ନୂଆଦିଲ୍ଲୀ, ୧୪/୦୬: ଫିଫା ବିଶ୍ବକପ ରୋମାଞ୍ଚ । ଶନିବାର ସ୍ୱିଜରଲାଣ୍ଡ ଓ କତାର ମଧ୍ୟରେ ଅନୁଷ୍ଠିତ ଗ୍ରୁପ-ବି ମୁକାବିଲା ୧-୧ ଗୋଲ୍ରେ ଡ୍ର’ ରହିଛି । ସ୍ୱିଜରଲାଣ୍ଡ ପ୍ରଭାବ ବିସ୍ତାର କରି ଖେଳିଥିଲେ ହେଁ କତାର ଅନ୍ତିମ ମିନିଟ୍ରେ ଗୋଲ୍ ଦେଇ ମ୍ୟାଚ ଡ୍ର’ ରଖିବାରେ ସଫଳ ହୋଇଥିଲା ।
ପ୍ରଥମ ମିନିଟ୍ରେ ସ୍ୱିଜରଲାଣ୍ଡର ବ୍ରାଜିଲ ଏମ୍ବୋଲୋଙ୍କ ଏକ ପ୍ରୟାସକୁ କତାର ଗୋଲ କିପର ଅଟକାଇ ଦେଇଥିଲେ । ଦ୍ୱିତୀୟ ମିନିଟ୍ରେ କତାର ପକ୍ଷରୁ ଏଡମିଲସନ ଜୁନିୟର ଏକ ପ୍ରୟାସ କରିଥିଲେ । ୧୩ତମ ମିନିଟ୍ କତାର ପାଇଁ ନିରାଶା ଆଣିଥିଲା । ସ୍ୱିଜରଲାଣ୍ଡ ଖେଳାଳି ରେମୋ ଫ୍ରେୟୁଲରଙ୍କୁ ଅଟକାଇବାକୁ ଯାଇ କତାର ଗୋଲ୍ କିପର ମହମ୍ମଦ ଆବୁନାଡ଼ା ଫାଉଲ ମାରିଥିଲେ । ସ୍ୱିଜରଲାଣ୍ଡକୁ ପେନାଲ୍ଟି ସୁଯୋଗ ମିଳିଥିଲା । ଭାର ମଧ୍ୟ ପେନାଲ୍ଟି ନିଷ୍ପତ୍ତିକୁ କାଏମ ରଖିଥିଲା । ୧୭ତମ ମିନିଟ୍ରେ ବ୍ରାଜିଲ୍ ଏମ୍ବୋଲୋ ପେନାଲ୍ଟିକୁ ଗୋଲ୍ରେ ପରିଣତ କରିଥିଲେ ଓ ସ୍ୱିଜରଲାଣ୍ଡ ଅଗ୍ରଣୀ ହାସଲ କରିଥିଲା ।
ଦ୍ୱିତୀୟାର୍ଦ୍ଧରେ ସ୍ୱିଜରଲାଣ୍ଡର ଆଧିପତ୍ୟ ଜାରି ରହିଥିଲା । ଅନେକ ସୁଯୋଗ ସୃଷ୍ଟି କରିଥିଲେ ହେଁ ସ୍ୱିଜରଲାଣ୍ଡ ଗୋଲ୍ କରିପାରି ନଥିଲା । କତାର ପ୍ରତି ଆକ୍ରମଣ କରିଥିଲେ ହେଁ ଅଭିଜ୍ଞତାର ଅଭାବ ଯୋଗୁଁ ଗୋଲ୍ କରିବାରେ ବିଫଳ ହୋଇଥିଲା । ୯୦ମିନିଟ୍ ଖେଳ ଶେଷ ହୋଇ ଇନଜ୍ୟୁରି ଟାଇମ ଆରମ୍ଭ ହୋଇଥିଲା । ସ୍ୱିଜରଲାଣ୍ଡର ବିଜୟ ଏକ ପ୍ରକାର ନିଶ୍ଚିତ ଜଣା ପଡ଼ୁଥିବାବେଳେ ୯୦ତମ ମିନିଟ୍ରେ କତାର ଗୋଲ ପରିଶୋଧ କରି ଉନ୍ମାଦନା ଖେଳାଇ ଦେଇଥିଲା । ବିୱାଲିମ ଖୁଖ ଏହି ଗୋଲ୍ ଦେଇ ଦଳକୁ ପରାଜୟରୁ ଉଦ୍ଧାର କରିଥିଲେ ।
ଅଧିକ ପଢନ୍ତୁ- Rohit Sharma: ଛୋଟ ଇନିଂସ ବଡ଼ ସଫଳତା,୧୬ ରନ୍ କରି ୩୭ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ