ନୂଆଦିଲ୍ଲୀ : ସୋମବାର ମାଇକ୍ରୋସଫ୍ଟ ଗେମିଂ ପ୍ଲାଟଫର୍ମ 'ଏକ୍ସବକ୍ସ'ର ସେବା ହୋଇଗଲା ଠପ୍। ୟୁଜରମାନେ ହେଲେ ଖୁବ୍ ସମସ୍ୟାର ସମ୍ମୁଖୀନ। ହଜାର ହଜାର ଲୋକଙ୍କର ଆସିଲା ଅଭିଯୋଗ। ସେମାନେ କହୁଛନ୍ତି - ନିଜର ପୂର୍ବରୁ କିଣିଥିବା ଓ ଡାଉନଲୋଡ୍ କରିଥିବା ଗେମ୍ ଏବଂ Xbox Game Pass ଗେମ୍ ମଧ୍ୟ ଖେଳି ପାରୁ ନାହାନ୍ତି। ସୋସିଆଲ ମିଡିଆରେ ୟୁଜରମାନେ ଲଗାତାର ପୋଷ୍ଟ କରି କହୁଛନ୍ତି ଯେ, କନସୋଲରେ ଗେମ୍ ଲଞ୍ଚ୍ ହୋଇପାରୁ ନାହିଁ ଏବଂ ଲାଇସେନ୍ସ ଭେରିଫିକେସନ୍ ପ୍ରକ୍ରିୟା ଫେଲ୍ ହେଉଛି। ଏହାପରେ Xbox Support ମଧ୍ୟ ସ୍ୱୀକାର କରିଛି ଯେ, ଆକାଉଣ୍ଟ ଏବଂ ପ୍ରୋଫାଇଲ୍, ଷ୍ଟୋର୍ ଏବଂ ସବସ୍କ୍ରିପସନ୍, ଆପ୍ସ ଏବଂ ମୋବାଇଲ୍ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି।

ଏହି ସମସ୍ୟା ଜୁଲାଇ ୨୬ ତାରିଖ ବିଳମ୍ବିତ ରାତିରୁ ଆରମ୍ଭ ହୋଇ, ଜୁଲାଇ ୨୭ ପର୍ଯ୍ୟନ୍ତ ଜାରି ରହିଛି। ରେଡିଟ୍ ସମେତ ଅନେକ ଅନଲାଇନ୍ ମଞ୍ଚରେ ୟୁଜରମାନେ ଜଣାଇଛନ୍ତି। କୁହାଯାଉଛି ଯେ, ଲାଇସେନ୍ସ ଭେରିଫିକେସନରେ ତ୍ରୁଟି ଥିବା ହେତୁ ଏପରି ଡାଉନଲୋଡ୍ ହୋଇଥିବା ଗେମ୍ ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି, ଯାହାକୁ ସାଧାରଣତଃ ଇଣ୍ଟରନେଟ୍ ବିନା ମଧ୍ୟ ଖେଳା ଯାଇପାରେ। ଏହି ବୈଷୟିକ ସମସ୍ୟା ଡିଜିଟାଲ ଗେମିଂ ମଡେଲ୍ ଉପରେ ଏକ ନୂଆ ବିତର୍କ ସୃଷ୍ଟି କରିଛି।

ଅନେକ ୟୁଜରଙ୍କ କହିବାନୁସାରେ, ଯେତେବେଳେ କିଣା ଯାଇଥିବା ଏବଂ ଡାଉନଲୋଡ୍ କରାଯାଇ ଥିବା ଗେମ୍ ଗୁଡ଼ିକ ମଧ୍ୟ ସର୍ଭର ସମସ୍ୟା ଯୋଗୁଁ ଚାଲି ପାରୁ ନାହିଁ, ସେତେବେଳେ ଡିଜିଟାଲ ମାଲିକାନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। Xbox Support ମୁତାବିକ , ସେମାନଙ୍କର ବୈଷୟିକ ଟିମ୍ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେବାଗୁଡ଼ିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି।

କାହିଁକି ଟାର୍ଗେଟରେ ସିଇଓ ଆଶା ଶର୍ମା ?

ଏହି ସମସ୍ୟା ମଧ୍ୟରେ ଏକ୍ସବକ୍ସର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଆଶା ଶର୍ମା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଚଳିତ ମାସରେ ସେ କମ୍ପାନୀରୁ ପ୍ରାୟ ୩,୨୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରି ଥିଲେ। ଏହି ପଦକ୍ଷେପ ମାଇକ୍ରୋସଫ୍ଟର AI-ଆଧାରିତ ପଦକ୍ଷେପର ଏକ ଅଂଶ ବୋଲି କୁହାଯାଇ ଥିଲା, ଯେଉଁଥିରେ Xbox ବିଭାଗ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଏହା ପରେ ଏକ୍ସରେ କିଛି ୟୁଜର ଅଭିଯୋଗ କରିଥିଲେ ଯେ, କମ୍ପାନୀ ଆମେରିକୀୟ କର୍ମଚାରୀଙ୍କ ସ୍ଥାନରେ H-1B ଭିସାଧାରୀଙ୍କୁ ସୁଯୋଗ ଦେଉଛି। ଅନେକ ପୋଷ୍ଟରେ ଆଶା ଶର୍ମା ଓ ମାଇକ୍ରୋସଫ୍ଟର ନେତୃତ୍ୱକୁ ସମାଲୋଚନା କରାଯାଇ ଥିଲା। ଏହାପରେ ଭାରତୀୟଙ୍କ ଛଟେଇ ନେଇ ମଧ୍ୟ ଅଭିଯୋଗ ଉଠି ଥିଲା।

ଆଶା ଶର୍ମା କିଏ …

ଆଶା ଶର୍ମାଙ୍କ ଜନ୍ମ ଆମେରିକାର ୱିସ୍କୋନସିନ୍ ରାଜ୍ୟରେ ହୋଇଛି। ସେ ମିନେସୋଟା ବିଶ୍ୱବିଦ୍ୟାଳୟର କାର୍ଲସନ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ ବ୍ୟବସାୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ନିଜ କ୍ୟାରିୟରର ଆରମ୍ଭ ମାଇକ୍ରୋସଫ୍ଟର ମାର୍କେଟିଂ ବିଭାଗରୁ କରିବା ପରେ ସେ ପୋର୍ଚ ଗ୍ରୁପ୍, ମେଟା ଏବଂ ଇନଷ୍ଟାକାର୍ଟ ଭଳି ବଡ଼ କମ୍ପାନୀଗୁଡ଼ିକରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିଛନ୍ତି।

୨୦୨୪ ମସିହାରେ ସେ ପୁଣି ଥରେ ମାଇକ୍ରୋସଫ୍ଟକୁ ଫେରି ଥିଲେ ଏବଂ କୋର୍ ଏଆଇ ପ୍ରଡକ୍ଟସର ଦାୟିତ୍ୱ ତୁଲାଇ ଥିଲେ। ଏହା ପରେ ଫେବ୍ରୁଆରୀ ୨୦୨୬ରେ ତାଙ୍କୁ ମାଇକ୍ରୋସଫ୍ଟ ଗେମିଂ (ଏକ୍ସବକ୍ସ)ର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଭାବେ ନିଯୁକ୍ତ କରାଯାଇ ଥିଲା। କମ୍ପାନୀର କହିବା କଥା ଯେ, ତାଙ୍କର ଲକ୍ଷ୍ୟ ହେଉଛି Xbox ବ୍ୟବସାୟକୁ ଏକ ନୂଆ ଦିଗ ଦେବା ଏବଂ ଏହାର ବ୍ୟାବସାୟିକ ସ୍ଥିତିକୁ ମଜବୁତ୍ କରିବା। ହେଲେ ବର୍ତ୍ତମାନର ବୈଷୟିକ ବ୍ୟାଘାତ ଏବଂ ନିକଟରେ ହୋଇଥିବା କର୍ମଚାରୀ ଛଟେଇ ଯୋଗୁଁ କମ୍ପାନୀ ଏବଂ ତାଙ୍କ ଉପରେ କ୍ରମାଗତ ଚାପ ବଢ଼ିବାରେ ଲାଗିଛି।

ଆହୁରି ମଧ୍ୟ ପଢନ୍ତୁ - Abhay Deol Glass House : ନା ଇଟା- ପଥର, ନା ଝରକା ! ଗୋଆ ଜଙ୍ଗଲରେ ଅଭୟ ଦେଓଲଙ୍କ ବିଳାସପୂର୍ଣ୍ଣ କାଚ ଘର ଭାଇରାଲ