ନୂଆଦିଲ୍ଲୀ,୧୦/୦୯; ୨୭ ବଲ୍, ୫୪ ରନ୍‌ ସହ ୭ ଛକା । ମ୍ୟାଚ ଜିତିବାର ସମ୍ଭାବନା କୌଣସି ନଥିଲା । ହାତରେ ୱିକେଟ ନଥିଲା । କିନ୍ତୁ କିଛି ଏମିତି ଘଟିଲା କେହି କଳ୍ପନା ବି କରିନଥିଲେ । ଚୌକା-ଛକା ବର୍ଷା କରି ମ୍ୟାଚ ପଲଟାଇ ଦେଇଥିଲେ ୨୧ ବର୍ଷୀୟ ୱିକେଟ୍‌ କିପରି ବ୍ୟାଟର । କୋଲକାତା ମୁହଁରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରତି ସିଜନ ଭଳି ଏଥର ଆଇପିଏଲରେ ଜଣେ ନୂଆ ତାରକାଙ୍କ ଆବିର୍ଭାବ ଘଟିଛି । ଲକ୍ଷ୍ନୌ ଦଳର ୨୧ ବର୍ଷୀୟ ୱିକେଟ୍ କିପର/ବ୍ୟାଟର ମୁକୁଲ ଚୌଧୁରୀ ଏକ ମ୍ୟାଚ ବିଜୟୀ ଇନିଂସ ଖେଳି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଘରୋଇ କୋଲକାତା ବିପକ୍ଷ ଏକ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ପରାଜୟ ଦ୍ୱାରରେ ପହଞ୍ଚି ସାରିଥିବା ଲକ୍ଷ୍ନୌକୁ ଫେରାଇ ଆଣି ସେ ବିଜୟ ସିଂହାସନରେ ଚଢ଼ାଇଛନ୍ତି । ତାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ୩ ୱିକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ।

ରାତାରାତି ଷ୍ଟାର ପାଲଟିଥିବା ମୁକୁଲ ଘରୋଇ କ୍ରିକେଟରେ ରାଜସ୍ଥାନକୁ ପ୍ରତିନିଧିତ୍ୱ କରନ୍ତି । ତାଙ୍କ ପ୍ରତିଭାକୁ ଚିହ୍ନି ପାରି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ତାଙ୍କୁ ନିଲାମରେ ୨ କୋଟି ୬୦ ଲକ୍ଷରେ କିଣିଥିଲା। ସେ ୨୦୨୫-୨୬ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ୧୯୮.୮୫ ର ଷ୍ଟ୍ରାଇକ୍ ରେଟ୍ ସହିତ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜସ୍ଥାନର ଝୁନଝୁନୁରୁ ଜନ୍ମଗ୍ରହଣ କରିଥିବା ମୁକୁଲ ପିଲାବେଳେ ଜଣେ ମଧ୍ୟମ ଗତିର ବୋଲର ହେବାକୁ ଇଚ୍ଛା ରଖିଥିଲେ। କିନ୍ତୁ ପରେ ସେ ତାଙ୍କର ପଥ ପରିବର୍ତ୍ତନ କଲେ ଏବଂ ୱିକେଟକିପିଂ ଏବଂ ଆକ୍ରମଣାତ୍ମକ ବ୍ୟାଟିଂକୁ ତାଙ୍କର ମୁଖ୍ୟ ଅସ୍ତ୍ର କଲେ । ଏବେ ଫିନିସର ଭାବରେ ନୂଆ ନାମ ଉଭା ହୋଇଛି । ଏହି ଇନିଂସ ପରେ, ମୁକୁଲ ଚୌଧୁରୀଙ୍କୁ ବଡ଼ ଫିନିସରଙ୍କ ସହିତ ତୁଳନା କରାଯାଇଛି । ତାଙ୍କର ସମୟ ଏବଂ ନିର୍ଭୀକତା ପ୍ରମାଣିତ କରିଛି ଯେ, ସେ ଭବିଷ୍ୟତର ଭାରତୀୟ କ୍ରିକେଟ୍ ଦଳର ଖେଳାଳି ହୋଇପାରିବେ ।

ଗୁରୁବାର କୋଲକାତା ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା ।  ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୪ ୱିକେଟ୍ ହରାଇ ୧୮୧ ରନ ସଂଗ୍ରହ କରିଥିଲା । ଜବାବରେ ଲକ୍ଷ୍ନୌ ୭ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ମୁକୁଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଲକ୍ଷ୍ନୌର ଏହି ବିଜୟର ମହାନାୟକ ଥିଲେ ମୁକୁଲ ।୧୨୮ ରନରେ ଲକ୍ଷ୍ନୌ ୭ଟି ୱିକେଟ ହରାଇଥିଲା । କେହି ଆଶା କରିନଥିଲେ ଦଳ ମ୍ୟାଚ ଜିତିବ ବୋଲି । କିନ୍ତୁ ମୁକୁଲ ଅଟଳ ଥିଲେ । ୨୭ ବଲରେ ୭ଟି ଛକା ସହ ୫୪ ରନ କରି ଦଳକୁ ବିଜୟ ଭେଟି ଦେଇଥିଲେ । ଏହି ଇନିଂସ ପରେ ସମସ୍ତଙ୍କ ମୁହଁରେ ମୁକୁଲଙ୍କ ତାରିଫ । ପ୍ଲେୟାର ଅଫ୍ ଦି ମ୍ୟାଚ ପୁରସ୍କାର ଜିତିବା ପରେ ମୁକୁଲ ତାଙ୍କ କାହାଣୀ କରିଥିଲେ, ସେ ଜନ୍ମରୁ କ୍ରିକେଟ ଯାତ୍ରା ଆରମ୍ଭ କରିଥିବା କଥା କହିଥିଲେ । ମୋ ବାପାଙ୍କ ସ୍ୱପ୍ନ ଥିଲା ଯେ ଦିନେ ତାଙ୍କ ପୁଅ କ୍ରିକେଟ ଖେଳିବ । କିନ୍ତୁ ସେତେବେଳେ ଆମ ପରିବାରର ଅବସ୍ଥା ଭଲ ନଥିଲା, ତେଣୁ ମୁଁ ଖେଳ ଶୀଘ୍ର ଆରମ୍ଭ କରିପାରି ନଥିଲି । ମୁଁ ପ୍ରାୟ ୧୨-୧୩ ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲି । ସେତେବେଳେ ବହୁତ ଏକାଡେମୀ ନଥିଲା ।

ଏହା ବି ପଢନ୍ତୁ...ଦମଦାର ବିଜୟ ପରେ ଲକ୍ଷ୍ନୌକୁ ଶକ୍ତ ଝଟକା, ଆଇପିଏଲରୁ ଆଉଟ୍ ଶ୍ରୀଲଙ୍କା ଅଲରାଉଣ୍ଡର  

କେକେଆର ବିପକ୍ଷ ମ୍ୟାଚକୁ ନେଇ ମୁକୁଲ କହିଛନ୍ତି, ଚାପ ଥିଲା । କିନ୍ତୁ ମୁଁ ଭାବୁଛି ଭଗବାନ ମୋତେ ଏହି ସୁଯୋଗ ଦେଇଛନ୍ତି, ତେଣୁ ମୁଁ କେବଳ ମୋର କ୍ଷମତା ଉପରେ ବିଶ୍ୱାସ କରେ । ଏହା ଏକ ସୁଯୋଗ ଯେଉଁଠାରେ ତୁମେ କିଥି ବଡ଼ ହାସଲ କରିପାରିବ କିମ୍ବା ନିଜ ପାଇଁ ଏକ ନାମ ତିଆରି କରିପାରିବ । ତେଣୁ ମୁଁ ଚାପ ଉପରେ ନୁହେଁ, ସୁଯୋଗ ଉପରେ ଧ୍ୟାନ ଦିଏ । ମହମ୍ମଦ ଶାମି ଆଉଟ୍ ହେବା ପରେ କଣ ଯୋଜନା ଥିଲା ପ୍ରଶ୍ନରେ ମୁକୁଲ କହିଛନ୍ତି, ମୋର ପ୍ଲାନ ସାଧାରଣ ଥିଲା । ମୁଁ ଶେଷ ପର୍ଯ୍ୟନ୍ତ ରହିବାକୁ ଚାହୁଁଥିଲି । ମୁଁ ନିଜ ଉପରେ ବିଶ୍ୱାସ କରେ ଯେ ଯଦି ମୁଁ ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ରହେ ତେବେ ମୁଁ ଖେଳ ଜିତିପାରିବି । ମୁଁ କେବଳ ମୋର ସଟ୍ ଖେଳିବା ଉପରେ ଧ୍ୟାନ ଦିଏ । ଯଦି ବଲ୍ ମୋ କ୍ଷେତ୍ରରେ ଆସେ, ମୁଁ ତାକୁ ମାରିବି । ବାକି ଯାହା ହୁଏ ତାହା ଘଟିବ ।