ବଜେଟ୍ ୨୦୨୩-୨୪: ସାଧାରଣ ବଜେଟ୍ରୁ କିଏ ଚାହେଁ କ’ଣ ?

ନୂଆଦିଲ୍ଲୀ ୨୪/୦୧: ଆଉ ମାତ୍ର ଦିନ କେଇଟା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଶିଳ୍ପ, ଜନସାଧାରଣ ଏବଂ ଉଦ୍ୟୋଗୀମାନେ ସରକାରଙ୍କଠାରୁ ବିଭିନ୍ନ ପ୍ରକାର ଆଶା ବାନ୍ଧି ବସିଛନ୍ତି । ନିଜ ନିଜ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ । ବଜେଟରେ ଅର୍ଥମନ୍ତ୍ରୀ ସମାଧାନ ବାହାର କରିବେ ବୋଲି ସଭିଙ୍କ ଆଶା । ବଜେଟରୁ କିଏ କ’ଣ ଚାହାନ୍ତି ତାହା ଉପରେ ଏକ ନଜର…
ଏକକ କମ୍ପାନି ଟିକସ
ଜେରୋଧା ସହ-ପ୍ରତିଷ୍ଠାତା ନିଖିଲ କାମାଥଙ୍କ କହିବାନୁସାରେ, ୨୦୨୩-୨୪ ବଜେଟରେ ସରକାର ଏକକ କମ୍ପାନି ଟିକସ ଆଣିବା ଦରକାର । ବିନିର୍ମାଣ ଏବଂ ସେବା କ୍ଷେତ୍ର ଉଭୟ ପାଇଁ ଭାରତକୁ ଏକ ହବ୍ ଭାବେ ଅବସ୍ଥାପିତ କରିବାକୁ ହେଲେ ଏକକ କମ୍ପାନି ଟିକସ ଉପଯୋଗୀ ସାବ୍ୟସ୍ତ ହେବ । ଏହା କେବଳ ବିନିର୍ମାଣ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ନାହିଁ, ସେବା କ୍ଷେତ୍ରକୁ ମଧ୍ୟ ବଳ ଯୋଗାଇବ ।
ସ୍ୱାସ୍ଥ୍ୟସେବା ପାଇଁ ଟିକସ ରିହାତି
ଭାରତରେ କେପିଏମ୍ଜିର ପାର୍ଟନର ତଥା ସହ-ମୁଖ୍ୟ(ହେଲ୍ଥକେୟାର) ଲଳିତ ମିସ୍ତ୍ରି କୁହନ୍ତି, ହେଲ୍ଥକେୟାର ସ୍କିଲିଂ ଏବଂ ବିକାଶ ପାଇଁ ବଜେଟରେ ଟିକସ ରିହାତି ଘୋଷଣା ହେବା ଉଚିତ । ବିନିର୍ମାଣ କମ୍ପାନିଗୁଡ଼ିକୁ ଯେପରି ଟିକସ ରିହାତି ପ୍ରଦାନ କରାଯାଉଛି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ହେବା ଦରକାର ।
ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ରିହାତି
ଦୀର୍ଘ ସମୟ ଧରି ଟିକସ ସ୍ଲାବରେ ପରିବର୍ତ୍ତନ ହୋଇନାହିଁ । ଦରବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ମାନ୍ଦାବସ୍ଥା ଏବଂ ଛଟେଇ ବୋଝ ଉପରେ ନଳିତା ବିଡ଼ା । ଏଭଳି କ୍ଷେତ୍ରରେ ବ୍ୟକ୍ତିଗତ ଟିକସଦାତା ଆୟ କର ହାରରେ ହ୍ରାସ ଚାହାନ୍ତି । ସେହିଭଳି ୮୦ସି ଡିଡକ୍ସନ ସୀମାକୁ ମଧ୍ୟ ବଢ଼ାଇବା ଆଶା ରହିଛି ।
ଯୋଗାଣ ଶୃଙ୍ଖଳ ଓ ଲଜିଷ୍ଟିକ୍ସ
ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଭିତ୍ତିଭୂମି-ଆଧାରିତ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇପାରନ୍ତି । ଏଥିପାଇଁ ବଜେଟରେ ଅଧିକ ବ୍ୟୟବରାଦ ଆଶା ରହିଥିବା କେପିଏମ୍ଜି ଇଣ୍ଡିଆ ସପ୍ଲାଏ ଚେନ୍ ରିଆଲାଇନ୍ମେଣ୍ଟ ବିଭାଗର ସହ-ମୁଖ୍ୟ ଏବଂ ସିଓଓ(ଇଣ୍ଡିଆ ଗ୍ଲୋବାଲ ଏବଂ ନ୍ୟାସ୍ନାଲ ଲିଡର) ନୀରଜ ବଂଶଲ ପ୍ରକାଶ କରିଛନ୍ତି । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମ୍ର ସମ୍ପ୍ରସାରଣ ନେଇ ମଧ୍ୟ ସେ ଆଶା ରଖିଛନ୍ତି ।