ନୀଳଗିରି, ୧୧/୦୭: ନୀଳଗିରି ସହରରେ ବୁଲୁଛି ଭାଲୁ । ଏନେଇ ସହରବାସୀ ହୋଇ ପଡିଛନ୍ତି ଆତଙ୍କିତ । ଶୁକ୍ରବାର ରାତିରେ ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ଏକ ଭାଲୁ ଆସି ନୀଳଗିରି ସହରରେ ବୁଲୁଥିବାର ଦେଖିବାକୁ ମିଳିଛି । ରାସ୍ତାରେ ସାଇକେଲରେ ଯାଉଥିବା ଦୁଇ ଯୁବକଙ୍କ ଉପରକୁ ଝାମ୍ପ ମାରିଛି । ଭାଲୁ ଆକ୍ରମଣରେ ଡ୍ରେନରେ ପଡି ଦୁଇ ଯୁବକ ଆହତ ହୋଇ ଅଳ୍ପକେ ବର୍ତ୍ତିଛନ୍ତି । ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଅଧିକ ପଢ଼ନ୍ତୁ :- Odisha Kudu Duck: ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଲା ଜାତୀୟ ମାନ୍ୟତା; ବାର୍ଡ-ଫ୍ଲୁ ବି ହୁଏନି, ବାର୍ଷିକ ୧୪୯ଟି ଅଣ୍ଡା ଦିଏ
ସୂଚନା ଅନୁଯାୟୀ, ବଜାରରୁ ସାଇକେଲ ଯୋଗେ ଘାଟଘରସାହି ଅଞ୍ଚଳର ଦୁଇ ଯୁବକ ରାହୁଲ ସିଂ ଓ ସନ୍ତୋଷ ସିଂ ଘରକୁ ଫେରୁଥିବାବେଳେ ଏକ ଭାଲୁ ଗର୍ଜନ କରି ରାସ୍ତା ପାର ହେଉଥିଲା । ସେହି ସମୟରେ ଜଗନ୍ନାଥ ମନ୍ଦିର ପଛ ପଟ ଗଳି ନିକଟରେ ଭାଲୁ ତାଙ୍କ ଉପରକୁ ଲମ୍ଫ ମାରିଥିଲା । ଫଳରେ ଦୁଇ ଜଣ ଡ୍ରେନରେ ପଡ଼ିଯାଇଥିଲେ । ରାହୁଲଙ୍କ ଗୋଡ଼ରେ ଆଘାତ ଲାଗିଥିବାବେଳେ ସନ୍ତୋଷଙ୍କର କାନରେ ଆଘାତ ଲାଗିଛି । ପାଖ ଲୋକ ଡାକ ପକାଇବାରୁ ଭାଲୁଟି ଗର୍ଜନ ଛାଡ଼ି ପଳାଇଯାଇଥିଲା