କର୍କଟ ଭାରତରେ ମୃତ୍ୟୁର ପ୍ରମୁଖ କାରଣ ସାଜିଛି । ୨୦୨୨ରେ ୧୪.୧ ଲକ୍ଷ ନୂଆ ମାମଲା ଓ ୯.୨ ଲକ୍ଷଙ୍କ ମୃତ୍ୟୁ ହୋଇଥିବା ରେର୍କଡ ରହିଛି । ଏହାର ମୁଖ୍ୟ କାରଣ ରୋଗ ବିଳମ୍ବରେ ଜଣାପଡିବା । ଚାଲନ୍ତୁ ଜାଣିବା କର୍କଟ ଆଡଭାନ୍ସ ଷ୍ଟେଜ୍ରେ ଜଣାପଡିବାର କାରଣ କ'ଣ?
କର୍କଟ ରୋଗ ଗମ୍ଭୀର ସମସ୍ୟା, ଯାହାର ନାଁ ଶୁଣିଲେ ଲେକାଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ । ସାରା ବିଶ୍ୱରେ ମୃତ୍ୟୁର ସବୁଠାରୁ ବଡ଼ କାରଣ ମଧ୍ୟରେ କର୍କଟ ସାମିଲ୍ ରହିଛି । GLOBOCON ୨୦୨୨ର ରେକର୍ଡ ଅନୁସାରେ ଭାରତରେ ୧୪.୧ ଲକ୍ଷ ନୂଆ କର୍କଟ ମାମଲା ସାମ୍ନାକୁ ଆସିବା ସହ ୯.୨ ଲକ୍ଷଙ୍କର ମୃତ୍ୟୁ ହୋଇଥିବା ରେକର୍ଡ ରହିଛି । ଏହାର ସବୁଠାରୁ ବଡ଼ କାରଣ ହେଉଛି ରୋଗର ଚିହ୍ନଟରେ ବିଳମ୍ବ ହେବା । ବିଜ୍ଞାନ ଖୁବ୍ ପ୍ରଗତି କରିଥିଲେ ମଧ୍ୟ କର୍କଟ ରୋଗର ଚିହ୍ନଟ ପ୍ରାୟତଃ ସବୁବେଳେ ଆଡଭାନ୍ସ ଷ୍ଟେଜ୍ରେ ହେଉଛି । ଫଳରେ ରୋଗର ଚିହ୍ନଟ ଓ ଚିକିତ୍ସା ପ୍ରାୟତଃ ଅସମ୍ଭବ ହୋଇପଡୁଛି । କାହିଁକି ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡୁନାହିଁ ଚାଲନ୍ତୁ ଜାଣିବା ଫରିଦାବାଦର ମେଡିକାଲ୍ ଅଙ୍କୋଲୋଜିଷ୍ଟ ପ୍ରଶାନ୍ତ ମେହେତାଙ୍କଠାରୁ ।
ରେକର୍ଡ ଉପରେ ନଜର ପକାନ୍ତୁ: ଆଇସିଏମ୍ଆର୍ର ନ୍ୟାସନାଲ କ୍ୟାନସର ରେଜେଷ୍ଟ୍ରି ପ୍ରୋଗ୍ରାମ ଅନୁସାରେ ୬୦ ପ୍ରତିଶତ ସର୍ଭାଇକାଲ୍ କର୍କଟ ଓ ୫୭ ପ୍ରତିଶତ ବ୍ରେଷ୍ଟ କର୍କଟର ଚିହ୍ନଟ ଖୁବ୍ ଡେରିରେ ହୋଇଥାଏ । ହେଡ୍ ଆଣ୍ଡ୍ ନେକ୍ କର୍କଟର ଚିହ୍ନଟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ଜଣାପଡିଥାଏ । ଫୁସ୍ଫୁସ୍ କର୍କଟରେ ୪୫ରୁ ୪୮ ପ୍ରତିଶତ ମାମଲା ଚିକିତ୍ସା ଆରମ୍ଭ ହେବା ବେଳକୁ ଏହା ଶରୀରର ଅନ୍ୟ ଅଙ୍ଗକୁ ମାଡି ସାରିଥାଏ ।
କାହିଁକି ଚିହ୍ନଟ ଡେରି ହୁଏ?
ସଚେତନତା ଓ ସ୍କ୍ରିନିଂର ଅଭାବ: ଲୋକମାନେ କର୍କଟର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବାକୁ ନେଇ ସେତେଟା ସଚେତନ ନୁହନ୍ତି । ଭାରତରେ ରୁଟିନ୍ ଚେକଅପ୍ ଓ ସ୍କ୍ରିନିଂ କରିବା ସେତେଟା ବିକଶିତ ହୋଇପାରିନାହିଁ । ସ୍କ୍ରିନିଂରେ ଲକ୍ଷଣ ଦେଖାଯିବା ପୂର୍ବରୁ ରୋଗ ଚିହ୍ନଟ ହୋଇଥାଏ, ଯାହା ଏବେ ଖୁବ୍ କମ୍ ଲୋକ କରିଥାନ୍ତି ।
ସାମାଜିକ ଡର ଓ ସଙ୍କୋଚ: ଆଜି ବି ସମାଜରେ କର୍କଟ କହିଲେ ମୃତ୍ୟୁ ନିଶ୍ଚିତ ବୋଲି ଧରି ନିଆଯାଏ । ତେଣୁ ଲୋକମାନେ ଡରରେ କୌଣସି ଅସାମାନ୍ୟ ପରିବର୍ତ୍ତନକୁ ନେଇ ଡାକ୍ତରଙ୍କ ପରାମର୍ଶ କରି ନଥାନ୍ତି । ବିଶେଷକରି ମହିଳାମାନେ ସ୍ତନ କର୍କଟ ଓ ସର୍ଭାଇକାଲ କର୍କଟକୁ ନେଇ ଡାକ୍ତର ପରାମର୍ଶ ପ୍ରାୟତଃ କରି ନଥାନ୍ତି । ସଙ୍କୋଚ ସବୁଠାରୁ ବଡ଼ ପ୍ରତିବନ୍ଧକ ।
ଲକ୍ଷଣ ସାମାନ୍ୟ ଲାଗିଥାଏ: କର୍କଟର ପ୍ରାରମ୍ଭିକ ଲକ୍ଷଣ ହାଲ୍କା ଯନ୍ତ୍ରଣା, କାଶ, ଓଜନ କମିବା, ବଦ୍ହଜମୀ ଖୁବ୍ ସାଧାରଣ ହୋଇଥାଏ । ଲୋକମାନେ ଏହାକୁ ସାମାନ୍ୟ ଅସ୍ୱାଭାବିକ ଭାବି ସାଧାରଣ ଔଷଧ ଖାଇଥାନ୍ତି । ଫଳରେ ସମୟ ଗଡ଼ିଚାଲେ । ରୋଗ ବଢିଚାଲେ ।ମେଡିକାଲ୍ ବ୍ୟବସ୍ଥା ଓ ଆର୍ଥିକ ଚ୍ୟାଲେଞ୍ଜ: ଯାଞ୍ଚ ପ୍ରକ୍ରିୟା କଷ୍ଟକର ହେବା ସହ ରେଫରାଲ୍ ବ୍ୟବସ୍ଥାରେ ମଧ୍ୟ ଡେରି ହୋଇଥାଏ । ଅନେକ ସମୟରେ ପ୍ରାଥମିକ ପର୍ଯ୍ୟାୟରେ ମଧ୍ୟ ଠିକ୍ ଭାବେ ଯାଞ୍ଚ ହୋଇପାରି ନଥାଏ । ଏହାବ୍ୟତୀତ ଯାଞ୍ଚ ପାଇଁ ଅଧିକ ଖର୍ଚ୍ଚ ହେଉଥିବା ଯୋଗୁ ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନଥାଏ ।
ଭୁଲ୍ ତଥ୍ୟ: କିଛି ଲୋକ ଇଣ୍ଟନେଟ୍ ସହାୟତା ନେଇ ତ ଆଉ କିଛି ଘରୋଇ ଉପାୟରେ ଔଷଧ ନେବା ସହ ସମୟ ନଷ୍ଟ କରିଥାନ୍ତି । ଫଳରେ ଡାକ୍ତରୀ ଚିକିତ୍ସା କରିବା ବେଳକୁ ସମୟ ପ୍ରାୟତଃ ଶେଷ ଅବସ୍ଥାରେ ପହଞ୍ଚିଥାଏ ।