ହନୁମାନ୍‌ଙ୍କ କୃପା ପାଇବାର ସବୁଠୁ ସହଜ ଅଚୁକ ଉପାୟ ହନୁମାନ ଚାଳିସା ପାଠ । ବଜରଙ୍ଗବାଲୀଙ୍କ କୃପା ପ୍ରାପ୍ତ ହେଲେ ଜୀବନରୁ ରୋଗ, ଶୋକ, ଭୟ ଦୂରେଇଯିବା ସହିତ ମନରେ ଅମିତ ସାହସ ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ । ତେବେ ହନୁମାନ୍‌ ଚାଳିସା ପଢ଼ିବାର ଉଚିତ ସମୟ ରହିଛି । ସୁତରାଂ କେଉଁ ସମୟରେ ହନୁମାନ୍‌ ଚାଳିସା ପାଠ କଲେ ସର୍ବୋତ୍କୃଷ୍ଟ ଫଳ ମିଳିଥାଏ ଏବଂ କେଉଁ ସମୟରେ ହନୁମାନ୍‌ ଚାଳିସା ପାଠର ବିଶେଷ ଲାଭ ମିଳେ ନାହିଁ ତାହା ଜାଣିବା ଉଚିତ ।

ସର୍ବୋତ୍କୃଷ୍ଟ ମୁହୂର୍ତ୍ତ : ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ହନୁମାନ୍‌ ଚାଳିସା ପାଠ ସବୁଠାରୁ ଭଲ ସମୟ ବୋଲି କୁହାଯାଇଛି । ଭୋର ୪ଟାରୁ ସକାଳ ସାଢ଼େ ୫ଟା ଯାଏ ବ୍ରାହ୍ମ ମୁହୂର୍ତ୍ତ ଅଟେ । ଏହି ସମୟ ସମସ୍ତ ପ୍ରକାରର ଆଧ୍ୟାତ୍ମିକ ସାଧନା ଲାଗି ପ୍ରକୃଷ୍ଟ ଅଟେ । କାରଣ ପରିବେଶରେ ଦୈବିକ ଶକ୍ତି ସକ୍ରିୟ ଥାଆନ୍ତି ।  ଭୋର୍‌ ସମୟ ବ୍ୟତୀତ ଭଲ ସମୟ ରାତି ୮ଟାରୁ ୧୦ଟା ସମୟ ମଧ୍ୟରେ ରହିଛି । ଏହା ପଛରେ କାରଣ ମଧ୍ୟ ରହିଛି । ସକାଳୁ ସନ୍ଧ୍ୟା ଯାଏ ପରମ ରାମଭକ୍ତ ହନୁମାନ୍‌ଜୀ ଥାଆନ୍ତି ତାଙ୍କର ପରମ ଆରାଧ୍ୟଙ୍କ ସେବାରେ । ଏଣୁ ସନ୍ଧ୍ୟା ପରବର୍ତ୍ତୀ ସମୟରେ ହନୁମାନ୍‌ଙ୍କୁ ପ୍ରାର୍ଥନା କଲେ ଭକ୍ତର ଡାକ ସେ ଶୀଘ୍ର ଶୁଣନ୍ତି ।

ଦ୍ୱିପ୍ରହର ଅନୁପଯୁକ୍ତ : ଦ୍ୱିପ୍ରହର ସମୟରେ ହନୁମାନ୍‌ ଚାଳିସା ପାଠ କଲେ ଏହା ଶତପ୍ରତିଶତ ଶୁଭ ଫଳଦାୟୀ ହୋଇପାରିନଥାଏ । ଏଡା ପଛରେ ରହିଛି ଏକ ପୌରାଣିକ ଉପାଖ୍ୟାନ । ରାମାୟଣ କାଳରେ ଯେବେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ବିଭୀଷଣଙ୍କୁ ରାଜତିଳକ କରାଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ ସେହି ସମୟରେ ବିଭୀଷଣଙ୍କୁ ମହାବଳୀ ହନୁମାନ୍‌ କଥା ଦେଇଆସିଥିଲେ ଯେ ପ୍ରତିଦିନ ଦ୍ୱିପ୍ରହରରେ ଦୁହିଁଙ୍କ ମଧ୍ୟରେ ନିଶ୍ଚୟ ଦେଖାସାକ୍ଷାତ ହେବ । ବିଶ୍ୱାସ କରାଯାଏ ଯେ, ସେହି କଥା ରଖିବାକୁ ଚିରଞ୍ଜୀବୀ ହନୁମାନ୍‌ ପ୍ରତିଦିନ ଦ୍ୱିପ୍ରହରରେ ବିଭୀଷଣଙ୍କ ନିକଟକୁ ଯାଇଥାଆନ୍ତି ।  ହନୁମାନ୍‌ ଚାଳିସା ପାଠ କରିବା ପୂର୍ବରୁ ପାଠକ ନିଶ୍ଚିତ ଭାବେ ଶୁଦ୍ଧ ବସ୍ତ୍ର ପିନ୍ଧିବା ଉଚିତ । ସଫାସୁତୁରା ସ୍ଥାନରେ ଏହା ପାଠ କରାଯିବା ବି ଜରୁରି । ପରିବାରରେ ସୁତକ (କାହାର ଜନ୍ମ ବା ମୃତ୍ୟୁ) ସମୟରେ ହନୁମାନ୍‌ ଚାଳିସା ପାଠ କରାଯାଇନଥାଏ । ଅନ୍ୟପକ୍ଷରେ ଋତୁସ୍ରାବ ସମୟରେ ମହିଳାମାନେ ହନୁମାନ୍‌ ଚାଳିସା ପାଠ କରିବା ଅନୁଚିତ । ହନୁମାନ୍‌ ଚାଳିସା ପାଠ ପରେ ରାମନାମ ଜପ କଲେ ଆହୁରି ଭଲ ।