ନୂଆଦିଲ୍ଲୀ, ୧୧/୦୭ : ସୂର୍ଯ୍ୟର ଉର୍ଜ୍ଜା ଯେତେବେଳେ ଶେଷ ହୋଇଯିବ, ପୃଥିବୀର କ’ଣ ହେବ ? ଦୀର୍ଘ ସମୟ ହେଲା ବୈଜ୍ଞାନିକମାନେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି । ବିଶ୍ୱାସ କରାଯାଉଛି, ୫ଶହ କୋଟି ବର୍ଷ ପରେ ସୂର୍ଯ୍ୟର ଉଦ୍‌ଯାନ ଇନ୍ଧନ ଶେଷ ହେବାକୁ ଲାଗିବ । ତା’ପରେ ଏହା ଅତି ବିଶାଳକାୟ ‘ରେଡ୍‌ ଜାଏଣ୍ଟ’ ପାଲଟିଯିବ । ପୂର୍ବର ଅନେକ ଅଧ୍ୟୟନରେ କୁହାଯାଇଥିଲା, ସୂର୍ଯ୍ୟ ସେତେବେଳେ ବୁଧ, ଶୁକ୍ର ଓ ବୋଧହୁଏ ପୃଥିବୀକୁ ମଧ୍ୟ ଗିଳିଦେବ । କିନ୍ତୁ ସଦ୍ୟତମ ଅଧ୍ୟୟନରେ ଏହାକୁ ନେଇ ଏକ ନୂଆ ଆଶା ଉଜ୍ଜୀବିତ ହୋଇଛି । 

ଅଧ୍ୟୟନ ଅନୁସାରେ, ପୃଥିବୀ ପୂର୍ବ ଧାରଣା ତୁଳନାରେ ଅଧିକ ସୁରକ୍ଷିତ ହୋଇପାରେ। ବୈଜ୍ଞାନିକମାନେ ସୂର୍ଯ୍ୟ ଓ ଗ୍ରହଙ୍କ ମଧ୍ୟରେ ମାଧ୍ୟାକର୍ଷଣ ବଳର ନୂଆ ମଡେଲ ପ୍ରସ୍ତୁତ କଲେ । ଏଥିରୁ ଜଣାପଡ଼ିଲା, ସୂର୍ଯ୍ୟ ବୁଢ଼ା ହେବା ସହିତ ପୃଥିବୀକୁ ନିଜ ଆଡ଼କୁ ଆକର୍ଷିତ କରିବାର ଶକ୍ତି ପୂର୍ବ ଅନୁମାନ ତୁଳନାରେ ଅଧିକ ଦୁର୍ବଳ ହୋଇପାରେ । ଏପରି ହେଲେ, ପୃଥିବୀ ଧୀରେ ଧୀରେ ନିଜ କକ୍ଷରୁ ବାହାରି ଯାଇପାରେ । ଏହା ଦ୍ୱାରା ତା’ର ସୂର୍ଯ୍ୟ ଭିତରେ ସମାହିତ ହେବାର ଆଶଙ୍କା କମିପାରେ ଏବଂ ବଞ୍ଚିବାର ସମ୍ଭାବନା ବଢ଼ିପାରେ । ତେବେ ଏହି ଅଧ୍ୟୟନ ପୃଥିବୀ ବଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇନାହିଁ । 

ଏବେ ବି ସବୁଠୁ ବଡ଼ ପ୍ରଶ୍ନ ହେଉଛି ନିଜର ଶେଷ ସମୟରେ ସୂର୍ଯ୍ୟ କେତେ ଓଜନ ହରାଇବ। ଯଦି ବହୁତ ଅଧିକ ଓଜନ ହରାଇଦିଏ, ତେବେ ତା’ର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଯିବ ଏବଂ ପୃଥିବୀ ତା’ଠୁ ଦୂରେଇ ଯାଇପାରେ । କିନ୍ତୁ ସେମିତି ନ ହେଲେ, ସୂର୍ଯ୍ୟର ବର୍ଦ୍ଧିତ ଉତ୍ତାପ ଓ ଆକାର ପୃଥିବୀ ପାଇଁ ବଡ଼ ବିପଦ ହୋଇପାରେ । ସେଥିପାଇଁ ଏହା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ । ସୂର୍ଯ୍ୟର ଉଦ୍‌ଯାନ ଶେଷ ହୋଇଗଲେ, ଏହା ଦ୍ରୁତ ବେଗରେ ବ୍ୟାପିବ ଏବଂ ବିଶାଳକାୟ ଲାଲ୍‌ ପିଣ୍ଡ ପାଲଟିବ । ଏହି ସମୟରେ ମହାକାଶରେ ବ୍ୟାପକ ମାତ୍ରାରେ ଗ୍ୟାସ୍‌ ଓ ଅନ୍ୟ ପଦାର୍ଥ ଛାଡ଼ିବ। 

ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟ ନିଜର ମୋଟ୍‌ ଓଜନର ପ୍ରାୟ ଅଧା ଅଂଶ ହରାଇପାରେ । ଏହାର ପ୍ରଭାବରେ ଯେଉଁ ଗ୍ରହ ବଳିପଡ଼ିବେ, ସେମାନେ ପୂର୍ବାପେକ୍ଷା ଅଧିକ ଦୂର କକ୍ଷରେ ଘୂରିବେ ଏବଂ ସେମାନଙ୍କ ଦୂରତା ପ୍ରାୟ ଦି’ଗୁଣ ହୋଇଯିବ । ଅଧ୍ୟୟନ ଅନୁସାରେ, ବୁଧ ଓ ଶୁକ୍ରର ବଞ୍ଚିବା ସମ୍ଭାବନା ପ୍ରାୟ ନାହିଁ । କାରଣ ଏ ଦୁହେଁ ସୂର୍ଯ୍ୟର ସବୁଠୁ ନିକଟତର । କିନ୍ତୁ ମଙ୍ଗଳ ଓ ପୃଥିବୀ ଏହାଠୁ ଦୂରରେ ଥିବାରୁ ଏହି ଆଶଙ୍କା କମ୍‌ । ଅଧ୍ୟୟନର ମୁଖ୍ୟ ବୈଜ୍ଞାନିକ ମ୍ୟାଟ୍ସ ଏସ୍‌ସେଲଡ୍ୟୁସ କହିଛନ୍ତି, ଏବେ ଚୂଡ଼ାନ୍ତ ନିଷ୍କର୍ଷ ବାହାର କରିବା ସମ୍ଭବ ନୁହେଁ । ଏଥିପାଇଁ ସୂର୍ଯ୍ୟ ଭଳି ଅନ୍ୟ ବୟସ୍କ ନକ୍ଷତ୍ର ଉପରେ ଗଭୀର ଅଧ୍ୟୟନ କରିବାକୁ ହେବ । ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି ।

ଆହୁରି ପଢନ୍ତୁ- Space Debris: ମୁଣ୍ଡ ଉପରେ ଘୂରୁଛି ଅଦୃଶ୍ୟ ବିପଦ ! ବନ୍ଦ ହୋଇପାରେ GPS-ଇଣ୍ଟରନେଟ୍ ସେବା