ଏକ୍ଜିଟ୍ ପୋଲ୍ ଯଦି ବଦଳେ ଏମାନେ ହେବେ କିଙ୍ଗ୍ମେକର!

ନୂଆଦିଲ୍ଲୀ,୨୧ା୫(ଏଜେନ୍ସି): ଏକ୍ଜିଟ୍ ପୋଲ୍ ଦର୍ଶାଇଛି ଯେ ଏନ୍ଡିଏ ୩୦୦ରୁ ଅଧିକ ଆସନ ପାଇବ । ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । କିନ୍ତୁ ଏକ୍ଜିଟ୍ ପୋଲ୍ ରିପୋର୍ଟ ଯଦି ଓଲଟିଯାଏ ଏବଂ ଚୂଡ଼ାନ୍ତ ଫଳ ଯଦି ଝୁଲା ସରକାରର ରୂପ ନିଏ, ତେବେ କ’ଣ ହେବ? ସରକାର କିଏ ଗଢ଼ିବ ଏବଂ ପ୍ରଧାନମନ୍ତ୍ରୀ କିଏ ହେବ? ଏଭଳି କିଛି ପ୍ରଶ୍ନ ଏବେ ଦେଶବାସୀଙ୍କ ମନରେ । ବିଶେଷକରି ଏକ୍ଜିଟ୍ ପୋଲ୍ର ସତ-ମିଛ ଖେଳକୁ ସହଜରେ ବିଶ୍ୱାସ କରାଯାଇନପାରେ ।
ଚୂଡ଼ାନ୍ତ ଫଳ ପ୍ରକାଶ ପାଇବା ପରେ ଯଦି ଏନ୍ଡିଏକୁ ବହୁମତ ନ ମିଳେ, ତେବେ ଏହା ବାହାର ସମର୍ଥନ ଲୋଡ଼ିବ । ଏ କ୍ଷେତ୍ରରେ ଆଞ୍ଚଳିକ ଦଳଗୁଡ଼ିକ ସହାୟକ ହୋଇପାରିବେ । କିନ୍ତୁ ସେମାନେ ଏନ୍ଡିଏକୁ ସମର୍ଥନ ଦେବେ ନା ୟୁପିଏକୁ, ତାହାକୁ ନେଇ ଏବେଠୁ କିଛି କହିହେଉ ନାହିଁ । ତା’ଛଡ଼ା ତୃତୀୟ ସାମ୍ମୁଖ୍ୟ ସରକାର ନେଇ ମଧ୍ୟ ସେମାନେ ଚିନ୍ତା କରିବା ସମ୍ଭାବନା ବି ରହିଛି ।
ନବୀନ ପଟ୍ଟନାୟକ
ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ବିଜୁ ଜନତା ଦଳ(ବିଜେଡି)ର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବେଶ୍ ଦବ୍ଦବା ରହିଛି । ତେଣୁ ତାଙ୍କୁ ଏଥର ଲୋକସଭା ନିର୍ବାଚନରେ ଭଲ ସଂଖ୍ୟା ମିଳିବା ସମ୍ଭାବନା ଅଛି । ଯଦିଓ ବିଜେପି ରାଜ୍ୟରେ ୧୦ଟି ପର୍ଯ୍ୟନ୍ତ ଆସନ ପାଇବ ବୋଲି ଏକ୍ଜିଟ୍ ପୋଲ୍ ଦର୍ଶାଇଛି, ତଥାପି ବିଜେଡିକୁ ଯେ ଅଧିକ ଆସନ ନ ମିଳିବ, ତାହା ସହଜେ କହିହେବ ନାହିଁ । ତେଣୁ ଉଭୟ ମୋଦି (ନରେନ୍ଦ୍ର ମୋଦି) ଓ ଗାନ୍ଧୀ (ରାହୁଲ ଗାନ୍ଧୀ) ତାଙ୍କ ସମର୍ଥନ ଲୋଡ଼ିପାରନ୍ତି । ମୋଦିଙ୍କ ପ୍ରଥମ ୫ ବର୍ଷ ଶାସନ କାଳରେ ବିଜେଡି ପଞ୍ଚମ ବୃହତ୍ ସଂସଦୀୟ ଦଳ ବିବେଚିତ ହୋଇଛି । ଏହାର ସାଂସଦ ସଂଖ୍ୟା ୧୮ ରହିଛି । ମୋଦି ତାଙ୍କ ସମର୍ଥନ ଲୋଡ଼ିପାରନ୍ତି । ତା’ଛଡ଼ା ‘ଫୋନି’ ମୁକାବିଲା ପାଇଁ ମୋଦି ନବୀନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।
କେସିଆର
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସୁପ୍ରିମୋ କେ ଚନ୍ଦ୍ରଶେଖର (କେସିଆର) ମଧ୍ୟ କିଙ୍ଗ୍ମେକର ସାଜିପାରନ୍ତି । ଗଲାବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କେସିଆରଙ୍କ ଟିଆରଏସ୍ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଢ଼ିଥିଲା । ତେଣୁ ଏଥର ତାଙ୍କ ଦଳକୁ ୧୩ରୁ ଅଧିକ ଆସନ ମିଳିବ ବୋଲି ଆଶା । ରାଜ୍ୟର ୧୭ ଲୋକସଭା ଆସନ ମଧ୍ୟରୁ ଟିଆର୍ଏସ ହାତରେ ଏବେ ୧୦ଟି ରହିଛି । ତାହା ଚଳିତ ଲୋକସଭା ନିର୍ବାଚନରେ ବଢ଼ିବ ବୋଲି ଏକ୍ଜିଟ୍ ପୋଲ୍ ଆକଳନ କରିଛି । ତେଣୁ ତାଙ୍କୁ ସରକାର ଗଢ଼ିବା ବେଳେ ଖୋଜାପଡ଼ିପାରେ ।
ୱାଇ ଏସ୍ ଜଗନ ମୋହନ ରେଡ୍ଡୀ
ଏଥର ଏକ୍ଜିଟ୍ ପୋଲ୍ରେ ୱାଇ ଏସ୍ ଜଗନ ମୋହନ ରେଡ୍ଡୀଙ୍କୁ ଆନ୍ଧ୍ରରେ ସର୍ବାଧିକ ଲୋକସଭା ଆସନ ମିଳିବ ବୋଲି ଆକଳନ କରାଯାଇଛି । ଏନ୍ଡିଏର ପୂର୍ବ ସହଯୋଗୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ୱାଇଏସ୍ଆର କଂଗ୍ରେସ ମାତ୍ ଦେଇଥିବା ଜଣାପଡ଼ିଛି । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ୱାଇଏସ୍ଆର କଂଗ୍ରେସ ଭଲ ଅଙ୍କ ପାଇଥିବା କୁହାଯାଉଛି । ତେଣୁ ଏବେ ତାଙ୍କ ସମର୍ଥନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଚେଷ୍ଟା ଚଳାଇଥିବା ରିପୋର୍ଟ ପ୍ରକାଶ ପାଇଛି । ମେ ୨୩ରେ ନୂଆଦିଲ୍ଲୀରେ ହେବାକୁ ଥିବା ବୈଠକରେ ରେଡ୍ଡୀଙ୍କୁ ନିମନ୍ତ୍ରଣ ପଠାଇଛି କଂଗ୍ରେସ । ଅନ୍ୟପକ୍ଷରେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ବିଜେପି ପ୍ରସ୍ତୁତ ବୋଲି ସଂକେତ ଦେଇଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଉଛି । ୱାଇଏସ୍ଆର କଂଗ୍ରେସ ପାର୍ଟି ଏଥର ୨୦ଟି ଆସନ ପାଇପାରେ ।
ମମତା ବାନାର୍ଜୀ
ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏଥର ପ୍ରଧାନମନ୍ତ୍ରୀ କିଏ ହେବ, ତାହା ନେଇ ନିଷ୍ପତ୍ତି ନେଇପାରନ୍ତି । ତେବେ ଦିଲ୍ଲୀରେ ସେ ଅଣବିଜେପି ସରକାର ଦେଖିବାକୁ ଚାହୁଁଥିବା ଖୋଲାଖୋଲି ଭାବେ କହିଛନ୍ତି । ଶୋଡ଼ଷ ଲୋକସଭାକୁ ମମତାଙ୍କ ଟିଏମ୍ସି ୩୩ ଜଣ ସାଂସଦ ପଠାଇଛ । ୧୯୯୮ରେ ମମତା କଂଗ୍ରେସରୁ ବାହାରି ଟିଏମ୍ସି ଗଢ଼ିଥିଲେ । ଏକ୍ଜିଟ୍ ପୋଲ୍ ଦର୍ଶାଇଛି ଯେ ମମତାଙ୍କ ସଂଖ୍ୟା ଏଥର ୨୪-୨୯କୁ ହ୍ରାସ ଘଟିପାରେ । କଂଗ୍ରେସ ତାଙ୍କ ସମର୍ଥନ ଲୋଡ଼ିପାରେ ।
ମାୟାବତୀ
ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ଏଥର ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଛନ୍ତି । ସେ କେନ୍ଦ୍ରରେ ସରକାର ଗଢ଼ିବା ଆଶା ମଧ୍ୟ ରଖିଛନ୍ତି । ୟୁପିରେ ସେ ବିଜେପି ବିରୋଧରେ ଲଢୁଛନ୍ତି । କିନ୍ତୁ ବିରୋଧୀ ଦଳଗୁଡ଼ିକର ନେତାଙ୍କ ସହ ସେ ମେ ୨୦ ବୈଠକରେ ଯୋଗଦେବାକୁ ମନାକରିଦେଇଥିଲେ । ତେବେ ଶେଷ ମୁହୂର୍ତ୍ତରେ କଂଗ୍ରେସ ତାଙ୍କ ସମର୍ଥନ ଲୋଡ଼ିପାରେ । ସପା-ବସପା-ଆର୍ଏଲଡି ମେଣ୍ଟ ଏଥର ୟୁପିର ୮୦ ଲୋକସଭା ଆସନ ମଧ୍ୟରୁ ୪୫ଟି ପର୍ଯ୍ୟନ୍ତ ପାଇପାରେ ବୋଲି ଏକ୍ଜିଟ୍ ପୋଲ୍ କହିଛି ।
ଅଖିଳେଶ ଯାଦବ
ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଏଥର ମାୟାଙ୍କ ସହ ମେଣ୍ଟ କରି ୟୁପିର ଅଧିକ ଆସନ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ମାୟାଙ୍କ ଭଳି ସେ କେନ୍ଦ୍ରରେ ଅଣବିଜେପି ସରକାର ଚାହୁଁଛନ୍ତି । ତେଣୁ କଂଗ୍ରେସ ଅଥବା ତୃତୀୟ ସାମ୍ମୁଖ୍ୟ ପାଇଁ ସେ ସମର୍ଥନ ଦେବା ନେଇ ସୁଯୋଗ ରହିଛି ।
ଏମ୍ କେ ଷ୍ଟାଲିନ୍
ତାମିଲନାଡୁର ଦ୍ରାଭିଡ ମୁନ୍ନେତ୍ରା କାଝାଗମ୍ (ଡିଏମ୍କେ) ସୁପ୍ରିମୋ ଏମ୍ କେ ଷ୍ଟାଲିନ୍ଙ୍କ ଉପରେ ମଧ୍ୟ ନଜର ରହିଛି । ନିର୍ବାଚନ ଫଳ ପ୍ରକାଶ ପରେ ତାଙ୍କଠାରୁ ମଧ୍ୟ ସମର୍ଥନ ଲୋଡ଼ାଯାଇପାରେ । ତେବେ ଷ୍ଟାଲିନ୍ ଖୋଲାଖୋଲି ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ କରୁଛନ୍ତି । ତେଣୁ କଂଗ୍ରେସକୁ ତାଙ୍କ ସମର୍ଥନ ମିଳିବାଟା ପ୍ରାୟ ନିଶ୍ଚିତ । ସେ ମଧ୍ୟ ଅନ୍ୟତମ କିଙ୍ଗ୍ମେକର ସାଜିବା ସମ୍ଭାବନା ଅଛି । ତାମିଲନାଡୁର ୩୯ ଲୋକସଭା ଆସନ ମଧ୍ୟରୁ ଡିଏମ୍କେ ୨୭ଟି ପାଇପାରେ ବୋଲି ଆଶା କରାଯାଉଛି ।