ଭୁବନେଶ୍ୱର ୨୪/୦୨: କିଡ୍‌ନୀ ଷ୍ଟୋନ୍‌ ବା ପଥୁରୀ ରୋଗ ମୂତ୍ରନଳୀକୁ  ସଂକ୍ରମିତ କରିଥାଏ । ଠିକ୍‌ ସମୟରେ ଚିକିତ୍ସା  ନହେଲେ ଏହା କିଡ୍‌ନୀ(ବୃକ୍‌କ) ପାଇଁ  କ୍ଷତିକାରଣ ସାବ୍ୟସ୍ତ ହୋଇଥାଏ । କିଡ୍‌ନୀ ପଥୁରୀ  ରୋଗ ହେଉଛି କିଡ୍‌ନୀ ଭିତରେ ସୃଷ୍ଟି ହେଉଥିବା ସ୍ପଟିକ  ପରି କିଛି ପଦାର୍ଥ । ଏହି ସ୍ପଟିକଗୁଡ଼ିକ ଯେପର୍ଯ୍ୟନ୍ତ  କିଡ୍‌ନୀ ଭିତରେ ଘୂରି ବୁଲିବେ ନାହିଁ କିମ୍ବା ୟୁରେଟର  ଭିତରକୁ ଯାଇ ନଥିବେ ତାହେଲେ ଯନ୍ତ୍ରଣା ଜଣାପଡ଼ିବ  ନାହିଁ । ୟୁରେଟର ହେଉଛି କିଡ୍‌ନୀ ଓ ବ୍ଲାଡରକୁ ସଂଯୋଗ  କରୁଥିବା ଟ୍ୟୁବ୍‌ । କିଡ୍‌ନୀ ପଥର ଯଦି ୟୁରେଟର  ଭିତରେ ରହିଯାଏ ଏହା ପରିସ୍ରା ପ୍ରବାହକୁ ଅବରୋଧ  କରିଦିଏ । ଏପରିକି କିଡ୍‌ନୀ ଫୁଲିଯାଏ । ଯାହା ଅତ୍ୟନ୍ତ  ଯନ୍ତ୍ରଣାଦାୟକ ହୋଇପାରେ । ସେହି ସମୟରେ,  ପଥୁରୀର ଲକ୍ଷଣ ପ୍ରକାଶ ପାଏ ।  

ଲକ୍ଷଣ 

ପେଟ, ପିଠିରେ ତୀବ୍ର ଯନ୍ତ୍ରଣା ହୋଇ ତଳି ପେଟକୁ  ବ୍ୟାପିଥାଏ । ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା  ଜଳିବା ପରି ଅନୁଭବ ହୁଏ ।ତାଛଡ଼ା ଗୋଲାପୀ,  ନାଲି କିମ୍ବା ବାଦାମୀ ପରିସ୍ରା ହୋଇପାରେ । ବାରମ୍ବାର ପରିସ୍ରା ଲାଗେ ଏବଂ ଦୁର୍ଗନ୍ଧ ହୁଏ । ସଂକ୍ରମଣ ହେଲେ ସାଧାରଣଠାରୁ ଅଧିକ ବା ଅଳ୍ପ ଅଳ୍ପ ପରିସ୍ରା ହୁଏ । ବାନ୍ତି ଲାଗେ, ଜ୍ୱର ବି ହୁଏ । 

ସତର୍କତା ଓ ଚିକିତ୍ସା 

ପଥୁରୀ ରୋଗ ପାଇଁ ସତର୍କ ରହିବାକୁ ହେଲେ ପ୍ରଚୁର ପାଣି ପିଅନ୍ତୁ । ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର  ପାଣି ନ ପିଇବା ଦ୍ୱାରା କିଡ୍‌ନୀରେ ପଥର ହେବାର  ଆଶଙ୍କା ହୋଇପାରେ । 

ଯେଉଁମାନେ ଉଷୁମ, ଶୁଖିଲା ଜଳବାୟୁରେ ବାସ କରନ୍ତି ଅଥବା ଦେହରୁ  ଅଧିକ ଝାଳ ବାହାରେ ସେମାନେ ଅନ୍ୟମାନଙ୍କ  ତୁଳନାରେ ଅଧିକ ବିପଦଗ୍ରସ୍ତ ହୋଇପାରନ୍ତି । 

କୁକୁଡ଼ା ବା ଖାସି ମାଂସ କମ୍‌ ଖାଆନ୍ତୁ । ଅଧିକ ଲୁଣ  ଓ ଚିନିଯୁକ୍ତ ଖାଦ୍ୟ ଖାଇବେ ନାହିଁ । 

ଓଜନ ଅଧିକ ନ ବଢ଼ିବା ପାଇଁ ଚେଷ୍ଟା କରିବେ । ଅଧିକ କ୍ୟାଲସିୟମ ଉତ୍ସ ଥିବା ଖାଦ୍ୟ କିଡ୍‌ନୀ  ଷ୍ଟୋନକୁ ରୋକିବାରେ ସାହାଯ୍ୟ କରିଥାଏ।

କ୍ୟାଲସିୟମ ସପ୍ଲିମେଣ୍ଟ ସହିତ ଆଣ୍ଟାସିଡ ଖାଇବା  ଠିକ୍‌ ନୁହେଁ । ତେବେ ସବୁ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ  ଔଷଧ ଖାଇବା ଦରକାର । 

ବେଳେ ବେଳେ କିଡ୍‌ନୀରେ ଛୋଟ ପଥର ଥିଲେ । ଆପେ ପରିସ୍ରାରେ ବାହାରି ଯାଇପାରେ । ବଡ଼  ପଥରଗୁଡିକ କ୍ଷେତ୍ରରେ ଚିକିତ୍ସା ଆବଶ୍ୟକ ହୁଏ ।  

କିଡ୍‌ନୀ ଷ୍ଟୋନକୁ ମେଡିସିନ୍‌ ଦ୍ୱାରା ଚିକିତ୍ସା କରାଯାଇପାରିବ । କିନ୍ତୁ ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନେଇ ଔଷଧ ବା ଅସ୍ତ୍ରୋପଚାର ଯାହା ଦରକାର  କରିପାରିବେ ।

ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀ

ୟୁରୋଆଣ୍ଡ୍ରୋଲୋଜିଷ୍ଟ୍‌, ସହକାରୀ ପ୍ରଫେସର, 

ସମ୍‌ ହସ୍ପିଟାଲ୍‌, ଫୁଲନଖରା