ୍ରେନିଂ ସେଣ୍ଟର। ସମାନ ଧର୍ମ, ରୋଟି-ବେଟିର ସମ୍ପର୍କ। ଗୋଳା ବାରୁଦ ହେଉକି ଅସ୍ତ୍ରଶସ୍ତ୍ର ସପ୍ଲାଏ କିମ୍ଵା ଆତଙ୍କୀ ଯୋଗାଣ, ଯେତେବେଳେ ଯାହାକୁ ଯାହା ଦରକାର ପଡୁଥିଲା, ଅନ୍ୟ ଜଣେ ତାକୁ ଯୋଗାଇ ଦେଉଥିଲା। ଯେତେବେଳେ ଆଫଗାନିସ୍ତାନ ଋଷ ଓ ଆମେରିକା ସହ ଲଢେଇ କଲା ସେତେବେଳେ ପାକିସ୍ତାନ ସାଥ ଦେଲା। ଆାଉ ଯେତେବେଳେ ପାକିସ୍ତାନ ଭାରତ ସହ ଲଢିଲା ଆଫଗାନିସ୍ତାନ ଆତଙ୍କବାଦୀ ପଠାଇ ଦେଲା। ହେଲେ ଏମିତି କଣ ଘଟିଲା, ଏହି ମଧୁର ସମ୍ପର୍କରେ ଭଟ୍ଟା ପଡ଼ିଲା ? ଦୁଇ ବନ୍ଧୁଙ୍କ ଭିତରେ ଅହିନକୁଳ ସମ୍ପର୍କ କେମିତି ସୃଷ୍ଟି ହେଲା ? ଏହା ପଛର କାରଣ କ'ଣ ? ଦୁଇ ଇସଲାମିକ ଦେଶ ଭିତରେ କଳିର ମଞ୍ଜି କିଏ ?

୧୪ ଅଗଷ୍ଟ ୧୯୪୭ ମସିହା... ବିଭାଜନ ହେଲା ଭାରତ। ମହମ୍ମଦ ଅଲି ଜିନାଙ୍କ ଜିଦ ରେ ତିଆରି ହେଲା ଏକ ମୁସଲମ ଦେଶ ପାକିସ୍ତାନ। ଭାରତ ଠାରୁ ପାକିସ୍ତାନ ସିନା ଅଲଗା ହୋଇଗଲା... ହେଲେ ଇସଲାମାବାଦକୁ ଯୌତୁକରେ ଆଫଗାନିସ୍ତାନ ସହ ଏକ ସୀମାରେଖା ମିଳିଲା। ଯାହାକୁ କୁହାଯାଉଛି- ଡୁରାଣ୍ଡ ଲାଇନ୍। 

ଇଂରେଜ ଟାଣିଥିଲେ ଲକ୍ଷ୍ମଣ ରେଖା

ପାକିସ୍ତାନ ଏବଂ ଆଫଗାନିସ୍ତାନକୁ ପରସ୍ପର ଠାରୁ ଅଲଗା କରୁଥିବା ସୀମାରେଖା ଡୁରାଣ୍ଡ ଲାଇନ୍। ଏହାର ଲମ୍ଵ ୨୦୧୭ କିମି। ଏହାର ଇତିହାସ ପ୍ରାୟ ୧୩୦ ବର୍ଷ ପୁରୁଣା। ସେତେବେଳେ ଭାରତକୁ ଇଂରେଜମାନେ ଶାସନ କରୁଥିଲେ। ବିସ୍ତାରବାଦୀ ନୀତି ପାଇଁ ୧୮୩୯ରେ ଇଂରେଜମାନେ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲେ। ହେଲେ ଆଫଗାନିସ୍ତାନ ଗୋରା ସରକାରକୁ ମାତ୍ ଦେଇଥିଲା। ଇଂରେଜମାନେ ଏଥିରେ ହାର ମାନିଲେନି... ୩୬ ବର୍ଷ ପରେ ଇଂରେଜମାନେ ପୁଣି ଥରେ ଆଫଗାନ ଉପରେ ଆକ୍ରମଣ କଲେ। ଏହି ଯୁଦ୍ଧରେ ଇଂରେଜମାନଙ୍କୁ ସଫଳତା ମିଳିଲା। ଏହାପରେ ଇଂରେଜମାନେ ତାଙ୍କର ଆନୁଗତ୍ୟ ଅମୀର ଅବଦୁଲ ରହମାନ ଖାନଙ୍କୁ ଆଫଗାନିସ୍ତାନର ଶାସକ ଘୋଷଣା କଲେ। ଆଫଗାନିସ୍ତାନରେ ବ୍ରିଟିଶ ଶାସନକୁ ମାନ୍ୟତା ମିଳିଲା। ଏହି ସନ୍ଧି ପରେ ବ୍ରିଟିଶ ଇଣ୍ଡିଆ ସରକାର ୧୮୯୩ରେ ଜଣେ ଇଂରେଜ ଅଧିକାରୀ ସର ହେନରି ମୋର୍ଟିମର ଡୁରଣ୍ଡଙ୍କୁ କାବୁଲ ପଠାଇଥିଲେ। ନଭେମ୍ଵର ୧୨ରେ ବ୍ରିଟିଶ ଇଣ୍ଡିଆ ଓ ଆଫଗାନିସ୍ତାନ ମଧ୍ୟରେ ଏକ ଚୁକ୍ତି ହେଲା। ଏଥିରେ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରାଗଲା। ଦୁଇ ଦେଶର ନକ୍ସାରେ ଏକ ଲକ୍ଷ୍ମଣ ରେଖା ଟାଣି ଦିଆଗଲା। ଏହି ରେଖାକୁ କୁହାଯାଉଛି ଡୁରାଣ୍ଡ ଲାଇନ।

ନକ୍ସା ଭାଗବଣ୍ଟାରେ ବଳି ପଡ଼ିଗଲେ ପଶ୍ତୁନ ସମୁଦାୟ

ନକ୍ସାରେ ଏହି ଭାଗବଣ୍ଟା ଭିତରେ ପଶ୍ତୁନର ଏକ ଜନଜାତି ସମୂହ ବଳି ପଡ଼ିଗଲା। ସୀମାରେଖା ଟଣା ହେବା ଯୋଗୁଁ ପଶ୍ତୁନର ଏକ ସମୂହ ବ୍ରିଟିଶ ଇଣ୍ଡିଆରେ ରହିଗଲେ। ଆଉ ଏକ ସମୂହ ଆଫଗାନିସ୍ତାନରେ ରହିଗଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଥିଲା। ଏହି ମଧ୍ୟରେ ୧୯୧୯ରେ ଇଂରେଜମାନେ ଚୁକ୍ତି ଭାଙ୍ଗିଲେ ଏବଂ ଆଫଗାନିସ୍ତାନ ଉପରେ ପୁଣି ଥରେ ଆକ୍ରମଣ କଲେ। ଯେଉଁଥିପାଇଁ ଆଫଗାନିସ୍ତାନ ଡୁରାଣ୍ଡ ଲାଇନ ମାନିବାକୁ ମନା କରିଦେଲା। ୧୯୪୭ ଅଗଷ୍ଟ ୧୫ରେ ସ୍ଥିତି ବଦଳିଗଲା। ଭାରତ ସ୍ଵାଧୀନ ହେଲା ଏବଂ ପାକିସ୍ତାନ ଭାରତ ଠାରୁ ଅଲଗା ହୋଇଗଲା। ହେଲେ ସ୍ଵାଧୀନତା ସହ ପାକିସ୍ତାନକୁ ଫ୍ରିରେ ଏହି ଡୁରାଣ୍ଡ ଲାଇନ ମିଳିଲା।

ଦୀର୍ଘଦିନର ମଦଭେଦ ଯୋଗୁଁ ଯୁଦ୍ଧ 

ଏବେ ଆଫଗାନିସ୍ତାନ ଅସଲ ରଙ୍ଗ ଦେଖାଇଲା। ଡୁରାଣ୍ଡ ଲାଇନ କୁ ମାନିବାକୁ ମନା କରିଦେଲା। ବ୍ରିଟିଶମାନେ ଏହାକୁ ଜୋର ଜବରଦସ୍ତି ଟାଣିଛନ୍ତି ବୋଲି କହିଲା। ହେଲେ ପାକିସ୍ତାନ ଏହାକୁ ଅନ୍ତରାଷ୍ଟ୍ରୀୟ ସୀମାରେଖା କହିଲା। ଯେଉଁଥିପାଇଁ ଦୁଇ ଦେଶ ଭିତରେ ଦୀର୍ଘଦିନ ଯାଏଁ ମତଭେଦ ଚାଲିଲା। ଆକ୍ରମଣ ପ୍ରତିଆକ୍ରମଣ ହେଲା। ଶେଷରେ ୧୯୪୯ ଜୁଲାଇ ୨୬ରେ ଡୁରାଣ୍ଡ ଲାଇନ କୁ ମାନିବନି ବୋଲି ଆଫଗାନିସ୍ତାନ ଘୋଷଣା କରିଦେଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଥିଲା। ଏହି ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିଲା। ପାକିସ୍ତାନ ସମ୍ପର୍କରେ ଉନ୍ନତି ଆଶା କରିଥିଲା। କିନ୍ତୁ ବାସ୍ତବରେ ଏହାର ବିପରୀତ ଘଟିଲା। ଡୁରାଣ୍ଡ ଲାଇନ ରେ TTP ଭଳି ଏକ ଗୋଷ୍ଠୀ ଆକ୍ଟିଭ ହୋଇଗଲା। ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଲା। ତାଲିବାନ ସରକାର ମଧ୍ୟ ଟିଟିପି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିଗଲା।

ପରିଣାମ ଭୋଗିବ ଦକ୍ଷିଣ ଏସିଆ

ଏହି ଉତ୍ତେଜନା ୨୦୨୬ରେ ଶୀର୍ଷରେ ପହଞ୍ଚିଛି। ଆତଙ୍କବାଦର ଦ୍ଵାହି ଦେଇ ପାକିସ୍ତାନ ଫେବୃଆରୀରେ TTP ଶିବିର ଉପରେ ଆକ୍ରମଣ କରିଛି। ଏହାର ଜବାବ ଦେବାକୁ ଯାଇ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଉପରେ ପ୍ରତିଆକ୍ରମଣ କରିଛି। ସ୍ଥିତି ଏମିତି ହୋଇଛି ଯେ, ପାକ ବୈଦେଶିକ ମନ୍ତ୍ରୀ ଏବେ ଆଫଗାନିସ୍ତାନ ବିରୋଧରେ ଓପୋନ ୱାର ଘୋଷଣା କରିଛନ୍ତି। ତେବେ ଆଗକୁ ଯଦି ଏହି ଯୁଦ୍ଧ ତୀବ୍ର ହୁଏ ତାହେଲେ ସମଗ୍ର ଦକ୍ଷିଣ ଏସିଆ ଏହାର ପରିଣାମ ଭୋଗିବ। ତେବେ ଦୁଇ ଦେଶ ମଧ୍ୟରେ ଏହି ତିକ୍ତତା ପଛରେ କାରଣ ଆତଙ୍କବାଦ ତ ନାମକୁ ମାତ୍ର। ଏହି ଯୁଦ୍ଧର ଅସଲ କାରଣ ହେଉଛି ଡୁରାଣ୍ଡ ଲାଇନ। ଏହା ଏଭଳି ଏକ ପୁରୁଣା କ୍ଷତ, ଯାହା ୧୩୩ ବର୍ଷ ପରେବି ସତେଜ ଅଛି।