ନୂଆଦିଲ୍ଲୀ,୦୯/୦୪; ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଏବଂ ଅନ୍ୟାନ୍ୟ ଦଳୀୟ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ପରେ, ସମସ୍ତଙ୍କ ନଜର ଏବେ ରାଘବ ଚଢାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଥିବା ଏକ ରିଲ୍ ତାଙ୍କ ଭବିଷ୍ୟତ ରାଜନୈତିକ ଯୋଜନା ବିଷୟରେ ନୂଆ କଳ୍ପନାଜଳ୍ପନା ସୃଷ୍ଟି କରିଛି ।
ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଇସାରା ଦେଇ, ରାଘବ ଚଢା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ରିଲ୍ ସେୟାର କରିଛନ୍ତି । କ୍ୟାପ୍ସନରେ 'ଆକର୍ଷଣୀୟ ଚିନ୍ତାଧାର' ବୋଲି ଲେଖିଛନ୍ତି । ସୀଧାଥୋକ୍ ନାମକ ଜଣେ ୟୁଜରଙ୍କ ରିଲକୁ ସେୟାର କରିଛନ୍ତି ରାଘବ । ସେ କହୁଛନ୍ତି, ବର୍ତ୍ତମାନ ସମସ୍ତେ ଚାହୁଛନ୍ତି ରାଘବ ଚଡା ତାଙ୍କର ଏକ ନିଜର ଦଳ ଗଢନ୍ତୁ । ତାଙ୍କୁ ବିପୁଳ ଜନସମର୍ଥନ ଦେବ । ରାଘବଙ୍କୁ ସିଧାସଳଖ ସମ୍ବୋଧିତ କରି ୟୁଜର ଜଣଙ୍କ କହିଛନ୍ତି, ବର୍ତ୍ତମାନ ସମସ୍ତେ ଚାହାନ୍ତି ରାଘବ ଚଢା ଜେନ-ଜି ପାର୍ଟି କିମ୍ବା ଅନ୍ୟ କୌଣସି ଉପଯୁକ୍ତ ନାମରେ ନିଜର ଦଳ ଗଢନ୍ତୁ ।'' ରାଘବ ଚଢା ଏହାକୁ ସେୟାର କରି 'ଆକର୍ଷଣୀୟ ଚିନ୍ତାଧାର' ବୋଲି ଲେଖିଛନ୍ତି ।
ଅନ୍ୟ ପାର୍ଟିକୁ ଯିବାର ଅସୁବିଧା- ରିଲରେ ବ୍ୟକ୍ତି ଜଣକ କହିଛନ୍ତି, ଚଢା ଯଦି ଅନ୍ୟ ଦଳରେ ଯୋଗ ଦିଅନ୍ତି ତେବେ ବର୍ତ୍ତମାନ ମିଳୁଥିବା ସମର୍ଥନ ମିଳି ନପାରେ ଏବଂ ତାଙ୍କୁ ଘୃଣାର ଶିକାର ହେବାକୁ ପଡିପାରେ । ନିଜସ୍ୱ ଦଳ ଗଠନ କରିବା ସଠିକ୍ ନିଷ୍ପତ୍ତି ହେବ । କାରଣ ଏହା ତାଙ୍କୁ ଯୁବପିଢିଙ୍କଠାରୁ ସମର୍ଥନ ଦେବ । ରାଘବ ଚଢା ଏହି ରିଲ୍ ସେୟାର କରି ଭଲ ଚିନ୍ତାଧାର ଦର୍ଶାଇଥିଲେ ବି କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି ।
ଏହା ବି ପଢନ୍ତୁ...‘ଧୁରନ୍ଧର’ ଷ୍ଟାଇଲରେ ଆପ୍କୁ ରାଘବଙ୍କ ଜବାବ୍: ‘ସଂସଦକୁ ଲୋକଙ୍କ ସମସ୍ୟା ଉଠାଇବାକୁ ଯାଇଥିଲି, ଚିତ୍କାର କରି ଗାଳି କରିବାକୁ ନୁହେଁ’
ଗତ ସପ୍ତାହରେ ଆପ୍ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା । ତାଙ୍କ ସ୍ଥାନରେ ଦଳ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବାଛିଛି । ରାଜ୍ୟସଭା ସଚିବାଳୟକୁ ପତ୍ର ଲେଖି ଆପ୍ ଏହା ଜଣାଇଥିଲା । ପତ୍ରରେ ଆପ୍ ଦର୍ଶାଇଥିଲା କି, ଏଣିକି ରାଘବ ଚଢ଼ାଙ୍କୁ ଦଳ ପକ୍ଷରୁ କହିବାକୁ ନ ଦିଆଯାଉ । ରାଘବ ୨୦୨୨ରେ ପଞ୍ଜାବରୁ ରାଜ୍ୟସଭାରେ ସାଂସଦ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିଛି । ଆପ୍ କାହିଁକି ରାଘବଙ୍କୁ ଉପନେତା ପଦରୁ ହଟାଇଲା ତାହା ଜଣାଇନାହିଁ । ତେବେ ରାଘବ ଦୀର୍ଘ ଦିନ ହେଲା ଦଳରୁ ଦୂରତା ବନାଇଛନ୍ତି ଏବଂ ଆପ୍କୁ ନେଇ କୌଣସି ବୟାନ ମଧ୍ୟ ଦେଉନାହାନ୍ତି । ଆସାମର ଷ୍ଟାର ପ୍ରଚାରକ ତାଲିକାରେ ରାଘବଙ୍କୁ ସାମିଲ କରା ନ ଯିବା ପରେ ଆପ୍ରେ ଅନ୍ତଃକନ୍ଦଳ ନେଇ ଚର୍ଚ୍ଚା ହୋଇଥିଲା ।