କଟକ, ୨୨/୧୧ : ମାଆ ଅଭିଯୋଗ କରୁଛନ୍ତି ମୋ’ ପୁଅକୁ ମାରିଦେଲେ । ଅସୁସ୍ଥ ଥିବା ବେଳେ ଜବରଦସ୍ତ ଷ୍ଟେଜ୍‌ ସୋ’ କରି ମୃତ୍ୟୁ ମୁଖକୁ ଠେଲି ଦେଲେ । ତିନି ଜଣଙ୍କ ନାଁ ବି ନେଲେ। ଥରେ ନୁହେଁ ପ୍ରଥମେ ଭୁବନେଶ୍ୱରରେ ଓ ପରେ କଟକରେ ଗଣମାଧ୍ୟମ ସାମ୍ନାରେ ସିଧାସଳଖ ଅଭିଯୋଗ ଆଣିଲେ। ହ୍ୟୁମାନ୍‌ଙ୍କ ମାଆ ଯେଉଁମାନଙ୍କ ନାଁ ନେଲେ ସେମାନଙ୍କ ଭିତରୁ ତତ୍କାଳ ଦୁଇ ଜଣ ବାହାରି ପଡ଼ି ଅଭିଯୋଗ ଖଣ୍ଡନ କଲେ। ସେମାନଙ୍କ ପରିବାର ଆଗକୁ ବାହାରି ଓକିଲାତି କଲେ। ତୃତୀୟ ଜଣକ ଏଯାଏ ଚୁପ୍। ଜଣେ ଭର୍ସାଟାଇଲ୍ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ପରେ ଚାଲିଛି ଏମିତି ଆରୋପ ପ୍ରତ୍ୟାରୋପ, କିନ୍ତୁ ପୁଲିସ୍ ଚୁପ୍। 

କୌଣସି ଛୋଟ ଘଟଣା ଘଟିଲେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତନାଘନା କରୁଛି। ହେଲେ ହ୍ୟୁମାନ୍‌ ସାଗରଙ୍କ ଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କ ଅକାଳ ବିୟୋଗ ପରେ ଏ ବିବାଦ ପୁଲିସର ଶୂନ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଆ ସଙ୍ଗୀତ ଓ ଫିଲ୍ମ ଜଗତ ସହିତ ଜଡ଼ିତ ବହୁ ବ୍ୟକ୍ତି, କଳାକାର ପୁଲିସର ଏ ନିଷ୍କ୍ରିୟତାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । 

ଗତ କିଛି ବର୍ଷ ହେବ ହ୍ୟୁମାନ୍‌ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିବା ରାଜ୍ୟବାସୀ ଊଣାଅଧିକ ଜାଣିଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ତାଙ୍କୁ ବିଶ୍ରାମ ନେବାକୁ କହିଥିବା ସମସ୍ତେ ଶୁଣିଥିଲେ । ତଥାପି ତାଙ୍କୁ ନେଇ ଷ୍ଟେଜ୍‌ ସୋ’ କରାଯାଉଥିଲା । ଗୋଟିଏ କି ଦୁଇଟି ନୁହେଁ, ମାଳମାଳ ଷ୍ଟେଜ୍‌ ସୋ’ । ଆଉ ଏଥିପାଇଁ ତାଙ୍କ ଅସୁସ୍ଥତା ଧୀରେ ଧୀରେ ବଢ଼ିଲା, ଚିକିତ୍ସାରେ ଅବହେଳା ହେଲା ଓ ଶେଷରେ ସେ ମୃତ୍ୟୁମୁଖରେ ପଡ଼ିଲେ । ଏହି ଅଭିଯୋଗ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ଆଣିଥିଲେ । ପ୍ରଥମେ ଏମ୍‌ସ ସମ୍ମୁଖରେ ଓ ପରେ ସିଡିଏସ୍ଥିତ ଘରେ ୧୭ ତାରିଖ ରାତିରେ ଏଭଳି କହିଥିଲେ । ଗଣମାଧ୍ୟମ ଆଗରେ ଖୋଲାଖୋଲି ବୟାନ ଦେଇ ମୃତ୍ୟୁ ପଛର କାରଣ ଓ କିଏ ଦାୟୀ ତାହା ମଧ୍ୟ କହିଲେ । ଏହି ସମୟରେ ପୁଲିସ ମଧ୍ୟ ଉପସ୍ଥିତ ଥିଲା । ଖାଲି ଏତିକି ନୁହେଁ, ଏହି ବୟାନ ଦେଲା ବେଳେ ତାଙ୍କୁ ହ୍ୟୁମାନ୍‌ଙ୍କ ଦୁଇ ମ୍ୟାନେଜର୍‌ କିଭଳି ଧମକ ଦେଲେ ତାହା ମଧ୍ୟ ପୁଲିସ ଦେଖିଲା, ଶୁଣିଲା । ଉକ୍ତ ଭିଡିଓ ଭାଇରାଲ୍‌ ହୋଇ ଏବେ ଘୂରିବୁଲୁଛି । ହ୍ୟୁମାନ ରାଜ୍ୟର ସମ୍ପତ୍ତି ଥିଲେ । ତେଣୁ ତାଙ୍କ ଦେହାନ୍ତ ପରେ ପୁଲିସ ନିଜ ଆଡୁ ଘଟଣାର ଛାନ୍‌ଭିନ୍‌ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ହ୍ୟୁମାନ୍‌ଙ୍କ ସମ୍ପର୍କ କହିଲେ ତାଙ୍କ ମାଆ, ପତ୍ନୀ ଓ ଝିଅ । ସେମାନେ ଏବେ ଟିଟିଲାଗଡ଼ରେ । ତେଣୁ କଟକ ପୁଲିସ ପରିବାର ଲୋକଙ୍କ ଲିଖିତ ଅଭିଯୋଗକୁ ଅପେକ୍ଷା ନ କରି ଏତେ ବଡ଼ କଳାକାରଙ୍କ ମୃତ୍ୟୁ ପଛର ରହସ୍ୟ ଖୋଜିବା ଦରକାର ବୋଲି ଦାବି ହେଉଛି । ଇତିମଧ୍ୟରେ ହ୍ୟୁମାନ୍‌ଙ୍କ ଷ୍ଟେଜ୍‌ ସୋ’ରୁ ଆୟ ହେଉଥିବା ଅର୍ଥକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ସୋ’ ବୁକ୍‌ କରିବା କାମ ତାଙ୍କର ଦୁଇ ମ୍ୟାନେଜର୍‌ ତଥା ପିଏ (ବ୍ୟକ୍ତିଗତ ସହାୟକ) କରୁଥିଲେ । ସୋ’ ବୁକ୍‌ କରିବା, ଆୟୋଜକଙ୍କଠାରୁ ଟଙ୍କା ଆଣିବା, ଷ୍ଟାଫ୍‌ ପେମେଣ୍ଟ୍‌ କରିବା ଓ କର୍ମଚାରୀଙ୍କୁ ଅଗ୍ରୀମ ଦେବା କାମ ସବୁ ସେହି ଦୁଇ କର୍ମଚାରୀ କରୁଥିଲେ । ହ୍ୟୁମାନ୍‌ଙ୍କୁ ଅତି ନିକଟରୁ ଜାଣିଥିବା ଲୋକଙ୍କ କହିବାନୁସାରେ, ସୋ’ ଅର୍ଥର ଟଙ୍କାଟିଏ ବି ସେ ନିଜ ହାତରେ ଆଣୁନଥିଲେ । ଏପରିକି ସୋ’ କେତେ ଟଙ୍କାରେ ବୁକ୍‌ ହୋଇଛି ତାହା ମଧ୍ୟ ହ୍ୟୁମାନ ଜାଣୁନଥିଲେ । ବୁକିଂର ପ୍ରକୃତ ପରିମାଣ ହ୍ୟୁମାନଙ୍କୁ ଜଣାଇ ଦିଆଯାଉନଥିଲା । ଗତ କିଛି ବର୍ଷ ଭିତରେ ହୋଇଥିବା ଶତାଧିକ ଷ୍ଟେଜ୍‌ ସୋ’ରୁ ଆସିଥିବା ଅର୍ଥ କେତେ ପରିମାଣର, ସେଥିରୁ ହ୍ୟୁମାନ୍‌ କେତେ ଟଙ୍କା ପାଇଛନ୍ତି ଓ ବଳକା ଅର୍ଥ କିଏ ରଖିଛି, କେତେ ଟଙ୍କା ବଳକା ରହିଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଦୁଇ ମ୍ୟାନେଜର୍‌ଙ୍କ ନାଁରେ ଅଭିଯୋଗ ଆସିବା ପରେ ସେମାନଙ୍କ ପରିବାର ଲୋକେ ଲଗାତାର ସେମାନଙ୍କ ପାଇଁ ଓକିଲାତି କରି ଘଣ୍ଟ ଘୋଡ଼ାଇବା ପାଇଁ ଆଗକୁ ଆସୁଛନ୍ତି । ହ୍ୟୁମାନ୍‌ଙ୍କ ମାଆ ଓ ପତ୍ନୀଙ୍କ ଉପରେ ଲାଞ୍ଝନା ଲଗାଉଛନ୍ତି । ହ୍ୟୁମାନଙ୍କ ସଂଗୀତ ଓ ଷ୍ଟେଜ୍‌ ସୋ’ ସହିତ ତାଙ୍କ ଦୁଇ ମ୍ୟାନେଜର୍‌ଙ୍କ ପରିବାର ଲୋକଙ୍କର କିଛି ନେଣଦେଣ ନାହିଁ । ମାତ୍ର ସେମାନେ ଏ ଘଟଣାରେ ମୁଣ୍ଡ ପୂରାଇ ହ୍ୟୁମାନଙ୍କ ମାଆ-ପତ୍ନୀଙ୍କୁ ସାଧାରଣରେ ନିନ୍ଦିତ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଥିରୁ ହ୍ୟୁମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲିଦେବା ପଛରେ ବଡ଼ ରହସ୍ୟ ଥିବା ସନ୍ଦେହ ଦୃଢୀଭୂତ ହେଉଛି ।