ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି (ଗୁରୁବାର) ତାଙ୍କର ଦୁଇ ଦିନିଆ ବେଜିଂ ଗସ୍ତ ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଜିନପିଙ୍ଗ ଇରାନ ଯୁଦ୍ଧ ଏବଂ ହରମୁଜ୍ ପ୍ରଣାଳୀରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ବିଷୟରେ ଆଲୋଚନା କରିଛନ୍ତି ।
ତେବେ ଉଭୟ ନେତାଙ୍କ ସାକ୍ଷାତ ପରେ, ଆମେରିକା ହ୍ୱାଇଟ୍ ହାଉସ୍ ଦାବି କରିଛି ଯେ ବିଶ୍ୱ ବଜାରରେ ଶକ୍ତି ଶଙ୍କଟକୁ ଦୂରେଇବା ପାଇଁ ଆମେରିକା ଏବଂ ଚୀନ୍ ଉଭୟ ହରମୁଜ୍ ପ୍ରଣାଳୀକୁ ଖୋଲା ରଖିବାକୁ ରାଜି ହୋଇଛନ୍ତି। ଏହା ବ୍ୟତୀତ, ଉଭୟ ଦେଶ ଇରାନ ପାଖରେ ପରମାଣୁ ଅସ୍ତ୍ର ନ ରହିବା ନିଶ୍ଚିତ କରିବାକୁ ରାଜି ହୋଇଛନ୍ତି।
ବୈଠକକୁ ନେଇ କ’ଣ କହିଛି ହ୍ୱାଇଟ୍ ହାଉସ୍ ?
ବେଜିଂରେ ଆଜି (ଗୁରୁବାର) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ, ହ୍ୱାଇଟ୍ ହାଉସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ ହ୍ୱାଇଟ୍ ହାଉସ୍ କହିଛି ଯେ, "ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ଭଲ ସାକ୍ଷାତ କରିଛନ୍ତି। ଉଭୟ ପକ୍ଷ ଚୀନ୍ ବଜାରରେ ଆମେରିକୀୟ କମ୍ପାନୀ ଗୁଡ଼ିକର ପ୍ରବେଶ ବୃଦ୍ଧି ଏବଂ ଆମେରିକା ଶିଳ୍ପରେ ଚୀନ୍ ନିବେଶ ବୃଦ୍ଧି ସମେତ ଆର୍ଥିକ ସହଯୋଗ ବୃଦ୍ଧି କରିବା ପାଇଁ ଆଲୋଚନା କରିଛନ୍ତି।
ହ୍ୱାଇଟ୍ ହାଉସ୍ କହିଛି କି, "ବହୁତ ପ୍ରମୁଖ ଆମେରିକୀୟ କମ୍ପାନୀର ମୁଖ୍ୟ ମାନେ ମଧ୍ୟ ବୈଠକର ଏକ ଅଂଶଭାବେ ଅଂଶଗ୍ରହଣ କରିଥିଲେ। ଦୁଇ ରାଷ୍ଟ୍ରପତି ଆମେରିକାରେ ଫେଣ୍ଟାନିଲ୍ ପ୍ରବାହକୁ ରୋକିବାରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେମାନେ ଆମେରିକୀୟ କୃଷି ଉତ୍ପାଦର ଚୀନ୍ କ୍ରୟ ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ।"
ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ହ୍ୱାଇଟ୍ ହାଉସ୍ ଦାବି...
ଇରାନ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ହ୍ୱାଇଟ୍ ହାଉସ୍ କହିଛି, "ଆମେରିକା ଏବଂ ଚୀନ୍ ସହମତ ହୋଇଛନ୍ତି ଯେ ନିରବଚ୍ଛିନ୍ନ ଶକ୍ତି ଯୋଗାଣ ବଜାୟ ରଖିବା ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲା ରହିବା ଉଚିତ।" ରାଷ୍ଟ୍ରପତି ସି ଜିନପିଙ୍ଗ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଚୀନ୍ ହର୍ମୁଜ୍ ପ୍ରଣାଳୀକୁ ସାମରିକୀକରଣ କରିବା ଏବଂ ଏହାର ବ୍ୟବହାର ପାଇଁ ଶୁଳ୍କ ଲଗାଇବାର ଯେକୌଣସି ପ୍ରୟାସକୁ ବିରୋଧ କରେ ।