ପୃଥିବୀପୃଷ୍ଠର ଶ୍ରେଷ୍ଠ ଜୀବ ମଣିଷ ଏବେ ନିଜକୁ ଅଧିକ ସଶକ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ଏଠାରେ ମଣିଷର ଶକ୍ତି, ସାମର୍ଥ୍ୟ କେବଳ ମାଂସପେଶୀୟ ଶକ୍ତିକୁ ନେଇ ବୁଝାଯାଉନାହିଁ । ବରଂ ଏହା ଆର୍ଥିକ ଶକ୍ତି, ଆରାମଦାୟକ ଚଳଣି ପାଇଁ ବ୍ୟବହାରରେ ଲଗାଯାଉଥିବା ଯନ୍ତ୍ରପାତି, ଗାଡ଼ିମଟର ସହିତ ସେବା ଯୋଗାଉଥିବା ସେବାକାରୀଙ୍କର ସଂଖ୍ୟା ଉପରେ ନିର୍ଭର କରୁଛି । ଜଣେ ବିଦ୍ୱାନ ଏବଂ ବିଚାରବନ୍ତ ବ୍ୟକ୍ତି ନିଜକୁ ସହଜରେ ସଶକ୍ତ କରିପାରେ । ନିଜର ଆଧିପତ୍ୟକୁ ବିସ୍ତାର କରୁ କରୁ ଲୋକପ୍ରତିନିଧି ରୂପେ ନିର୍ବାଚିତ ହୋଇ ଶାସକ ଗାଦିକୁ ସହଜରେ ଅକ୍ତିଆର କରିଥାଏ । ଏହି ପ୍ରକ୍ରିୟା, କେବଳ ଗଣତନ୍ତ୍ର ଦେଶରେ ଦେଖାଯାଉଥିବା ବେଳେ ରାଜାରାଜୁଡ଼ା ବେଳର ଶାସକ ଏବଂ ଶାସନ ପଦ୍ଧତିର କଥା କିନ୍ତୁ ଅଲଗା ଥିଲା । ଏବେ ସଭ୍ୟ ତଥା ଆଧୁନିକ ସମାଜରେ ଲୋକମତକୁ ପ୍ରାଧାନ୍ୟ ଦିଆଯାଉଛି । ଏହା ସହିତ ବିଜ୍ଞାନମନସ୍କ ହୋଇ ଯନ୍ତ୍ରପାତିର ବ୍ୟାପକ ପ୍ରୟୋଗ କରି ଗୋଟିଏ ଦେଶ ବା ଜାତି ଅଜସ୍ର ଧନ ଏବଂ ମାନର ଅଧିକାରୀ ହୋଇ ଏକ ଆରାମଦାୟକ ଜୀବନ ବିତାଇପାରୁଛି । ଅନ୍ୟ ଏକ ଘଟଣା ଏବେ ସମଗ୍ର ବିଶ୍ୱବାସୀଙ୍କର ଧ୍ୟାନକୁ ଆକର୍ଷିତ କରୁଛି । ତାହା ହେଲା ଦୀର୍ଘଜୀବୀ ହେବାର କୌଶଳ । ଯେଉଁ ଦେଶର ଲୋକମାନେ ଯେତେ ଅଧିକ ଦିନ ବଞ୍ଚିପାରିଲେ ସେ ଦେଶ ସହିତ ସେଠାକାର ଦେଶବାସୀଙ୍କୁ ଅଧିକ ଯୋଗ୍ୟ ବା ଦକ୍ଷ ବୋଲି ବିବେଚନା କରାଯାଉଛି ।

ସେମାନଙ୍କର ଖାଦ୍ୟପେୟ, ଚାଲିଚଳଣିଠାରୁ ଆରମ୍ଭ କରି ସେଠାକାର ଭୂମିରୂପ, ପାଣି ପବନ, ମୋଟାମୋଟି ଭାବରେ କହିବାକୁ ଗଲେ ସ୍ୱଚ୍ଛ ପରିବେଶ ହିଁ ଦୀର୍ଘ ତଥା ନିରାମୟ ଜୀବନ ଦାନ କରିପାରେ ବୋଲି ମତ ପ୍ରକାଶ ପାଉଛି । ମଣିଷ ଜାତିର ଉଦ୍ବର୍ତ୍ତନ ହେବାପରେ ନିଜର ଶକ୍ତିକୁ ପ୍ରଦର୍ଶିତ କରୁ କରୁ ଏବେ ଭୂପୃଷ୍ଠରେ ଏକଶହ ପଞ୍ଚାନବେଟି ଦେଶ ସୃଷ୍ଟି ହୋଇସାରିଲାଣି । ଆହୁରି କିଛି ଦେଶ ଜନ୍ମ ନେବା ଅପେକ୍ଷାରେ ଆନ୍ଦୋଳନ କରୁଛନ୍ତି । ସେ ଯାହା ହେଉନା କାହିଁକି, ଏବେ ସୃଷ୍ଟିର ଶ୍ରେଷ୍ଠ ଜାତି ନିଜର ଶ୍ରେଷ୍ଠତାକୁ ପ୍ରତିପାଦନ କରିବାପାଇଁ ମାରାତ୍ମକ ପରମାଣୁ ଅସ୍ତ୍ରକୁ ଠୁଳ କରିବା ସହିତ ପ୍ରଚୁର ପରିମାଣର ବିଦ୍ୟୁତ୍ ଶକ୍ତି ପ୍ରସ୍ତୁତ କରିବା ଉପରେ ନିଜର ଧ୍ୟାନକୁ କେନ୍ଦ୍ରୀଭୂତ କରୁଛି । କାରଣ ସାଧାରଣ ଲୋକଟିଏ ଆରାମରେ ଚଳିବା ପାଇଁ ବିଭିନ୍ନ ପ୍ରକାର ଶକ୍ତିକୁ ଆବଶ୍ୟକ କରିଥାଏ । ସେଥିମଧ୍ୟରୁ ବିଦ୍ୟୁତ୍ ଶକ୍ତିର ଚାହିଦା ସର୍ବାଧିକ । ବିଦ୍ୟୁତ୍ ଶକ୍ତି ବିନା ଆମର ଦୈନନ୍ଦିନ କାର୍ଯ୍ୟରେ ଲାଗୁଥିବା ଅନେକ ଯନ୍ତ୍ରପାତି ଅକାମି ହୋଇପଡ଼ିବ । ସ୍କୁଲ, କଲେଜ, ଡାକ୍ତଖାନା, ଗବେଷଣା କେନ୍ଦ୍ର ଅଚଳ ହୋଇପଡ଼ିବ । ବିନା ବିଦ୍ୟୁତ୍‌ରେ ଦିନଟିଏ କଟାଇବା ଆମପାଇଁ ଯନ୍ତ୍ରଣାଦାୟକ ହୋଇପଡ଼ିବାବେଳେ, ଯେଉଁ ଦେଶ ଯେତେ ଅଧିକ ପରିମାଣର ବିଦ୍ୟୁତ୍ ଉତ୍ପାଦନ କରୁଛି ସେ ଦେଶ ଏକ ସଭ୍ୟ ତଥା ଶକ୍ତିଶାଳୀ ଦେଶର ମାନ୍ୟତା ପାଇପାରୁଛି ।

ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେଉଥିବ, କିନ୍ତୁ ପରିବେଶ ଦୂଷିତ ହେଉନଥିବ, ତା’ ସହିତ ଶସ୍ତାରେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ଉପଲବ୍ଧ ହେଉଥିବ, ବିପଦର ମାତ୍ରା ମଧ୍ୟ କମ୍ ଥିବ, ଏଭଳି ଅନେକ କଥାକୁ ବିଚାରକୁ ନେଲେ ଆମ ମନକୁ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ କଥା ତୁରନ୍ତ ଆସିଯାଏ । ସୂର୍ଯ୍ୟଙ୍କଠାରୁ ଆସୁଥିବା ତାପଶକ୍ତି ଏବଂ ଆଲୋକ ଶକ୍ତିକୁ ବିନିଯୋଗ କରି ଏବେ ସୌରବିଦ୍ୟୁତ୍ ଉତ୍ପାଦନ କରାଯାଉଛି । ଯାହା ଏକ ପରିବେଶ ଅନୁକୂଳ ଏବଂ ଅସରନ୍ତି ଶକ୍ତିର ଉତ୍ସରୂପେ ସର୍ବାଗ୍ରେ ସ୍ଥାନପାଇଛି । ଖୁବ୍ ଦ୍ରୁତ ବିକାଶର ଧାରାକୁ ଜାରି ରଖିଥିବା ଦେଶ ଚୀନ୍ ଏବେ ବାର୍ଷିକ ଚାରିଶହ ବିଲିୟନ ମେଗାୱାଟ୍ ସୌର ବିଦ୍ୟୁତ୍ ଉତ୍ପାଦନ କରି ସମଗ୍ର ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି । କିନ୍ତୁ ଏକଶହ ଛୟାଳିଶି କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତବର୍ଷ, ବର୍ଷକୁ ମାତ୍ର ଏକଲକ୍ଷ ପଇଁତିରିଶି ହଜାର ସୌରବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା କଥା ଏକ ତଥ୍ୟରୁ ଜଣାପଡ଼ିଛି । ସୌରଶକ୍ତି, ପବନଶକ୍ତି, ଜଳଜ ବିଦ୍ୟୁତ୍ ଶକ୍ତିକୁ ବିନିଯୋଗ କରି ସ୍ୱଚ୍ଛ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ବିଶ୍ୱବାସୀଙ୍କୁ ପାଇଁ ମଙ୍ଗଳପ୍ରଦ ହେବାବେଳେ ସେଥିପ୍ରତି ଧ୍ୟାନ ନଦେବା, ବା ଗୁରୁତ୍ୱ ନଦେବାକୁ ଏକ ମୁର୍ଖାମି ବୋଲି କୁହାଯାଇପାରେ । ଏହିଭଳି ମୁର୍ଖାମିରୁ ମୁକ୍ତି ପାଇବାପାଇଁ ଏବେ ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଦେଶବାସୀଙ୍କୁ ସୌରଶକ୍ତିକୁ ବିନିଯୋଗ କରିବାପାଇଁ ସୋଲାର ପ୍ୟାନେଲ୍ ଉପରେ କିଛି ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ଉଦ୍ଦେଶ୍ୟ, ଗୋଟିଏ ବାୟୁମଣ୍ଡଳ ସ୍ୱଚ୍ଛ ରହିବା ସହିତ କିଛି ସରନ୍ତି ପଦାର୍ଥ, ଯେପରିକି କୋଇଲା, ପେଟ୍ରୋଲିୟମ୍ ଗ୍ୟାସ୍, ଡିଜେଲ୍ ବିଦ୍ୟୁତଶକ୍ତି ଉତ୍ପାଦନରେ ନଷ୍ଟ ହେବନାହିଁ ।

ସେହିଭଳି ୟୁରାନିୟମ୍, ଥୋରିୟମ୍ ଭଳି ମୌଳିକ ପଦାର୍ଥ ଭୂପୃଷ୍ଠରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଥିବାବେଳେ ପରମାଣୁ ରିଆକ୍ଟରରେ ସେଗୁଡ଼ିକର ବହୁଳ ବ୍ୟବହାର ସମଗ୍ର ଜୀବଜଗତ ପାଇଁ ବିପଦର କାରଣ ସାଜିଛି । ପରମାଣୁ ଅସ୍ତ୍ର ପ୍ରସ୍ତୁତ ବ୍ୟତୀତ ଇଉରାନିୟମ୍ ଏବଂ ଥୋରିୟମ୍ର ପରମାଣୁ ବିଭାଜନଜନିତ ଶକ୍ତିରୁ ବିଦ୍ୟୁତଶକ୍ତି ପ୍ରସ୍ତୁତ କରାଯାଉଛି । ଯାହା କୋଇଲାର ତାପଜ ବିଦ୍ୟୁତଶକ୍ତି ଠାରୁ ଶସ୍ତାରେ ମିଳିପାରୁଛି । ୟୁରୋପର ଫ୍ରାନ୍ସ, ପ୍ରଚୁର ପରିମାଣରେ ନିଉକ୍ଲିୟର ଶକ୍ତି ଉତ୍ପାଦନ କରି ତା'ର ଛଅକୋଟି ଛୟାଅଶି ଲକ୍ଷ ସଂଖ୍ୟକ ଦେଶବାସୀଙ୍କୁ ଶତକଡ଼ା ଦଶଭାଗ ଶସ୍ତାରେ ବିଦ୍ୟୁତଶକ୍ତି ଯୋଗାଇ ଦେଉଛି । ସେହିଭଳି ପୃଥିବୀର ଧନଶାଳୀ ତଥା ଶ୍ରେଷ୍ଠ ଦେଶର ମାନ୍ୟତା ହାସଲ କରିଥିବା ଆମେରିକା ମଧ୍ୟ ନିଉକ୍ଲିୟର ବିଦ୍ୟୁତ୍ଶକ୍ତି ଉତ୍ପାଦନ କରି ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି । ଆମ ଦେଶ ଭାରତବର୍ଷରେ ପରମାଣୁ ବିଦ୍ୟୁତଶକ୍ତିର ପରିମାଣ ମାତ୍ର ଆଠହଜାର ସାତଶହ ଅଶି ମେଗାୱାଟ୍ । ଯାହା ଆମ ଦେଶର ମାତ୍ର ୩.୧% ଦ୍ରୁତଗତିରେ ଆଗେଇ ଚାଲିଛି ।

ଦେଶବାସୀଙ୍କୁ ଶିକ୍ଷିତ, ସମୃଦ୍ଧ, ଏବଂ ସଶକ୍ତ କରିବା ଲକ୍ଷ୍ୟରେ ଆମ ଦେଶରେ ଥିବା ବିଦ୍ୟାଳୟର ସଂଖ୍ୟା ଚଉଦଲକ୍ଷ ବାସ୍ତରି ହଜାରକୁ ପାର କରିଥିବାବେଳେ, କଲେଜର ସଂଖ୍ୟା ବୟାଳିଶି ହଜାର ଆଠଶହ ପଚିଶିରେ ପହଞ୍ଚିଛି ଏବଂ ବିଶ୍ୱବିଦ୍ୟାଳୟର ସଂଖ୍ୟା ଏଗାର ଶହରେ ପହଞ୍ଚିଛି । ତଥାପି ଆମ ଦେଶରୁ ପ୍ରାୟ ତେରଲକ୍ଷ ମେଧାବୀ ପିଲା ବିଦେଶରେ ରହି ପାଠ ପଢ଼ୁଛନ୍ତି । ଆଉ କେତେକ ମେଧାବୀ ଛାତ୍ର ବିଦେଶରେ ଚାକିରି କରି ନିଜର ପରିବାରକୁ ପ୍ରତିପୋଷଣ କରିବା ସହିତ ସେମାନଙ୍କର ବିଦ୍ୟା ବୃଦ୍ଧି, ଗବେଷଣା ଜନିତ ଲାଭ, କେବଳ ବିଦେଶରେ ରହିଯାଉଛି । ଯାହାଫଳରେ କି ଆମ ଦେଶ ଅନେକ କିଛି ହରାଉଛି । ଏଭଳି ହେବାର କାରଣ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଆମ ଦେଶର ଶିକ୍ଷାବ୍ୟବସ୍ଥା, ମେଧାବୀମାନଙ୍କୁ ଜ୍ଞାନୀଗୁଣୀ ତଥା ସଶକ୍ତ କରିବାପାଇଁ ଯଥେଷ୍ଟ ହେଉନାହିଁ । ତେଣୁ ସେମାନେ ଏବେ ବିଦେଶମୁହାଁ ହେଉଛନ୍ତି । ଏସବୁ ବ୍ୟତୀତ ଏକ ସୁସ୍ଥ ତଥା ନିରାମୟ ଜୀବନ ବିତାଇବା ପାଇଁ ଯେଉଁଭଳି ପରିବେଶ ଦରକାର ତାହା ତାଙ୍କୁ ସେଠାରେ ସହଜରେ ମିଳିଯାଉଛି ।

ବିଶେଷକରି ଏତେ ବଡ଼ ପରମାଣୁ ଶକ୍ତିସମ୍ପନ୍ନ ଦେଶ, ଆମେରିକାର ଏୟାର କ୍ୱାଲିଟିର ପି.ଏମ୍. ୧.୮ ଥିବାବେଳେ ଆମ ଦେଶର ଗାଁଠାରୁ ଆରମ୍ଭକରି ଛୋଟ ବଡ଼ ସହରର ଏୟାର କ୍ୱାଲିଟି ତିନିଶହକୁ ପାର୍ କରିସାରିଛି । ରାଜଧାନୀ ଦିଲ୍ଲୀର ଅବସ୍ଥା ଚାରିଶହ ପଚାଶରେ ପହଞ୍ଚିବାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚିନ୍ତା ପ୍ରକଟ ପାଇଛି । ଏହାର ସୁଯୋଗ ନେଇ ଆମର ବୁଦ୍ଧିମାନ ଛାତ୍ରଛାତ୍ରୀ ବିଶିଷ୍ଟ ବ୍ୟବସାୟୀମାନେ ପ୍ରଶ୍ନ କଲେଣି ଆମେ ଇଣ୍ଡିଆରେ ବଞ୍ଚିବୁ କେମିତି? ବରଂ ତୁମେ ଏଠାକୁ ଆସ । ଦେଖ ଏଠାକାର ନଦୀ, ପୋଖରୀ, ହ୍ରଦରେ ଥିବା ପାଣିର ସ୍ୱଚ୍ଛତାକୁ, ବାୟୁମଣ୍ଡଳର କ୍ୱାଲିଟିକୁ, ଶାସନ ବ୍ୟବସ୍ଥା ସହିତ ନ୍ୟାୟିକ ପ୍ରକ୍ରିୟାର କ୍ଷିପ୍ରତାକୁ ଯାହା କେବଳ ତାଙ୍କ ଦେଶବାସୀଙ୍କ ପାଇଁ ନୁହେଁ, ବରଂ ସେଠାରେ ବସବାସ କରୁଥିବା ବିଦେଶୀମାନଙ୍କୁ କାମ କରିବାକୁ ବା ସଶକ୍ତ ହେବାକୁ ପ୍ରେରଣା ଯୋଗାଇଥାଏ ।

ଏବେ ପୁଣି ଦକ୍ଷତା ଏବଂ ଶ୍ରେଷ୍ଠତା ମଧ୍ୟକୁ କ୍ଷମତାଲିପ୍ସା ସତେଯେପରି ଧସେଇ ପଶୁଛି । ମଣିଷଙ୍କ ମଧ୍ୟରେ ଥିବା ଶ୍ରେଷ୍ଠ ତଥା ପ୍ରତିଭାଶାଳୀ ବ୍ୟକ୍ତିଙ୍କର ଜ୍ଞାନ, ଗରିମା, ଯୋଗ୍ୟତା ଅତ୍ୟନ୍ତ ପ୍ରଶଂସନୀୟ ହେବାବେଳେ ଆଉ କେତେକଙ୍କର ସ୍ୱାର୍ଥପରତା, ଶଠତା, ଅହଂକାର ତଥା ଲାଳସା ସେମାନଙ୍କୁ ମୋହଗ୍ରସ୍ତ କରିଦେଇଥାଏ । ଯାହାଫଳରେ କି ସେମାନେ ଚତୁରତାର ସହିତ ମଣିଷପଣିଆକୁ ଭୁଲିଯାଇ ଅନ୍ୟାୟ, ଅତ୍ୟାଚାର ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ପଛାନ୍ତିନାହିଁ । ଅନ୍ୟ ଅର୍ଥରେ କହିବାକୁ ଗଲେ କେବଳ ସେହିମାନଙ୍କ ପାଇଁ ବିଶ୍ୱ ଏବେ ଯଦ୍ଧୁଂଦେହୀ ଡାକରାରେ ଥରହର ହେଉଛି । କାହା ପାଖରେ କେତେ କ୍ଷେପଣାସ୍ତ୍ର ଅଛି ତାର ହିସାବ ଚାଲିଛି । ଏହା ସହିତ ଅନେକ ବିଜ୍ଞ ବ୍ୟକ୍ତି ଅତୀତରେ ଘଟିଯାଇଥିବା ଲୋମଟାଙ୍କୁରା ଯୁଦ୍ଧ ଏବଂ ସେଥିରେ ମୃତାହତ ଲୋକଙ୍କର ସଂଖ୍ୟାକୁ ସାମନାକୁ ଆଣୁଛନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଲଢ଼ୁଥିବା ସୈନ୍ୟସାମନ୍ତଙ୍କ ସହିତ ସାଧାରଣ ଜନତାଙ୍କର ମୃତ୍ୟୁସଂଖ୍ୟା ୨କୋଟି ୭୦ଲକ୍ଷକୁ ଟପିଯାଇଥିଲା । ତା'ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯ ମସିହାରୁ ଆରମ୍ଭ ହୋଇ ୧୯୪୫ ମସିହାଯାଏଁ ଚାଲିଥିଲା । ସେତେବେଳେ ମୃତ୍ୟୁସଂଖ୍ୟା ୮କୋଟିକୁ ପାର ହୋଇଯାଇଥିଲା । ସେହି ଦୁଇଟି ଯୁଦ୍ଧରେ ସୋଭିଏତ୍ ରୁଷ୍ର ସର୍ବାଧିକ କ୍ଷତି ହୋଇଥିଲା ବୋଲି ଜଣାଯାଏ । ଏହା ବ୍ୟତୀତ ଲିଟିଲ୍ବୟ ଏବଂ ଫ୍ୟାଟ୍ମ୍ୟାନ୍ ନାମକ ପରମାଣୁ ବୋମାର ତାଣ୍ଡବକୁ ଜାପାନର ହିରୋସୀମା, ଏବଂ ଫ୍ୟାଟ୍ମ୍ୟାନ୍ ନାମକ ପରମାଣୁ ବୋମାର ତାଣ୍ଡବକୁ ଜାପାନର ଏବଂ ନାଗାସାକି ସହର ଆଜିଯାଏଁ ପ୍ରଚାର କରିଚାଲିଛି । କେବଳ ସେତିକି ନୁହେଁ "ଶାନ୍ତି ଯୁଦ୍ଧରେ ମିଳେ ନାହିଁ’ ବୋଲି ଏକ ବାର୍ତ୍ତା ମଧ୍ୟ ପ୍ରଚାର କରୁଛି । ତଥାପି ପୃଥିବୀର ବହୁ ଦେଶରେ ଆଜି ସନ୍ତ୍ରାସବାଦୀଙ୍କର ପ୍ରାର୍ଦୁଭାବ ଦେଖାଦେଇଛି । ଭୟ ଏବଂ ଆତଙ୍କ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରଶାସନିକ ବ୍ୟବସ୍ଥାକୁ ବିପର୍ଯ୍ୟୟ କରିବା ସନ୍ତ୍ରାସବାଦୀଙ୍କର ଲକ୍ଷ୍ୟ । ତେଣୁ ବିଶ୍ୱର କୌଣସି ଦେଶ ଆତଙ୍କବାଦ ବା ସନ୍ତ୍ରାସବାଦକୁ ପସନ୍ଦ କରନ୍ତିନାହିଁ ।

‘ବିନାଶ କାଳେ ବିପରୀତ ବୁଦ୍ଧି' ନ୍ୟାୟରେ ମଣିଷ କେବଳ ନିଜ ଜାତିର ଶତ୍ରୁରେ ପରିଣତ ହେଉନାହିଁ, ବରଂ ଏହିଭଳି ଦୁର୍ବୁଦ୍ଧି ଯୋଗୁଁ ଅଗଣିତ ଗୃହପାଳିତ ପଶୁଙ୍କ ସହିତ ବଣ୍ୟଜୀବମାନେ ମଧ୍ୟ ଅକାଳରେ ଅସହ୍ୟ କଷ୍ଟକୁ ଭୋଗ କରି ମୃତ୍ୟୁବରଣ କରୁଛନ୍ତି । ନିଜକୁ ସଶକ୍ତ କରିବା ଏବଂ ବିଶ୍ୱ ଦରବାରରେ ତାହାକୁ ପ୍ରମାଣିତ କରିବା ପାଇଁ ଅନେକ ଯୁଦ୍ଧଖୋର କୁଟିଳ ଶାସକଙ୍କର ଆବିର୍ଭାବ ହେଉଛି । ଏପିଷ୍ଟିନଙ୍କ ଭଳି ମାୟାବୀ ରାକ୍ଷସଙ୍କର କାର୍ଯ୍ୟକଳାପକୁ ନେଇ ଛୋଟ ଛୋଟ ପିଲାମାନଙ୍କର ପ୍ରଶ୍ନ ଗୁରୁଜନଙ୍କୁ ଲଜ୍ଜିତ କରୁଛି । ସେମାନେ ପ୍ରଶ୍ନ କରୁଛନ୍ତି- ଆମେ ଏବେ କାହାକୁ ହିରୋ ବୋଲି ଭାବିବା ଏବଂ କାହାକୁ ଦେବତାର ସ୍ଥାନ ଦେଇ ତାଙ୍କ ପଥକୁ ଅନୁସରଣ କରିବା । ପରମାଣୁ ବୋମାର ଜନକ ଜେ. ରୋବର୍ଟ ଓ ପେନ୍ହିମର୍ଙ୍କୁ, ନା ପରମାଣୁ ଅସ୍ତ୍ରକୁ ପ୍ରୟୋଗ କରୁଥିବା ଶାସକ ଗୋଷ୍ଠୀଙ୍କୁ ।