ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଘରେ ପଶି ଆକ୍ରମଣ ଘଟଣାରେ ସମସ୍ତେ ଚକିତ। ସମସ୍ତଙ୍କ ମତରେ ଏହି ପ୍ରଶ୍ନ ଯେ, ହାଇ ସିକ୍ୟୁରିଟି ରହିବା ପରେ ବି ତାଙ୍କ ଘରେ କେହି କିଭଳି ପଶିପାରିଲା। ଏହି ମାମଲାରେ ପୋଲିସର ତଦନ୍ତ ଜାରି ରହିଛି। ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ପୁରା ମାମଲାର ତଦନ୍ତରେ ରହିଛି। ଆଉ ଏହି ଟିମ୍‌ର ଲିଡ୍‌ ନେଉଛନ୍ତି ଦୟା ନାୟକ। ଦୟା ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀ ହେବା ସହ ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ। ଦୟା ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି। ତାଙ୍କୁ ଗୁରୁବାର ସୈଫଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। କୁହାଯାଉଛି ମାମଲା ସମ୍ପର୍କିତ ଯାଞ୍ଚ ପାଇଁ ସେଠାକୁ ଯାଇଥିଲେ।

୮୦ରୁ ଅଧିକ ଏନକାଉଣ୍ଟର କରିସାରିଥିବା ଦୟାଙ୍କ ନାଁ ଶୁଣିଲେ ଅପରାଧି ଭୟ କରନ୍ତି। ତାଙ୍କୁ ପୋଲିସ ପୋଲିସରେ ଗତ ବର୍ଷ ପ୍ରମୋସନ୍ ଦିଆଯାଇଛି। ୧୯୯୫ ବ୍ୟାଚ୍‌ର ପୋଲିସ କର୍ମଚାରୀ ଦୟା ତିନି ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ର ଆତଙ୍କବାଦ ନିରୋଧି ଟିମ୍‌ରେ ସେବା ଦେଇ ସାରିଛନ୍ତି। ତାଙ୍କୁ ୧୯୯୬ ରେ ଜୁହୁ ପୋଲିସ ଷ୍ଟେସନ୍‌ରେ ମୁତୟନ କରାଯାଇଥିଲା। ସେବେଠାରୁ ଦୟା ସହରର ସବୁଠାରୁ କୁଖ୍ୟାତ ଅଣ୍ଡରଓ୍ବାର୍ଲ୍ଡ ନେଟଓ୍ବର୍କକୁ ଶେଷ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦୟା ମୁମ୍ବାଇ ପୋଲିସର ଚର୍ଚ୍ଚିତ ଅଧିକାରୀ ପ୍ରଦୀପ ଶର୍ମାଙ୍କ ସହ କାମ କରିସାରିଛନ୍ତି। 

ଉଲ୍ଲେଖନୀୟ ଯେ,ଗୁରୁବାର ରାତି ୨ଟା ୩୦ରେ ସୈଫ୍‌ଙ୍କ ଘର ଭିତରକୁ ପଶିଥିଲା ଅଭିଯୁକ୍ତ।   ଚୋରି କରିବା ଉଦ୍ଦେଶ୍ୟ ନେଇ ଘର ଭିତରକୁ ପଶି ଆସିଥିବା ଏହି ଅଭିଯୁକ୍ତ ଜଣଙ୍କ ସିଧା ଯାଇ ସୈଫ୍ ଙ୍କ ପିଲାମାନେ ରହୁଥିବା ଘରେ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଥିବା ଘରୋଇ ସହାୟକ ଜଣଙ୍କ ତାଙ୍କୁ ସେଠାରେ ଦେଖି ପାଟି କରିଥିଲେ। ପାଟି ଶୁଣି ସୈଫ୍ ପିଲାମାନେ ରହୁଥିବା ଘରକୁ ଧାଇଁ ଆସିଥିଲେ। ସେହି ସମୟରେ ଅଭିଯୁକ୍ତ ଜଣଙ୍କ ସୈଫ୍ ଙ୍କ ଉପରେ ୬ ଥର ଛୁରାମାଡ କରିଥିଲା। ଘଟଣା ଘଟେଇ ଅଭିଯୁକ୍ତ ଜଣଙ୍କ ତୁରନ୍ତ ଫେରାର ହୋଇଯାଇଥିଲା। ସୈଫଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ତୁରନ୍ତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ପରେ ଏବେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ସୈଫ୍ ଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି। କିନ୍ତୁ ବର୍ତ୍ତମାନ ସୈଫ୍ ଅଲ୍ଲୀ ଖାନ ସୁରକ୍ଷିତ ଅଛନ୍ତି ତାଙ୍କୁ ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ସିଢିରେ ଖସି ଚାଲିଯାଉଥିବା ସମୟର ସିସିଟିଭି ସାମନାକୁ ଆସିଛି। ଏହାକୁ ଆଧାର କରି ପୋଲିସ ଆରମ୍ଭ କରିଛି ତଦନ୍ତ। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରି ନିଆଯିବ ବୋଲି କୁହାଯାଉଛି।

ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ପୋଲିସକୁ ମିଳିଲା ବଡ ସଫଳତା; ଚିହ୍ନଟ ହେଲା ଆକ୍ରମଣକାରୀ