ନୂଆଦିଲ୍ଲୀ ୦୪/୦୩: ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ତାଙ୍କ ପୁଅ ମୋଜତାବା ଖାମେନେଇ କ୍ଷମତାର ମଙ୍ଗ ଧରିବାକୁ ଯାଉଛନ୍ତି ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ମୋଜତାବା, ତାଙ୍କ ବାପାଙ୍କ ପରି, ଜଣେ ସିଆ ଧର୍ମଗୁରୁ, କିନ୍ତୁ ସେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ଇରାନରୁ ଲଣ୍ଡନ ପର୍ଯ୍ୟନ୍ତ ତାଙ୍କର ଅନେକ ଘର ଏବଂ ହୋଟେଲ ରହିଛି। ମୋଜତାବା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କର ରିଭଲ୍ୟୁସନରୀ ଗାର୍ଡ କର୍ପସ ସହିତ ମଧ୍ୟ ଭଲ ସମ୍ପର୍କ ଅଛି।ଏହି କାରଣରୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ପଦ ପାଇଁ ମୋଜତାବା ଖାମେନିଙ୍କ ନାଁ ଆଲୋଚନା ହେଉଛି।

ମୋଜତାବା ଖାମେନେଇ ତାଙ୍କ ବାପାଙ୍କ ପରି ଜଣେ ପ୍ରମୁଖ ସିଆ ଧର୍ମଗୁରୁ। ୫୬ ବର୍ଷୀୟ ମୋଜତାବା ଗତ କିଛି ଦଶନ୍ଧି ଧରି ଇରାନ ରାଜନୀତିରେ ଜଣେ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇଛନ୍ତି। ତଥାପି, ସେ ସରକାର କିମ୍ବା ଶୁରା ପରିଷଦରେ କୌଣସି ଆନୁଷ୍ଠାନିକ ପଦବୀରେ ରହିନାହାଁନ୍ତି।କିନ୍ତୁ ଇରାନ ପ୍ରଶାସନରେ ତାଙ୍କର ଦୃଢ ସ୍ଥିତି ରହିଛି। ଯେଉଁଥିପାଇଁ ମୋଜତାବା ବର୍ତ୍ତମାନ ସୁପ୍ରିମ୍ ଲିଡର୍ ରେସ୍‌ରେ ଆଗୁଆ ରହିଛନ୍ତି।

ଗତ କିଛି ବର୍ଷ ମଧ୍ୟରେ, ମୋଜତାବା ଇରାନରେ କ୍ଷମତା ଉପରେ ନିଜର କବଜାକୁ ସୁଦୃଢ଼ କରିବା ପାଇଁ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ବରିଷ୍ଠ ଅଧିକାରୀଙ୍କ ସହ ଗଭୀର ସମ୍ପର୍କ ସ୍ଥାପନ କରିଛନ୍ତି। ମୋଜତାବା ଇରାନର ଧାର୍ମିକ ଏବଂ ରାଜନୈତିକ ମଣ୍ଡଳୀ ମଧ୍ୟରେ ଏକ ପ୍ରମୁଖ ସଂଯୋଗ ଭାବରେ ଉଭା ହୋଇଛନ୍ତି। ତଥାପି, ତାଙ୍କ ପିତା ଜୀବିତ ଥିବା ସମୟରେ, ମୋଜତାବା କେବେ ଲାଇମ୍‌ଲାଇଟ୍‌କୁ ଆସିବାକୁ ଚେଷ୍ଟା କରିନଥିଲେ। ତେଣୁ, ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କିଛି ଜଣା ନାହିଁ।

ଆହୁରି ପଢ଼ନ୍ତୁ...ଇରାନକୁ ମିଳିଲା ନୂଆ ସୁପ୍ରିମ ଲିଡର, ଖାମେନେଇଙ୍କ ପୁଅ ମୋଜତବା ସମ୍ଭାଳିବେ ଦେଶର କମାଣ

ବ୍ଲୁମବର୍ଗର ଏକ ସାମ୍ପ୍ରତିକ ରିପୋର୍ଟରେ ଦାବି କରାଯାଇଛି ଯେ ମୋଜତାବା ୟୁରୋପ ଏବଂ ମଧ୍ୟପ୍ରାଚ୍ୟର ଅନେକ ଦେଶରେ ବିସ୍ତାରିତ ଏକ ବିଶାଳ ରିଅଲ୍ ଇଷ୍ଟେଟ୍ ସାମ୍ରାଜ୍ୟ ଚଳାଉଛନ୍ତି, ଯେଉଁଥିରେ ଦୁବାଇରେ ବିଳାସପୂର୍ଣ୍ଣ ସମ୍ପତ୍ତି ଏବଂ ବିଭିନ୍ନ ୟୁରୋପୀୟ ସହରରେ ବିଳାସପୂର୍ଣ୍ଣ ହୋଟେଲ ଅନ୍ତର୍ଭୁକ୍ତ। ଉତ୍ତର ଲଣ୍ଡନର ବିଶପ୍ସ ଆଭେନ୍ୟୁରେ ଏକ ବିଳାସପୂର୍ଣ୍ଣ ଘର ଅଛି । ଏହା ବ୍ରିଟିଶ ରାଜଧାନୀର ସବୁଠାରୁ ମହଙ୍ଗା ଅଞ୍ଚଳ ମଧ୍ୟରୁ ଗୋଟିଏ।