ଭୁବନେଶ୍ୱର: କୁହାଯାଏ ଭାରତୀୟ ସଂସ୍କୃତିର ପରିଚୟ ତାର ଗ୍ରାମାଞ୍ଚଳରେ ମିଳେ । କାରଣ ଗ୍ରାମ୍ୟ ଭାରତ ହିଁ ପ୍ରକୃତ ଭାରତ (ରୁରାଲ୍ ଇଣ୍ଡିଆ ଇଜ୍ ରିଅଲ୍ ଇଣ୍ଡିଆ) । ଗ୍ରାମାଞ୍ଚଳର ଏପରି ଅନୁପମ ସଂସ୍କୃତିର ମୂଳପିଣ୍ଡ ହେଉଛି ତାର ଚଳଣି, ପରମ୍ପରା ଓ ଲୋକଚରିତ୍ର । ସବୁଠାରୁ ଆକର୍ଷଣୀୟ ହେଲା ଗାଁ ଲୋକଙ୍କର ଅନାବିଳ ଆତ୍ମୀୟତା³ ଯାହାର ବାର୍ତ୍ତାବହ ସେମାନଙ୍କର ଭାଷା, କଥା, ବାକ୍ୟ, ବୋଲିବାଣୀ, ଢଗଢମାଳି, ବଚନିକା, ସମ୍ଭାଷଣ, ସମ୍ବୋଧନ ଓ ସେ ସବୁକୁ କହିବାର ଢଙ୍ଗ । ‘ଅମୃତ ମଧୁର ବଚନ, କହି ତୋଷିବ ପ୍ରାଣୀ ମନ' ଅଥବା "ବଚନେ କିଂ ଦରିଦ୍ରତା' ଏହି ଆପ୍ତ ବାଣୀକୁ ସେମାନେ ଖାଲି ଜାଣିନଥାଆନ୍ତି³ ଦୈନନ୍ଦିନ ଜୀବନରେ ଉପଯୋଗ ବି କରନ୍ତି । ଆଗେ ଲୋକମାନେ ଯେମିତି ସରଳ, ନିରୀହ ଓ ନିଷ୍କପଟ ଥିଲେ ସେମାନଙ୍କର ଭାଷାରେ ବି ସେହିପରି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଭରି ରହିଥିଲା । ସେମାନେ ଯାହା କହୁଥିଲେ ତାହା କରୁଥିଲେ । ତେଣୁ ସେମାନେ ଚାଲିଗଲା ପରେ ବି ତାଙ୍କ କଥା ରହିଯାଇଛି । ସେହିସବୁ ସ୍ମରଣୀୟ ବଚନିକାରୁ ସାମାନ୍ୟ କେତୋଟିର ଉପସ୍ଥାପନା ଏଠାରେ କରାଯାଉଛି ।

ଗାଁକୁ ଫେରି ଚାହିଁଲେ ଆଗ ମନେପଡ଼େ ବନ୍ଧୁ ଚର୍ଚ୍ଚାର ପରମ୍ପରା । ଘରକୁ ବନ୍ଧୁଟିଏ ଆସିଲେ କୋଟିନିଧି ପାଇଲା ପରି ଲାଗେ । ତାଙ୍କୁ ଦେଖି କେହି କେହି ତ କାନ୍ଦି ପକାନ୍ତି । କେହି ଅଭିମାନଭରା କଣ୍ଠରେ କୁହନ୍ତି “ଆଜି ସୂର୍ଯ୍ୟ କୋଉ ଦିଗରୁ ଉଇଁଥିଲେ କି, ଏତେଦିନରେ ମନେପଡ଼ିଲା, ବାଟ ଭୁଲି ଇଆଡ଼େ ଆସିଗଲ ନା କ’ଣ, ତୁମର ଏଠି କିଏ ଅଛି ଯେ ଆସିବ, ତୁମର ଆଖି ତ ବଡ଼ ହୋଇଗଲାଣି, ଗଲା ଥର ଆସିଥିଲ ଯାଇଛ ଯେ ଯାଇଛ କିଏ ମଲା ଗଲା ଟିକେ ପଚାରିଲନି, ଆସିଛ ସିନା ତୁମ ଇଚ୍ଛାରେ ଯିବ ଆମ ଇଚ୍ଛାରେ” ଇତ୍ୟାଦି । ଫେରିବାକୁ ଚାହିଁଲେ କେହି କେହି ରାଣ ନିୟମ ପକେଇ ବିବଶ କରିଦିଅନ୍ତି ତ ଅନ୍ୟ କେହି ତାଙ୍କ ଛତା, ଜୋତା, ଗାମୁଛା ଆଦିରୁ ଗୋଟିଏ ଲୁଚେଇ ଦେଇ ସେ ଫେରିବାରେ ଅନ୍ତରାୟ ସୃଷ୍ଟି କରନ୍ତି।
କେହି କାହାକୁ ନମସ୍କାରଟିଏ କଲେ କେତେ ଯେ ଆଶୀର୍ବାଦ ଅଜାଡ଼ି ହୋଇପଡ଼େ ତାର କଳନା ନଥାଏ । ଜେଜେ, ଜେଜେମା’, ଅଜା, ଆଈ, ମାମୁ, ମାଈଁ ଭଳି ଅନ୍ତରଙ୍ଗ ସମ୍ପର୍କୀୟଙ୍କୁ ପ୍ରଣାମ କଲେ ସେମାନେ “ହେଲା, ହେଲା, ଉଠ୍ ଉଠ୍' କହି ଅଧାରୁ କୋଳକୁ ଉଠେଇ ନେଇ ମୁଣ୍ଡ ଆଉଁସି ଦିଅନ୍ତି ଏବଂ ମୁହଁରୁ ତାଙ୍କର ସ୍ୱତଃ ବାହାରି ପଡ଼େ "ତତେ କିଏ ଅକଲ୍ୟାଣ କରୁଛିରେ ବାପା/ମାଆ, ମୋ ଆୟୁଷ ତତେ ଲାଗିଯାଉ, ତୋ ରୋଗଯାକ ମତେ ଝାଡିଝୁଡି ଦେ, ତୋ ଅଗ ଗୋଡ଼ରେ କଣ୍ଟା ନଲାଗୁ, କୋଟି ପରମାୟୁ ହେଉ, ଅଛମର ହୋଇଥା, ତୋ ଅମଙ୍ଗଳ ପାଞ୍ଚୁଥିବା ଲୋକ ମୁହଁରେ ନିଆଁ ଲାଗିଯାଉ, ବୁଢ଼ାଟିଏ ବା ବୁଢ଼ୀଟିଏ ହୋଇଥା, ପାଚିଲା ବାଳରେ ସିନ୍ଦୂର ଘିନିଥା (ଝିଅ ବୋହୂମାନଙ୍କୁ)” । ଗୁରୁଜନମାନେ କହୁଥିଲେ “ତୋର ମଙ୍ଗଳ ହେଉ, ସବୁ କୁଶଳ ଥାଉ, ଭଗବାନ ଘଣ୍ଟ ଘୋଡ଼େଇ ରଖନ୍ତୁ, ଯୁଆଡ଼େ ଯା’ ସଫଳ ହୁଅ” । ଗୁରୁ ବା ଶିକ୍ଷକଙ୍କର ଆଶୀର୍ବଚନ ଥିଲା “ବିଜୟୀ ଭବ, ସକଳ ବିଦ୍ୟାରେ ପ୍ରବୀଣ ହୁଅ, ସବୁ କ୍ଷେତ୍ରରେ କୃତକାର୍ଯ୍ୟ ହୁଅ, ସମସ୍ତ ସଙ୍କଟ ଦୂରେଇ ଯାଉ” । ବ୍ରାହ୍ମଣ, ପଣ୍ଡିତଙ୍କୁ ନମସ୍କାର କଲେ ତାଙ୍କ ମୁଖରୁ ନିଃସୃତ ହେଉଥିଲା "ସୁଖୀ ତିଷ୍ଠ, ଦୀର୍ଘାୟୁ ଭବ, ମନୋବାଞ୍ଛା ସିଦ୍ଧିରସ୍ତୁ, ସର୍ବାରିଷ୍ଟ ଶାନ୍ତିଃ ଭବତୁ, ସର୍ବସିଦ୍ଧି ଭବତୁ' ଇତ୍ୟାଦି ।
ଆଗେ ନିମନ୍ତ୍ରଣ ଏକ ମର୍ଯ୍ୟାଦାର ପ୍ରଶ୍ନ ଥିଲା ଏବଂ ସେଥିରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ତାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯାଉଥିଲା। ନିମନ୍ତ ପର୍ବରେ ଭୋଜି ପାଇଁ ଅନ୍ୟୁନ ସପ୍ତାହକ ପୂର୍ବରୁ ସୂଚନା ଦିଆଯାଇ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ କରାଯାଉଥିଲା । ନିର୍ଦ୍ଦିଷ୍ଟ ଦିନ ସକାଳେ ସମସ୍ତଙ୍କୁ ମନେ ପକେଇ ଦିଆଯାଉଥିଲା ଏବଂ ଭୋଜନ ପାଇଁ ସମୟ ହୋଇଗଲେ ପୁଣିଥରେ ଡକାଯାଉଥିଲା । ଏଥିରୁ ଟିକେ ବିଚ୍ୟୁତି ଘଟିଲେ କେହି ଆସୁନଥିଲେ । ନିମନ୍ତ୍ରଣର ନିବେଦନ ମାର୍ଜିତ ଓ ଶାଳୀନ ହେବା ଥିଲା ବିଧି । ଏପରିକି ଚିଠି ମାଧ୍ୟମରେ ନିମନ୍ତ୍ରଣ କରାଗଲେ ଲେଖାଯାଉଥିଲା "ପତ୍ର ଦ୍ୱାରା ନିମନ୍ତ୍ରଣଜନିତ ତ୍ରୁଟି ମାର୍ଜନା କରିବା ହେବେ' ।
ଘରେ ଖାଇବାକୁ ଦେବାର ଶୈଳୀ ବି ଖୁବ୍ ରୋଚକ ଥିଲା । ଖାଇବା ସ୍ଥାନକୁ ସଫାସୁତୁରା କରି, ପାଣି ଛିଞ୍ଚି, ପିଢ଼ା ପକେଇ, ସବୁ ବାଢ଼ି ସାରିଲା ପରେ ହିଁ ଖାଇବାକୁ ଡକାଯାଉଥିଲା । ଖାଇବାକୁ ଦେଉଥିବା ଲୋକ ପାଖରେ ବସି ବିଭିନ୍ନ କଥା ଯଥା- "କେତେବେଳେ ଦିଇଟା ଖାଇଥିବ, ମୁହଁଟା ଶୁଖି ଗଲାଣି, ପେଟରେ ଭୋକ ମୁହଁରେ ଲାଜ' ଇତ୍ୟାଦି କହି ବଳେଇ ବଳେଇ ଖାଉଥିଲେ । ବ୍ୟାଘ୍ରଝାମ୍ପ ନଦେଲା ଯାଏ ଛାଡ଼ୁନଥିଲେ ।
ଗାଁରେ କୁହାଯାଉଥିବା ଭାଷାର ବିଭିନ୍ନତା ଥିଲା ଏହିପରି- "ମିଶ୍ରେ, ଅଦ୍ୟ ପ୍ରାତଃ କାଳରେ ଆଗମନ, ସମସ୍ତ କୁଶଳ ତ?, ଆଚାର୍ଯ୍ୟେ, ଏତେ ବିଳମ୍ବରେ ସ୍ନାନାର୍ଥେ ଗମନ? ଗୋସେଇଁ ଓଳିଗି, ତେମେ ଆପେଣେ ଟିକେ ଆମ ଟୋକାକୁ ସମଝେଇ ଦବ, ମୁଁ କ’ଣ ନାକରା କଥା କହୁଚି, ଧାନ ଓଳିଆର ଚାରଣା ବମା (ପୋକ) ଖାଇ ଦେଲାଣି, ଦେହ ଆଠଣା ଭଲ ହୋଇଗଲାଣି, ତା’ ଅବସ୍ଥା ତିନି କଡ଼ା ବାରଣା' ଇତ୍ୟାଦି ।
ସ୍ତ୍ରୀଲୋକମାନେ କଥା କଥାକେ ଯେପରି ସୁନ୍ଦର ଢଗ ପକାନ୍ତି ଗାଳି ଦେଲାବେଳେ, ସେହିପରି ଚଉଦ ପୁରୁଷ ଉଝାଳନ୍ତି । ପୋଖରୀ ତୁଠରେ ଗାଁ ମାଇପୀଙ୍କ ଚର୍ଚ୍ଚାର ଭାଷା ଥିଲା ନିଆରା । "ବୁଝିଲ ନାନୀ, ଶୁଣିଲ ଅପା, ଜାଣିଲ ଦେଈ, ଇଆଡ଼େ ଟିକେ ଅନା ମ ନିର ବୋଉ, ତମୁକୁ ମିଛ ମତେ ସତ, ପିଠି ଦେଖେଇଲ ଖୁଡି ଟିକେ ଘଷିଦିଏ' । ସେହିପରି ସାହି ପଡ଼ିଶା ଲୋକଙ୍କର ଉପରେ ପଡ଼ି କହିବାର ଢଙ୍ଗ "ତୋର ସେ ଅଢେଇ ଗୁଣ୍ଠିଆରେ ଧାନ ଚାରାଯାକ ହଳଦିଆ ପଡ଼ିଗଲାଣି ତାକୁ ଉଜାଡ଼ି ଦଉନୁ, ଏସନ ବାଡ଼ିତଳ କିଆରୀରେ ଲଘୁ ଧାନ ବୁଣିବୁ ଟି? ସନିଆଇ, ଆଜି ଗହୀର ପାଟକୁ ଆମର ହଳ ଯିବ କହିବ ତ ତୁମ ଜମିରେ ଚାରିଘେରା ବୁଲେଇ ଦେବି, କାଲିଠୁ ଶ୍ରବଣା ହଳ ବନ୍ଦ ଜାଣିଛ ଟି, କକେଇ ମୁଁ ହାଟକୁ ଯାଉଛି ତୁମର ଯଦି କିଛି ଆଣିବାକୁ ଅଛି କୁହ ମୁଁ ଆଣିଦେବି' ଇତ୍ୟାଦି ।
ପସରା କାଖେଇ ସାହି ସାହି ବୁଲି ନାନା ପ୍ରକାର ସାମଗ୍ରୀ ବିକ୍ରି କରୁଥିବା ମହିଳାମାନଙ୍କର ଡାକ "ମା’ ସାଆନ୍ତାଣି, ଖଣ୍ଡେଇତୁଣୀର ଝିଅ, ସାଧବଘର ବୋହୂ, ଚଷାଘର ପୁଅ, ବଇଦ ଘର ନାତି, ଅବଧାନଙ୍କ ନାତୁଣୀ' ଶୁଣି ସମସ୍ତେ ଜମା ହୋଇପଡ଼ନ୍ତି ।
ସଞ୍ଜ ହେଲେ ଅଗଣାରେ ହେଂସଟିଏ ପାରି ବସି ପଡ଼ନ୍ତି ଜେଜେବା ଜେଜମା । ଗପ ଶୁଣିବା ପାଇଁ ତାଙ୍କୁ ଘେରି ବସନ୍ତି ପଞ୍ଝାଏ ପିଲା । କୁଟା ପାନ ଟିକେ ପାଟିରେ ଦେବାକୁ ତର ନଥିବ । ଆରମ୍ଭ କରୁଥିବେ "ଦୁଃଖ କହିବି ନା ସୁଖ କହିବି, ଯାହା ଅଙ୍ଗେ ନିଭେଇଚ୍ଛି ସେୟା କହିବି, କଥାଟିଏ କହୁ କଥାଟିଏ, କି କଥା? ବେଙ୍ଗୁଲି କଥା, ଶେଷରେ ରଜା ପୁଅ ରଜା ଝିଅ ଏତେ ଖୁସିରେ ରହିଲେ ଯେ ମୁଁ ଗଲାରୁ ଟିକେ ପଚାରିଲେନି³ ମୋ କଥାଟି ସରିଲା ଫୁଲ ଗଛଟି ମରିଲା' ଇତ୍ୟାଦି ।
ଏବେ ସେସବୁ କାହାଣୀ ପାଲଟି ଗଲାଣି । ସେ ଲୋକ ଆଉ ନାହାଁନ୍ତି କି ସେ ଆନ୍ତରିକତା ନାହିଁ । ସେଭଳି ଭାଷା ବି ଅତୀତର ସ୍ମୃତି ହୋଇଗଲାଣି । ଆଜିର ବ୍ୟସ୍ତବହୁଳ ତଥା ସହରାଭିମୁଖୀ ଜୀବନଶୈଳୀ ଏତେ ଆତ୍ମକୈନ୍ଦ୍ରିକ ଓ ସ୍ୱାର୍ଥସର୍ବସ୍ୱ ହୋଇପଡ଼ିଛି ଯେ, ନିଜ ଛଡ଼ା ଅନ୍ୟ କଥା ଚିନ୍ତା କରିବାକୁ ବେଳ କାହିଁ? ଆଜିକାଲି ଯଦି କେହି ପୁରୁଣାକାଳିଆ ଲୋକ ସେଭଳି ଆତ୍ମୀୟତାପୂର୍ଣ୍ଣ କଥା କେଇପଦ କହେ ତାକୁ କେହି ଶୁଣନ୍ତିନି, ଶୁଣିଲେ ବି ହେୟଜ୍ଞାନ କରନ୍ତି ।