ମୁମ୍ବାଇ ୧୦/୦୧: ଶାହରୁଖ ଖାନ ହିନ୍ଦୀ ସିନେଶିଳ୍ପର କିଙ୍ଗ୍‌ ଖାନ ନାମରେ ଜଣାଶୁଣା। ଅଭିନୟ  କ୍ୟାରିୟରରେ ସେ ଅନେକ ହିଟ୍‌, ସୁପରହିଟ୍‌, ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ଏହି କାରଣରୁ ଶାହରୁଖଙ୍କ ଫିଲ୍ମ ରିଲିଜକୁ ଚାତକ ପରି ଚାହିଁ ରହିଥାନ୍ତି ସିନେପ୍ରେମୀ । ଶାହରୁଖଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ । ଅଳ୍ପ ଦିନ  ତଳେ ଶାହରୁଖଙ୍କ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।  ଏହି ଭିଡିଓଟି କୌଣସି ଏକ ଉତ୍ସବର, ଯେଉଁଠି ଅନ୍ୟ ଅନେକ ତାରକା ମଧ୍ୟ  ବସିଥିବା ନଜର ଆସୁଛି ।ଏହି ଉତ୍ସବରେ ବିଦ୍ୟା ବାଲନ ଓ ଶାହରୁଖଙ୍କ  ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ଦେଖାଯାଉଛି । ଉଭୟଙ୍କ ଏହି ଭିଡିଓ ଯିଏ  ଦେଖୁଛି, ଆଶ୍ଚର୍ଯ୍ୟ ନ ହୋଇ ରହିପାରୁ ନାହିଁ । 

ଏଥିରେ ପ୍ରଥମେ ଶାହରୁଖ  ବିଦ୍ୟା  ବଲାନଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ଆପଣଙ୍କ ପାଖରେ କେତୋଟି  ଆୱାର୍ଡ ଅଛି? ବିଦ୍ୟା ତୁରନ୍ତ ଉତ୍ତରରେ କହୁଛନ୍ତି, ତାଙ୍କ  ପାଖାରେ ୪୭ଟି ଆୱାର୍ଡ ଅଛି । ପରେ ବିଦ୍ୟା ଶାହରୁଖଙ୍କୁ   ପଚାରୁଛନ୍ତି ସମାନ ପ୍ରଶ୍ନ । ଉତ୍ତରରେ ଶାହରୁଖ କହୁଛନ୍ତି, ତାଙ୍କ ନିକଟରେ ୧୫୫ଟି ପୁରସ୍କାର ରହିଛି । ଏହା ଶୁଣିବା  ପରେ ବିଦ୍ୟା ପୁଣି ପ୍ରଶ୍ନ ପଚାରୁଛନ୍ତି ଶାହରୁଖଙ୍କୁ - ୧୫୫ଟି  ପୁରସ୍କାର ମଧ୍ୟରୁ କେତୋଟି ଆପଣ କିଣିଛନ୍ତି?  ବିଦ୍ୟାଙ୍କ ଏ ପ୍ରଶ୍ନରେ ଶାହରୁଖଙ୍କ ସମେତ  ସେଠାରେ ଉପସ୍ଥିତ ଅନ୍ୟ କଳାକାରମାନେ  ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପରିସ୍ଥିତିକୁ  ହାଲ୍‌କା କରିବାକୁ ଯାଇ ବିଦ୍ୟା ଯୋଡ଼ୁଛନ୍ତି - ଏ ବର୍ଷ ଆପଣଙ୍କର ଗୋଟିଏ ଫିଲ୍ମ  ରିଲିଜ ହେବାକୁ ଯାଉଛି । ଆପଣ ୩୫ଟି  ଆୱାର୍ଡ ସୋ’ରେ ନାଚିବେ । ଏହା କହିବା  ପରେ ଉଭୟେ ଖୁବ୍‌ ହସୁଥିବା ଭିଡିଓରୁ  ଦେଖିବାକୁ ମିଳୁଛି ।