ନୂଆଦିଲ୍ଲୀ,୨୫/୦୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଦ୍ୱିତୀୟ ଦିନ ପଦକ ଜିତିବା ସହିତ ଅଭିଯାନ ଶେଷ କରିଛି । ପାରା ପାୱାରଲିପ୍ଟିଂ, ସନ୍ତରଣ, ବକ୍ସିଂ ଏବଂ ଲନ ବୋଲ୍ସରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଖେଳାଳିମାନେ ନିଜ ନିଜ ଇଭେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛନ୍ତି । ବିହାରର ଝଣ୍ଡୁ କୁମାର ପୁରୁଷ ହେଭିୱେଟ୍ ପାରା ପାୱାରଲିପ୍ଟିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ଖାତା ଖୋଲିଛନ୍ତି । ୨୮ ବର୍ଷୀୟ ଖେଳାଳି ଦିବ୍ୟାଙ୍ଗ, ଆର୍ଥିକ ପୀଡା଼ ଏବଂ ବର୍ଷ ବର୍ଷର କଷ୍ଟକର କାମ ପରିସ୍ଥିତିର ସାମ୍ନା କରି ଆଜି ଏହି ସଫଳତା ହାସଲ କରିଛନ୍ତି । ଦିନେ ତାଙ୍କ ରାସ୍ତାକଡ଼ରେ ପରିବାର ବିକ୍ରି କରିବାକୁ ପଡିଥିଲା । ଇ- ରିକ୍ସା ଚଲାଇ ପରିବାର ପ୍ରତପୋଷଣ କରିଥିବା ଝଣ୍ଡୁ ଆଜି ଦେଶ ପାଇଁ ଗର୍ବ-ଗୌରବ ଆଣିଛନ୍ତି ।
ଇ-ରିକ୍ସା ଚାଳକରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା- ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ଯେ ସବୁ ସମ୍ଭବ ହୋଇପାରିବ ତାହାର ବଡ଼ ଦୃଷ୍ଟାନ୍ତ ହେଉଛନ୍ତି ବିହାରର ପାରା ଶକ୍ତିଉତ୍ତୋଳକ ଝଣ୍ଡୁ କୁମାର । ସେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସାମିଲ ହୋଇ ଗ୍ଲାସଗୋ ଯାତ୍ରା କରିଛନ୍ତି । ଗ୍ଲାସଗୋରେ ପଦକ ଜିତିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା । ଆଉ ସେ ଏହି ଲକ୍ଷ୍ୟ ପୂରଣ କରିଛନ୍ତି । ବିହାରର ନାଳନ୍ଦା ଜିଲ୍ଲାରେ ଝଣ୍ଡୁଙ୍କ ଘର । ସେ ୨୦୨୧ କରୋନା ମହାମାରୀ ସମୟରେ ଇ-ରିକ୍ସା ଚଳାଇ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ପରିବାର ଚଳୁଥିଲା । ମାତ୍ର ୫ ବର୍ଷ ବୟସରେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଦିବ୍ୟାଙ୍ଗ ହୋଇଥିଲେ ବି ଶକ୍ତି ଉତ୍ତୋଳନ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା, ଯାହା ଝଣ୍ଡୁଙ୍କୁ ଆଜି ନୂଆ ପରିଚୟ ଦେଇଛି । ୨୦୨୩ରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଝଣ୍ଡୁ ତାଙ୍କର ରିକ୍ସା ବିକ୍ରି କରି ଦେଇଥିଲେ । ଏହାପରେ ସେ ଏକ ପରିବା ଦୋକାନ କରି ଚଳୁଛନ୍ତି । ଦୈନିକ ଯାହା ରୋଜଗାର କରୁଛନ୍ତି ସେଥିରେ ତାଙ୍କର ପରିବାର ଚଳେ । ଜଣେ ପନିପରିବା ବିକ୍ରେତାଙ୍କ ପୁଅ, ଅଟୋ ରିକ୍ସା ଚଳାଇବା ପୂର୍ବରୁ ପରିବାରକୁ ପନିପରିବା ବିକ୍ରି କରିବାରେ ସହୟତା କରୁଥିଲେ ଝଣ୍ଡୁ ।
ପ୍ରତିଯୋଗିତା ପୂର୍ବରୁ ସେ କହିଥିଲେ, ‘ପରିବା ଦୋକାନରୁ ଦୈନିକ ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଛି । ମୋ ରୋଜଗାରଠୁ ମୋର ମାସିକ ଖର୍ଚ୍ଚ ବହୁ ଅଧିକ । ଜିମ୍, ଖାଦ୍ୟ ଏବଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବାବଦରେ ବହୁ ଖର୍ଚ୍ଚ କରିବାକୁ ପଡ଼େ । କିନ୍ତୁ ମୋର ଗୋଟିଏ ଲକ୍ଷ୍ୟ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବା ।’ ଝଣ୍ଡୁ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ପଦକ ଜିତିଛନ୍ତି । ଗତ ଏପ୍ରିଲ ମାସ ବ୍ୟାଂକକ୍ରେ ଆୟୋଜିତ ଏସିଆ-ଓସେନିଆ ଓପନ ପାରା ଶକ୍ତି ଉତ୍ତୋଳନରେ ଝଣ୍ଡୁ ବ୍ରୋଞ୍ଜ ପଦକ ଜିତିଥିଲେ ।