ନୂଆଦିଲ୍ଲୀ,୧୨/୦୬; ଏ କାହାଣୀ କୌଣସି କାଳ୍ପନିକ ସାମ୍ରାଜ୍ୟର ଯୋଦ୍ଧାଙ୍କର ନୁହେଁ । ଅଗଣିତ ଦର୍ଶକଙ୍କ ଗହଳି ଭିତରେ ଖରା, ବର୍ଷାକୁ ଖାତିର ନ କରି ନିଜ ଦଳକୁ ଜିତାଇବା ପାଇଁ ଲଢିଥିବା ଜଣେ ଜଣେ ଖେଳାଳିଙ୍କର । ଯିଏ କି ୬ ବର୍ଷ ତଳେ ମୃତ୍ୟୁକୁ ଆଲିଙ୍ଗନ କରି ଫେରିଛନ୍ତି । ବିଶ୍ୱକପରେ ବ୍ୟକ୍ତିଗତ ପ୍ରଥମ ଗୋଲ୍ ଦେବା ସହ ମେକ୍ସିକୋକୁ ଜିତାଇଛନ୍ତି । ପ୍ରମାଣ କରି ଦେଇଛନ୍ତି, ‘ଯୁଦ୍ଧାସ୍ତ୍ର ଧରିଲେ କେହି ଯୋଦ୍ଧା ହୁଏ ନାହିଁ, ବରଂ ଦୃଢ଼ ମନୋବଳ ହିଁ ଯୋଦ୍ଧାର ପରିଚୟ ।’ ରାଉଲ ଜିମିନେଜ ମେକ୍ସିକୋର ସେହି ତାରକା, ଯାହାର ହୁଁକାରରେ ଇଂଲଣ୍ଡର ଷ୍ଟାଡିୟମ୍ କମ୍ପି ଉଠୁଥିଲା । ହେଟା ଘ ଲୋଗୋ ଥିବା ଜର୍ସି ପିନ୍ଧି ସେ ଯେତେବେଳେ ଗ୍ରାଉଣ୍ଡକୁ ଓହ୍ଲାଉଥିଲେ, ତାଙ୍କ ଦ୍ରୁତ ଗତି ଓ ଗୋଲ୍ ପୋଷ୍ଟ ଉପରେ ଆକ୍ରମଣ ପ୍ରତିପକ୍ଷ ଦଳରେ ଆତଙ୍କ ଖେଳାଇଥିଲା । ସେ କେବଳ ଗୋଲ୍ କରୁ ନଥିଲେ, ଗ୍ରାଉଣ୍ଡ ଭିତରେ ଏକ ସମୁଦାୟର ସେନାପତି ଭାବେ ଖେଳକୁ କଣ୍ଟ୍ରୋଲ କରୁଥିଲେ ।

୨୦୨୦ ନଭେମ୍ବରରେ ଆର୍ସେନାଲ୍ ବିପକ୍ଷରେ ଚାଲିଥିଲା ମ୍ୟାଚ । ଗୋଲ୍ ପୋଷ୍ଟ ନିକଟରେ ଏକ ପାସ୍ ପାଇ ରାଉଲ ହେଡର ଗୋଲ୍ ପାଇଁ ଲମ୍ଫ ଦେଇଥିଲେ । ଏହି ସମୟରେ ବିପକ୍ଷ ଆର୍ସେନାଲର ଜଣେ ଡିଫେଣ୍ଡରଙ୍କ ମୁଣ୍ଡ ରାଉଲଙ୍କ ମୁଣ୍ଡରେ ଜୋରରେ ବାଜିଥିଲା ଯେ, ତାଙ୍କ ଖପୁରି ଫାଟି ଦୁଇ ଫାଳ ହୋଇ ଯାଇଥିଲା । ରାଉଲଙ୍କୁ ଡାକ୍ତରଖାନା ନିଆଯାଉଥିବା ସମୟରେ ପଡ଼ିଆରେ ଉଲ୍ଭସ ଦଳ ତଟସ୍ଥ ହୋଇ ଚାହିଁଥିଲା । ହଜାର ମାଇଲ ଦୂରରେ ଥିବା ମେକ୍ସିକୋ ବାସୀ ରାଉଲଙ୍କ ପାଇଁ ପ୍ରାର୍ଥନା ଆରମ୍ଭ କରି ଦେଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ବେଳକୁ ରାଉଲଙ୍କ ନିଃଶ୍ୱାସ ଚାଲିଥିଲା । ଡାକ୍ତର କହି ଦେଇଥିଲେ .... ‘ପ୍ରାର୍ଥନା କର, ସବୁ ଈଶ୍ୱରଙ୍କ ଉପରେ ଛାଡ଼ିଦିଅ’ । ଆଇସିୟୁ ବାହାରେ ଅପେକ୍ଷା କରି ରହିଥିବା ରାଉଲଙ୍କ ପତ୍ନୀ ଓ ପିଲାଙ୍କ ପାଇଁ ସେହି ରାତି ଏତେ ଲମ୍ବା ଥିଲା, ଯହାର କଳ୍ପନା ଅସମ୍ଭବ । ଈଶ୍ୱର ପ୍ରାର୍ଥନା ଶୁଣିଥିଲେ, ରାଉଲ ଜୀବନ ଫେରି ପାଇଥିଲେ । ଡାକ୍ତର କହିଥିଲେ... ‘ଜୀବନ ବଞ୍ଚିଗଲା, ସେତିକି ଯଥେଷ୍ଟ । ଫୁଟବଲ୍ ଖେଳିବା ଆଉ ସମ୍ଭବ ନୁହେଁ ।’

ମାସ ପରେ ମାସ ବିତି ଯାଇଥିଲା । ସିଲେଇ ହୋଇଥିବା ଖପୁରି ତଳେ ଏମିତି ଏକ ମସ୍ତିଷ୍କ ରହିଥିଲା, ଯିଏକି କେବେ ହାର ମାନିବା ଶିଖି ନଥିଲା । ଡାକ୍ତର ଚଲାବୁଲା କରିବାକୁ ଅନୁମତି ଦେବା ମାତ୍ରେ ରାଉଲ ଫୁଟବଲ୍ ଖୋଜିଥିଲେ । ଧିରେ ଧିରେ କ୍ଷତ ଭରୁଥିଲା ଓ ରାଉଲ ଖେଳ ଆରମ୍ଭ କରୁଥିଲେ । ଦୌଡ଼ିବା ମାତ୍ରେ ମୁଣ୍ଡ ଚକ୍କର ଖାଉଥିଲା । ଭାରସାମ୍ୟ ହରାଇବା ଭଳି ଅନୁଭବ ହେଉଥିଲା । ଡରି ନଥିଲେ ରାଉଲ । ଭୟ ଆଖିରେ ଆଖି ମିଶାଇ କହୁଥିଲେ, ‘ତୁ ମତେ ଅଟକେଇ ପାରିବୁ, ହେଲେ ହରାଇ ପାରିବୁ ନାହିଁ ।’ ଆଘାତ ଖପୁରିର ସୁରକ୍ଷା ପାଇଁ ସାରା ଜୀବନ ଏକ ସ୍କଲ କ୍ୟାପ୍ ପିନ୍ଧିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ରାଉଲ ପୁଣି ଥରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ମୁଣ୍ଡରେ ଥିଲା ସ୍କଲ କ୍ୟାପ୍ । ପ୍ରତ୍ୟାବର୍ତ୍ତନ ମ୍ୟାଚରେ ପୁଣି ଥରେ ହେଡର ଗୋଲ୍ ଦେଇଥିଲେ ରାଉଲ । ଗୋଲ ପରେ ରାଉଲ ଆକାଶକୁ ଚାହିଁଥିଲେ । ଆଖିରେ ଥିଲା ଖୁସି ଓ ଏକ ସ୍ୱତନ୍ତ୍ର ବିଜୟର ଲୁହ । ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ମେକ୍ସିକୋ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ ରାଉଲ । ପୁଣି ଏକ ପାସକୁ ହେଡ୍ କରି ଗୋଲ୍ ପୋଷ୍ଟରେ ପହଞ୍ଚାଇଥିଲେ । ରାଉଲ ପୁଣି ଥରେ ଆକାଶକୁ ଚାହିଁଥିଲେ । ମୁଣ୍ଡରେ ଥିଲା ସ୍କଲ କ୍ୟାପ୍ ଓ ଆଖିରେ ଖୁସିର ଲୁହ ।

ଏହା ବି ପଢନ୍ତୁ...Fifa World Cup 2026: ଫିଫା ଫୁଟବଲ ମହାକୁମ୍ଭ; ସ୍ୱିଜରଲାଣ୍ଡ ଓ କତାର ମୁକାବିଲା, ୧-୧ ଗୋଲରେ ଡ୍ର’