ପୁରୀ, ୨୭/୦୭: ଆଜି ନୀଳାଦ୍ରୀ ବିଜେ। ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି । ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କାଳିଆସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା । ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ । ସୋମବାର ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ । ଏହି ଅବସରରେ ରତ୍ନସିଂହାସନରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅସଂଖ୍ୟ ଭକ୍ତଙ୍କୁ ଛାଡ଼ି ଭଗବାନ ବଡ଼ଦେଉଳକୁ ଫେରିଯିବେ । ସିଂହଦ୍ୱାରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୪ଟାରୁ ଠାକୁରଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ । ସପ୍ତମୂର୍ତ୍ତି ଗୋଟି ପହଣ୍ଡିରେ ଯାଇ ନିଜ ନିଜ ଆସ୍ଥାନରେ ବିଜେ ହେବେ ।
ଅଧିକ ପଢ଼ନ୍ତୁ :- Adhara Pana: ରଥାରୁଢ଼ ଶ୍ରୀଜିଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ, ୩ ରଥରେ ୧୨ ହାଣ୍ଡି ଅର୍ପଣ, ଅଶରୀରଙ୍କ ପାଇଁ ଭାସିଲା ପଣା
ଠାକୁରଙ୍କ ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ । ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଉପରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ପହଣ୍ଡି ପ୍ରସ୍ତୁତି ହେବ । ରଥରେ ଚାରମାଳ ବନ୍ଧା ହେବ । ସିଂହାସନ ମାଜଣା ହେବ । ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିବ । ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ । ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେବ । ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ । ପହଣ୍ଡି ସମୟରେ ସମ୍ପନ୍ନ ହେବ ନୀଳାଦ୍ରି ବିଜେର ବିଶେଷ ପର୍ବ ‘ଲକ୍ଷ୍ମୀ-ନାରାୟଣ କଳି’ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ । ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳା ଦେଖି ଧନ୍ୟ ହେବେ ହଜାର ହଜାର ଭକ୍ତ ।